Odisha Link
Bridging the Missing Links in Odisha

ବଦଳିଲା ରେଳ ନିୟମ, ୧୩୯ ନମ୍ବରରେ ମିଳିବ ସମସ୍ତ ସୁବିଧା

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଲା ରେଳବାଇ ବୋର୍ଡ। କାରଣ କିଛିଟା ନିୟମ ବଦଳାଇଛି ରେଳବାଇ ବୋର୍ଡ। ଜଣେ ସରକାରୀ କର୍ମଚାରୀଙ୍କ ଟିକେଟ କନଫର୍ମ ଥିଲେ ଯଦି ସେ କୌଣସି କାରଣରୁ ଯାଇପାରୁନାହାଁନ୍ତି ତେବେ ସେହି ଟିକେଟରେ ଆଉ ଜଣେ ସରକାରୀ କର୍ମଚାରୀ ଯାଇପାରିବେ। ହେଲେ ଏଥିପାଇଁ ଟ୍ରେନ ଛାଡିବାର ୨୪ ଘଣ୍ଟା ପୂର୍ବରୁ ପରିଚୟ ପତ୍ର ସହ ରେଳବାଇ କର୍ତ୍ତୃର୍ପକ୍ଷଙ୍କ ନିକଟରେ ଏକ ଦରଖାସ୍ତ ଜମା କରିବାକୁ ପଡିବ। ସେହିପରି ଜଣେ ଛାତ୍ରଙ୍କ ଟିକେଟ କନଫର୍ମ ଥିଲେ ଓ ସେ ଯାଇ ନପାରିଲେ ସେହି ଟିକେଟକୁ ଅନ୍ୟ ଜଣେ ଛାତ୍ରଙ୍କୁ ସ୍ଥାନାନ୍ତର କରିପାରିବେ।

ପୂର୍ବରୁ ଟିକେଟ କନଫର୍ମ ଥିଲେ ଏବଂ ସେ ଯାଇନପାରିଲେ ସେହି ଟିକେଟରେ ତାଙ୍କ ରକ୍ତ ସମ୍ପର୍କୀୟ ଯାଇପାରିବାର ବ୍ୟବସ୍ଥା ରହିଥିଲା। ଅର୍ଥାତ ଏହି କନଫର୍ମ ଟିକେଟରେ, ଟିକେଟ କରିଥିବା ଲୋକଙ୍କ ସ୍ଥାନରେ ବାପା, ମାଆ, ଭାଇ, ଭଉଣୀ, ପୁଅ, ଝିଅ, ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମଧ୍ୟରୁ ଯେକୌଣସି ବ୍ୟକ୍ତି ଯାଇପାରୁଥିଲେ। ତେବେ ଏଥିପାଇଁ ଟ୍ରେନ ଛାଡିବାର ୨୪ ଘଂଟା ପୂର୍ବରୁ ରକ୍ତ ସମ୍ପର୍କୀୟ ବୋଲି ପ୍ରମାଣ ପତ୍ର ସହ ଦରଖାସ୍ତ ଜମା କରିବାକୁ ପଡୁଥିଲା। ଏହା ସହିତ ନୂଆ ବର୍ଷରେ ଏକ ସ୍ୱତନ୍ତ୍ର ନମ୍ବର ‘୧୩୯’ ଜାରି କରିଛି ରେଳବାଇ। ଏହି ନମ୍ବରରେ ଯାତ୍ରୀମାନେ ସେମାନଙ୍କ ଯେକୌଣସି ସମସ୍ୟା ନେଇ ରେଳବାଇ କର୍ତ୍ତୃର୍ପକ୍ଷଙ୍କୁ ଜଣାଇପାରିବେ।

୧୩୯ ରେ ସବୁ ସୁବିଧା ମିଳିବ:
ରେଳବାଇର ସୂଚନା ଅନୁଯାୟ , ଏଣିକି ୧୩୯ ରେ ସବୁ ସୁବିଧା ମିଳିବ। ଏହି ଏକକ ହେଲ୍‌ପ ଲାଇନ ନମ୍ବର ପ୍ରଚଳନ ସହ ପୂର୍ବରୁ ପ୍ରଚଳିତ ସାଧାରଣ ଅଭିଯୋଗ ପାଇଁଥିବା ୧୩୮, ଦୁର୍ଘଟଣା ଏବଂ ନିରାପତ୍ତା ଲାଗି ଉଦ୍ଦିଷ୍ଟ ଥିବା ୧୦୭୨ , ଏସ୍ଏମ୍ ଏସ୍ ଅଭିଯୋଗ ଲାଗି ଥିବା ନମ୍ବର ୯୭୧୭୬୩୦୯୮୨ , ବଗି ସଫେଇ ଲାଗି ୫୮୮୮୮ ଅଥବା ୧୩୮ , ଭିଜିଲାନ୍ସ ଲାଗି ଉଦ୍ଦିଷ୍ଟ ଥିବା ୧୫୨୨୧୦ , କ୍ୟାଟରିଙ୍ଗ ସର୍ଭିସ ଲାଗି ଥିବା ୧୮୦୦୧୧୧୩୨୧ ଆଉ ଦରକାର ପଡିବ ନାହିଁ । ଏହି ସବୁ ନମ୍ବରର ସେବା ଓ ସୁବିଧା ୧୩୯ ଡାଏଲ କଲେ ହିଁ ମିଳିବ । ଯାତ୍ରୀଙ୍କୁ ସଂଗଠିତ ଏବଂ ସହଜରେ ତଥା ଶିଘ୍ର ସେବା ଯୋଗାଇବା ଲାଗି ରେଳବାଇ ପକ୍ଷରୁ ଏହି ଏକକ ହେଲ୍ପ ଲାଇନ ନମ୍ବର ପ୍ରଚଳନ କରାଯାଇଛି।

Comments are closed.