Odisha Link
Bridging the Missing Links in Odisha

ଦୀପିକାଙ୍କୁ ପରାମର୍ଶ ଦେଲେ ବାବା ରାମଦେବ, କହିଲେ ମୋ ଭଳି..

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)ର ହିଂସାକାଣ୍ଡକୁ ନେଇ ଚର୍ଚ୍ଚା ଥମିବାର ନାହିଁ। ସେହିଭଳି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ମଧ୍ୟ ଥମିବାର ନା ନେଉ ନାହିଁ। ସୂଚନାଥାଉକି ଜେଏନୟୁରେ ଘଟିଥିବା ହିଂସାକାଣ୍ଡ ପରେ ଦୀପିକା ପାଦୁକୋନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭରେ ସାମିଲ ହୋଇଥିଲେ। ସେ ଜେଏନୟୁ ଗସ୍ତ କରି ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ଯାହାକୁ ନେଇ ବିିବାଦ ଘେରରେ ଛନ୍ଦି ହୋଇ ପଡ଼ିଛନ୍ତି ଦୀପିକା।

ଦୀପିକାଙ୍କ ଏଭଳି କାର୍ଯ୍ୟ ଅନେକଙ୍କୁ ପସନ୍ଦ ଆସିଲା ନାହିଁ। ତାଙ୍କର ଏହି ପଦକ୍ଷେପକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଏହାକୁ ନେଇ ଅନେକ ନେତା ବୟାନବାଜି କରିବା ପରେ ଏବେ ଯୋଗଗୁରୁ ବାବା ରାମଦେବ ଦୀପିକାଙ୍କୁ ଏକ ପରାମର୍ଶ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ମଧ୍ୟପ୍ରଦେଶର ଇନ୍ଦୋରରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ବାବା ରାମଦେବ କହିଛନ୍ତି ଯେ, ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ପ୍ରସଙ୍ଗଗୁଡ଼ିକୁ ଠିକ୍‌ ଭାବେ ବୁଝିବା ଲାଗି ଦୀପିକା ପାଦୁକୋନଙ୍କୁ ତାଙ୍କ ଭଳି କୌଣସି ପରାମର୍ଶଦାତାଙ୍କୁ ରଖିବା ଆବଶ୍ୟକ। ରାମଦେବ କହିଥିଲେ, ଅଭିନୟ ଦୃଷ୍ଟିକୋଣରୁ ଦୀପିକା ଜଣେ କୁଶଳୀ କଳାକାର। ଏହା ଭିନ୍ନ କଥା। କିନ୍ତୁ ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ପ୍ରସଙ୍ଗରେ ଜ୍ଞାନ ହାସଲ କରିବା ଲାଗି ଦେଶ ବିଷୟରେ ଆହୁରି ଅଧିକ ପଢ଼ିବା ଏବଂ ବୁଝିବାକୁ ହେବ। ଏସବୁ ବିଷୟରେ ଜାଣିବା ପରେ ହିଁ ତାଙ୍କୁ ବଡ଼ ନଷ୍ପତ୍ତି ନେବା ଆବଶ୍ୟକ। ଏଥିପାଇଁ ଦୀପିକାଙ୍କୁ ରାମଦେବଙ୍କ ଭଳି କୌଣସି ପରାମର୍ଶଦାତା ରଖିବା ଦରକାର।

ରାମଦେବ ନାଗରିକତା ସଂଶୋଧନ ଆଇନକୁ ଦୃଢ଼ ସମର୍ଥନ କରି କହିଛନ୍ତି, ଯେଉଁ ଲୋକମାନଙ୍କୁ ସିଏଏର ପୂରାନାମ ଜଣାନାହିଁ, ସେମାନେ ଆଜି ଏହି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପଶବ୍ଦର ପ୍ରୟୋଗ କରୁଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ନିଜେ କହିସାରିଛନ୍ତି ଯେ ଏହି ଆଇନ କୌଣସି ବ୍ୟକ୍ତିର ନାଗରିକତା ଛଡ଼ାଇ ନେବା ପାଇଁ ନୁହେଁ, ବରଂ ନାଗରିକତା ଦେବା ଲାଗି ପ୍ରସ୍ତୁତ ହୋଇଛି। ତଥାପି ଲୋକମାନେ ନିଆଁ ଲଗାଇ ଚାଲିଛନ୍ତି।

Comments are closed.