Odisha Link
Bridging the Missing Links in Odisha

୨୦ରୁ ‘କୃଷି ଓଡ଼ିଶା’, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତମାସ ୨୦ତାରିଖ ଅର୍ଥାତ୍‌ ସୋମବାର ଦିନରୁ କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱରର ଜନତା ମଇଦାନରେ ଏହି ୫ଦିନିଆ କୃଷି ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାକୁ ଥିବାବେଳେ ଏଥିରେ ମୋଟ ୧୧୨ଟି ଦେଶବିଦେଶର କମ୍ପାନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, କୃଷି ଓ କୃଷକମାନଙ୍କୁ ସଶକ୍ତ କରିବା ଓ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବା ପାଇଁ ‘କୃଷି ଓଡ଼ିଶା’ର ଆୟୋଜନ କରାଯାଉଛି। ଚଳିତବର୍ଷ ଅଧିକ ଉପଯୋଗୀ ଓ ଲାଭଦାୟକ ନିମନ୍ତେ ପ୍ରୟାସ ହୋଇଛି। ୨୦ରୁ ୨୪ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏହି ସମାବେଶରେ ୨୨୮ଟି ଷ୍ଟଲ୍ ନିର୍ମାଣ କରାଯାଇଛି।

ଦେଶବିଦେଶରେ କୃଷି କ୍ଷେତ୍ରରେ ଘଟୁଥିବା ନୂଆ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀ ସହିତ ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନା ଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି। ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଏହି ଆଲୋଚନା ଚକ୍ର କରାଯିବ, ଯେଉଁଥିରେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, ବିଶେଷଜ୍ଞ ଓ କୃଷି ଅଧିକାରୀ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେବେ।

ଚଳିତବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କ, ପଞ୍ଚାୟତ ଜନପ୍ରତିନିଧି ଓ ମହିଳାମାନଙ୍କ ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ୨୧ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ, ୨୨ତାରିଖକୁ ଞ୍ଚାୟତିରାଜ ଜନପ୍ରତିନିଧି ଦିବସ, ୨୩ତାରିଖକୁ ମହିଳା ଦିବସ ଭାବେ ରଖାଯାଇଛି। ୨୨ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀମାନଙ୍କର ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୫୦୦ ବ୍ୟାଙ୍କ ଅଧିକାରୀ ଯୋଗ ଦେବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Comments are closed.