Odisha Link
Bridging the Missing Links in Odisha

ଆଦର୍ଶ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ୫୦% ସଂରକ୍ଷଣ

ଭୁବନେଶ୍ବର : ବର୍ତ୍ତମାନ ରାଜ୍ୟରେ ୨୧୪ଟି ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟରେ ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟରେ ନାମଲେଖା ହେବ। ୨୦୨୦-୨୧ ଶିକ୍ଷାବର୍ଷରେ ସମ୍ବଲପୁର, ବରଗଡ଼ ଓ ଖୋର୍ଧା ଜିଲ୍ଲାରେ ୫ଟି ଲେଖାଏ, ନୟାଗଡ଼, କଟକ ଓ ‌ଢେଙ୍କାନାଳରେ ୩ଟି ଲେଖାଏ, ବଲାଙ୍ଗୀର, ଯାଜପୁର ଓ ଝାରସୁଗୁଡ଼ାରେ ୨ଟି ଲେଖାଏ, କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ସୋନପୁର, ଭଦ୍ରକ ଜିଲ୍ଲାରେ ଗୋଟିଏ ଲେଖା‌ଏ ଆଦର୍ଶ ବିଦ୍ୟାଳୟ ଖୋଲିବ।

ଛାତ୍ରଛାତ୍ରୀ ସିଧାସଳଖ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇବେ। ଏଥିପାଇଁ ୩୧ ତାରିଖ ଯାଏ ଆବେଦନ ପ୍ରକ୍ରିୟା ଚାଲିବ। ମାର୍ଚ୍ଚ ୧ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରବେଶିକା ପରୀକ୍ଷାରେ ସଫଳତା ଭିତ୍ତିରେ ବିଦ୍ୟାଳୟରେ ନାମ‌ଲେଖା ହେବ। ପ୍ରତି ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ସିଟ୍‌ ସଂରକ୍ଷିତ ରହିବ। ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଉତ୍କର୍ଷ ଯୋଗ୍ୟତା ଭିତ୍ତିରେ ଡେ-ସ୍କଲାର ଭାବେ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପଢ଼ିବେ।

ଏହାବ୍ୟତୀତ ୭ମ, ୮ମ ଓ ୯ମ ‌ଶ୍ରେଣୀରେ ଖାଲିଥିବା ସିଟ୍‌ ପାଇଁ ଲାଟେରାଲ ଏଣ୍ଟ୍ରି ବ୍ୟବସ୍ଥା ରହିଛି। ଏଥିପାଇଁ ୱେବସାଇଟରେ ଫର୍ମ ଉପଲବ୍ଧ ରହିଛି। ‘www.oav.edu.in’ରୁ ପ୍ରବେଶିକା ପରୀକ୍ଷା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ। ଏବେ ୫୦ଟି ଆଦର୍ଶ ବିଦ୍ୟାଳୟରେ ବାଳିକାଙ୍କ ପାଇଁ ଆ‌ବାସିକ ବ୍ୟବସ୍ଥା ରହିଛି। ଏହି ତାଲିକା ୱେବସାଇଟ୍‌ରେ ଉପଲବ୍ଧ ହୋଇଛି। କୌଣସି ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟକୁ ଯିବା ଆସିବା ନିମନ୍ତେ ଯାନବାହନର ବ୍ୟବସ୍ଥା‌ କରାଯାଇ ନ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ସୂଚନା ଦେଇଛନ୍ତି।

Comments are closed.