Odisha Link
Bridging the Missing Links in Odisha

ରାଜ୍ୟ ରାଜସ୍ବ ଆଦାୟରେ ୮.୩୯% ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ରାଜସ୍ବ ଆଦାୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ରାଜସ୍ବ ଆଦାୟରେ ପ୍ରାୟ ୮.୩୯% ବୃଦ୍ଧି ଘଟି ୩୨,୦୯୭ କୋଟି ଟଙ୍କା ଆଦାୟ ହୋଇଛି। ସେହିଭଳି ନିଜସ୍ବ ଟିକସ ସୂତ୍ରରୁ ଆଦାୟ ହେଉଥିବା ରାଜସ୍ବରେ ୮.୧୩ ପ୍ରତିଶତ ବୃଦ୍ଧି ଘଟି ପ୍ରାୟ ୨୨,୫୯୮ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ଆର୍ଥିକ ବର୍ଷର ତୃତୀୟ ‌ତ୍ରୟମାସ ଶେଷ ସୁଦ୍ଧା ଏହି ରାଜସ୍ବ ପରିମାଣ ୨୦,୮୯୮ କୋଟି ଟଙ୍କାରେ ରହିଥିଲା। ଲୋକସେବା ଭବନ‌ରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହା ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟର ସମସ୍ତ ବିଭାଗ ଆସନ୍ତା ମାର୍ଚ୍ଚ ୫ ତାରିଖ ସୁଦ୍ଧା ମୋ ସରକାର ମାନଦଣ୍ଡକୁ ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜସ୍ବ ଆଦାୟ ବଢ଼ିବା ସହିତ ବଜେଟ୍ ରାଶି ଖର୍ଚ୍ଚ ମଧ୍ୟ ବଢ଼ିଛି। ପୂର୍ବ ଆର୍ଥିକ ବର୍ଷର ଡିସେମ୍ବର ଶେଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ବଜେଟ୍ ବିନିଯୋଗ ରାଶି ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଡିସେମ୍ବର ମାସ ଶେଷ ସୁଦ୍ଧା ମୋଟ ବ୍ୟୟ ୮୨,୨୦୧ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ଏହି ରାଶି ୭୧,୬୦୨ କୋଟି ଟଙ୍କା ରହିଥିଲା। ସାମାଜିକ କ୍ଷେତ୍ରରେ ବାସ୍ତବ ବିନିଯୋଗ ୩୪,୪୦୦ କୋଟି ଟଭ୍କା ରହିଥିବାବେଳେ ଏହା ପଛକୁ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୧୧,୨୫୦ କୋଟି ଏବଂ ଭିତ୍ତିଭୂମି କ୍ଷେତ୍ରରେ ୯୧୯୪ କୋଟି ଟଙ୍କା ବିନିଯୋଗ ହୋଇଛି।

Comments are closed.