Odisha Link
Bridging the Missing Links in Odisha

ଆନ୍ଧ୍ରପ୍ରଦେଶ: ବିଧାନ ପରିଷଦ ଉଚ୍ଛେଦ ପାଇଁ କ୍ୟାବିନେଟ ମୋହର

ଅମରାବତୀ: ବେଶ କିଛିଦିନ ହେବ ଚର୍ଚ୍ଚାରେ ରହୁଛି ଆନ୍ଧ୍ରପ୍ରଦେଶ ରାଜନୀତି। ତିନି ରାଜଧାନୀ ବିଧେୟକକୁ ନେଇ ଆନ୍ଧ୍ରପ୍ରଦେଶରେ ଜମୁଛି ରାଜନୀତି। କାରଣ ବିଧାନ ପରିଷଦରେ ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର  ତିନି ରାଜଧାନୀ ବିଧେୟକ ଖାରଜ ହୋଇଥିଲା। ଯାହାଫଳରେ ଆନ୍ଧ୍ର ପ୍ରଦେଶ କ୍ୟାବିନେଟ୍ ବିଧାନ ପରିଷଦ ଉଚ୍ଛେଦ ବିଲକୁ ମଞ୍ଜୁରୀ ଦେଇଛନ୍ତି। ବିଧାନ ପରିଷଦରେ ତିନି ରାଜଧାନୀ ବିଧେୟକ ଖାରଜ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମହନ ରେଡ୍ଡୀ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଅସାମ୍ୱିଧାନିକ ବୋଲି ବିରୋଧୀ ଟିଡ଼ିପି ଦର୍ଶାଇଛି। ଜବାବରେ ଓ୍ୱାଇଏସଆର କଂଗ୍ରେସ କହିଛି, ବିଧାନ ପରିଷଦରେ ବିରୋଧୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଏହାର ଅଯଥା ଫାଇଦା ନେଉଛନ୍ତି ବିରୋଧୀ।

ଓ୍ୱାଇଏସଆର କଂଗ୍ରେସ ଆହୁରି କହିଛି, ‘ନିକଟରେ ସରକାର ଏସସି, ଏସଟିଙ୍କ ପାଇଁ ଅଲଗା ଅଲଗା କମିଶନ ବିଲକୁ ବିଧାନ ପରିଷଦ ଖାରଜ କରିଥିଲା। ଏହାବାଦ୍ ସରକାରୀ ସ୍କୁଲକୁ ଇଂରାଜୀ ମିଡିଅମ କରିବା ପାଇଁ ଆସିଥିବା ବିଲକୁ ବିଧାନପରିଷଦ ଖାରଜ କରିଥିଲା’।

ଜଗନ ସରକାରଙ୍କ ବିଧାନ ପରିଷଦ ଭାଙ୍ଗିବାକୁ ନେଇ ଟିଡିପି ସାଂସଦ ରବୀନ୍ଦ୍ର କୁମାର କହିଛନ୍ତି, ରାଜ୍ୟରେ ସରକାର ନାହିଁ। ଏଠି ଜଗନଙ୍କ ଇଚ୍ଛା ମୁତାବକ କାମ ହେଉଛି। ଏଥିରୁ ପ୍ରମାଣିତ ରାଜ୍ୟରେ ସମ୍ବିଧାନ ନାହିଁ କି ସାମ୍ୱିଧାନିକ ଆଦର୍ଶ ନାହିଁ।

Comments are closed.