Odisha Link
Bridging the Missing Links in Odisha

କରୋନାଭାଇରସ୍‌: ଉହାନ୍‌ରୁ ନୂଆଦିଲ୍ଲୀ ଆସିଲେ ୩୨୪ ଭାରତୀୟ

ନୂଆଦିଲ୍ଲୀ: କରୋନାଭାଇରସ୍‌ର ଏନ୍ତୁଡିଶାଳ ଉହାନ୍‌ରେ ଫଶି ରହିଥିବା ୩୨୪ ଜଣ ଭାରତୀୟ ଦିଲ୍ଲୀରେ ପହଞ୍ଚିଛନ୍ତି। ଏୟାର୍‌ ଇଣ୍ଡିଆର ସ୍ବତନ୍ତ୍ର ବିମାନ ଜମ୍ବୋ ବି୭୪୭ରେ ସେମାନଙ୍କୁ ଉହାନ୍‌ରୁ ଉଦ୍ଧାର କରାଯାଇଛି। ଗତ ରାତି ୧: ୧୯ରେ ଏୟାର୍‌ ଇଣ୍ଡିଆ ଏହି ବିମାନ ୩୨୪ଜଣ ଯାତ୍ରୀଙ୍କୁ ଧରି ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଆଜି ଶନିବାର ସକାଳ ପ୍ରାୟ ୭: ୩୦ରେ ସେ ବିମାନଟି ଦିଲ୍ଲୀରେ ପହଞ୍ଚିଛି। ଚୀନ୍‌ରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାକୁ ଶୁକ୍ରବାର ଦିନ ୧: ୧୭ରେ ଦିଲ୍ଲୀ ବିମାନବନ୍ଦରରୁ ଏହି ବିମାନଟି ଉହାନ୍‌ ଯାଇଥିଲା।

ଏୟାର ଇଣ୍ଡିଆର ଏହି ସ୍ୱତନ୍ତ୍ର ବିମାନରେ ଏକ ପାଞ୍ଚ ଜଣିଆ ଡାକ୍ତରୀ ଦଳ ସହ ପର୍ଯ୍ୟାପ୍ତ ପରିମାଣର ମାସ୍କ, ସ୍ୱତନ୍ତ୍ର ପୋଷାକ, ଜରୁରୀ ମେଡିକାଲ ଉପକରଣ, ଆବଶ୍ୟକୀୟ ଔଷଧ ସହ ପ୍ୟାକେଟ ଖାଦ୍ୟ ଆଦି ମହଜୁଦ ରଖାଯାଇଥିଲା। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସି ଏହି ବିମାନଟି ପହଞ୍ଚିବା ପରେ ଏଥିରେ ଆସିଥିବା ଭାରତୀୟମାନଙ୍କର ଆଉଥରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବୈଦେଶିକ ମନ୍ତ୍ରାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଓ ବନ୍ଦୋବସ୍ତ କରାଯାଇଛି। ଚୀନ୍‌ରେ କରୋନାଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୨୫୯ ହୋଇଥିବା ବେଳେ ଆହୁରି ୧୧, ୭୯୧ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଛନ୍ତି।

Comments are closed.