Odisha Link
Bridging the Missing Links in Odisha

ବିଦାୟ ନିଃସଙ୍ଗ ପଦାତିକ ରବି ସିଂ

ଅସିତ ମହାନ୍ତି

‘ନିଃସଙ୍ଗ ପଦାତିକ’ କବି ରବି ସିଂ ଚାଲିଗଲେ। ତାଙ୍କର ଶେଷ ଜୀବନ ସୂଚାଇ ଦେଲା ଯେ ସେ ସତରେ ନିଃସଙ୍ଗ ଥିଲେ।

ମୋ ବିଚାରରେ ତାଙ୍କ କବିତା ଅପେକ୍ଷା ତାଙ୍କ ଆତ୍ମଜୀବନୀରେ ସେ ଥିଲେ ଅଧିକ ପ୍ରଚଣ୍ଡ। ଅନେକଙ୍କୁ ପ୍ରତିଟି ପଦପାତରେ ଦଳି ଦଳି ସେଥିରେ ସେଇ ନିଃସଙ୍ଗ ପଦାତିକ ବାଟ ଚାଲିଥିଲେ। ତାହା ଫଳରେ ସେ ଯେତିକି ଭକ୍ତ ସୃଷ୍ଟି କରିଥିଲେ, ଭୀତ ସୃଷ୍ଟି କରିଥିଲେ ତା’ଠୁ ଅନେକ ବେଶୀ।

ପରବର୍ତ୍ତୀ କାଳରେ ରବି ସିଂ ସମ୍ବାଦପତ୍ରରେ ସ୍ତମ୍ଭ ବି ଲେଖୁଥିଲେ। କିନ୍ତୁ ତାହାର ତୀରଗୁଡିକ ଏପରି ବିକ୍ଷତକାରୀ ଥିଲା ଯେ ତାହାକୁ ଛାପି ଅଧିକ ଶତ୍ରୁ ସୃଷ୍ଟି କରିବାକୁ ଅନେକ ସଂପାଦକ ଚାହି ନଥିଲେ। ଫଳରେ ତାଙ୍କୁ ତାଙ୍କ କଲମ ବନ୍ଦ କରି ରଖିଦେବାକୁ ପଡ଼ିଥିଲା। ସେ ଆହୁରି ନିଃସଙ୍ଗ ହୋଇଯାଇଥିଲେ। ପରିଶେଷରେ ସେଇ ବାଧ୍ୟ ବନ୍ଧ୍ୟାତ୍ବ ଓ ନିଃସଙ୍ଗତା ଭିତରେ ତାଙ୍କର ବିୟୋଗ ଘଟିଲା।

ରବି ସିଂ । ପୂରା ନାଆଁ ରବୀନ୍ଦ୍ର ନାଥ ସିଂହ। ଜନ୍ମସ୍ଥାନ- ଜଗତସିଂହପୁରର ନବାପାଟଣା। ଜନ୍ମ- ୧୯୩୫ ମସିହା, ଫେବୃଆରୀ ମାସ ୧୮ ତାରିଖ। ଭଗବତୀ ଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ ଓ ମନମୋହନ ମିଶ୍ରଙ୍କ ସାମ୍ୟବାଦୀ ଚେତନାଧାରାର ଉତ୍ତର ସାଧକ ଭାବରେ ସେ ଓଡ଼ିଆ ସାହିତ୍ୟରେ ସୁପ୍ରତିଷ୍ଠିତ। ଗତ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରୁ ତାଙ୍କର ସାହିତ୍ୟ ସାଧନା। କିନ୍ତୁ କବିତାରୁ ନୁହେଁ, ଗଳ୍ପରଚନାରୁ ହିଁ ସେ ଆରମ୍ଭ କରନ୍ତି ତାଙ୍କର ସୃଜନଧାରା। ପ୍ରଥମେ ଦୁଇଟି ଗଳ୍ପ ସଂକଳନ- ‘ପରାସ୍ତ ସୈନିକ’ ଓ ‘ଚଳନ୍ତିକା’ ଏବଂ ପରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା ସଂକଳନ- ‘ପଥପ୍ରାନ୍ତର କବିତା’। ତାଙ୍କର ସାରସ୍ଵତ କୃତିତ୍ବ ଭିତରେ ରହିଛି ୩୪ରୁ ଊର୍ଦ୍ଧ୍ଵ କବିତା ପୁସ୍ତକ ସହିତ ତିନି ଭାଗରେ ପ୍ରକାଶିତ ଆତ୍ମଜୀବନୀ ଏବଂ ସାହିତ୍ୟ, ସଂସ୍କୃତି ଓ ରାଜନୀତି ସଂପର୍କିତ ଅନେକ ଗଦ୍ୟ ରଚନା। ‘ରବି ସିଂ ଙ୍କ ପ୍ରେମ କବିତା’ ଶୀର୍ଷକରେ ତାଙ୍କର ଗୋଟିଏ ପ୍ରେମ କବିତା ସଂକଳନ ବି ଅଛି। କିନ୍ତୁ ତାଙ୍କ କବିତାର ଏକ ବିଶେଷତ୍ଵ ହେଉଛି, ସେ ଈଶ୍ୱରଙ୍କୁ ମଧ୍ୟ ‘ଚରମ ପତ୍ର’ ଦେଇପାରନ୍ତି। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ସେ ‘ଚରମ ପତ୍ର’ ପାଇଁ ହିଁ ୧୯୬୨ରେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର।

‘ରବି ସିଂ ଉବାଚ’ ଓ ‘ଫୁଙ୍ଗୁଳା ଫର୍ଦ୍ଦ’ ନାମରେ ସେ ଲେଖିଥିବା ସ୍ତମ୍ଭଲେଖଗୁଡିକର ସଂକଳନ ସମେତ ‘ବିବିଧ’ ନାମରେ ତାଙ୍କର ଏକ ଚର୍ଚ୍ଚାଗ୍ରନ୍ଥ ମଧ୍ୟ ପ୍ରକାଶ ପାଇଛି। ‘ଓଡ଼ିଆ ସାହିତ୍ୟରେ ଧର୍ଷଣ’ ତାଙ୍କର ଅନ୍ୟ ଏକ ଚର୍ଚ୍ଚିତ ପୁସ୍ତକ ଏବଂ ମୋର ମନେହୁଏ, କେବଳ ରବି ସିଂ ହିଁ ସାହିତ୍ୟ ଆଲୋଚନା ବହିର ଏପରି ନାମ ଦେଇ ପାରନ୍ତି।

କିଛି ବର୍ଷ ତଳେ, ‘ମୁକ୍ତ ଚିନ୍ତନ ମଞ୍ଚ’ର ଆହ୍ବାନ କ୍ରମେ ‘ଲୋହିତ ଲେଖନୀ’ ଶିରୋନାମରେ ଓଡିଆ ପ୍ରତିବାଦୀ ଗଳ୍ପର ଏକ ବୃହତ୍ ସଂକଳନ ମୁଁ ପ୍ରସ୍ତୁତ କରିଥିଲି। ସେତେବେଳେ ସେଥିରେ ରବି ସିଂ ଙ୍କର ଗୋଟିଏ ପ୍ରତିବାଦୀ ଗଳ୍ପ ମଧ୍ୟ ସ୍ଥାନିତ କରିଥିଲି। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’ ପାଇବା ପରେ, ‘ଚଂଦନ’ ପତ୍ରିକାରେ ତାଙ୍କର ଏକ ସାକ୍ଷାତକାର ମଧ୍ୟ ପ୍ରସ୍ତୁତ କରାଇଥିଲି। ସେଥିରେ ତାଙ୍କ ସାକ୍ଷାତକାରର ଶୀର୍ଷକ ଥିଲା, “ବର୍ତ୍ତମାନର ସାହିତ୍ୟ ଲବିମଣ୍ଡିତ, ଯୋଗାଡ଼ଯନ୍ତ୍ରୀ, ଶସ୍ତାକବି ଓ ଯଶଲାଳସାରେ ଭରପୂର।”

ବିଭୂତି ପଟ୍ଟନାୟକଙ୍କ ଆବାହକତ୍ବ କାଳରେ, ସାହିତ୍ୟ ଅକାଦେମୀ ପୁରସ୍କାରକୁ ନେଇ ଉଠିଥିବା ଏକ ବିବାଦ ପରିପ୍ରେକ୍ଷୀରେ, ରବି ସିଂ ଙ୍କ କବିତାର ଗୋଟିଏ ପଦ ମୋତେ ମୋ ଲେଖାର ଗୋଟିଏ ଶୀର୍ଷକ ଦେଇଥିଲା। ସେଇ କବିତା ପଦଟି ଥିଲା-

“ଗୋଲାପ ଗଛରେ ପିଆଜ ଫଳିଛି
ଚୋପାମୟ ଚୋପାମୟ,
ଜାରଜ ଦେଖୁଛି ସାରା ଦୁନିଆଟା
ବୋପାମୟ ବୋପାମୟ।”

ଏଇ ହେଉଛନ୍ତି ଆମର ପ୍ରମୁଖ ପ୍ରତିବାଦୀ କବି ରବି ସିଂ।

ଆଜି ତାଙ୍କର ବିୟୋଗରେ, ତାଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି।

Comments are closed.