Odisha Link
Bridging the Missing Links in Odisha

ରବି ସିଂ: ବିପ୍ଲବର ବହ୍ନିମାନ ଶିଖା ନିର୍ବାପିତ

କଟକ: ଓଡ଼ିଆ ସାହିତ୍ୟରେ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ବିପ୍ଲବର ଯେଉଁ ଶାଣିତ ସ୍ବରଟି ଗହଗହ ଜଳୁଥିଲା ତାହା ଆଜି ନିର୍ବାପିତ ହୋଇଯାଇଛି। ଚିରନିଦ୍ରାରେ ଶୋଇ ଯାଇଛନ୍ତି ବିପ୍ଲବୀ କବି ରବି ସିଂ। ଆଜି ସକାଳେ କଟକର ଖପୁରିଆ ନିକଟସ୍ଥ ଲେବର୍ କଲୋନିରେ ଥିବା ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବିପ୍ଲବର ଏହି ବହ୍ନିମାନ ଶିଖା। ମୃତ୍ୟୁ ବେଳକୁ ରବି ସିଂଙ୍କୁ ୮୫ ବର୍ଷ ହୋଇଥିଲା।

ପୁଅ ଚନ୍ଦ୍ରଜିତ୍ ସିଂଙ୍କ ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରବି ସିଂଙ୍କୁ ୫ ଦିନଧରି କଟକର ବଡ଼ ମେଡିକାଲରେ ଚିକିତ୍ସିତ କରାଯିବା ପରେ ତିନି ଦିନ ତଳେ ଘରକୁ ଅଣାଯାଇଥିଲା। ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୧୯୩୫ ଫେବ୍ରୁଆରୀ ୧୮ ତାରିଖରେ ଜଗତସିଂହପୁର ଜିଲ୍ଲା ନବାପାଟଣାଠାରେ ଜନ୍ମଗ୍ରହଣ କରିଥିବା ରବିନ୍ଦ୍ର ନାଥ ସିଂହ( ରବି ସିଂ)ଙ୍କ ପିତା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କରି ପ୍ରଭାବରେ, ରବି ସିଂ ପିଲାଟି ଦିନରୁ ରାଜନୀତି ସହିତ ସଂଶ୍ଲିଷ୍ଟ ଥିଲେ। ଖୁବ କମ ଶିକ୍ଷାଗ୍ରହଣ କରିବା ସତ୍ତ୍ୱେ ସ୍ବଅଧ୍ୟବସାୟ ବଳେର ସେ ଓଡ଼ିଆ, ଇଂରାଜୀ ଓ ବଙ୍ଗଳା ସାହିତ୍ୟ ବହୁଳ ଭାବରେ ପଢୁଥିଲେ। ୧୯୪୮ ମସିହାରେ, ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଓ ୧୯୫୩ ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗଦାନ କରିଥିଲେ। ୧୯୫୫ ମସିହାରେ, ସେ “ଗୋଆ ମୁକ୍ତି ସଂଗ୍ରାମ”ରେ ଅଂଶଗ୍ରହଣ କରିଥିଲେ।

ରବି ସିଂଙ୍କ ସାହିତ୍ୟିକ ଜୀବନ ୧୯୫୫ ମସିହା ପରେ ଆରମ୍ଭ ହୋଇଥିଲା। ସେ, ଜଣେ ବୈପ୍ଲବିକ ଓ ବାମପନ୍ଥୀ ଚିନ୍ତାଧାରର କବି ଭାବରେ ପରିଚିତ। ତାଙ୍କର ସବୁ କବିତାରେ ପ୍ରଗତିଶୀଳ ଚେତନା ଓ ବିଦ୍ରୋହ ସ୍ପଷ୍ଟ ବାରିହୁଏ। ଉପଯୁକ୍ତ ଶବ୍ଦ ଓ ଛନ୍ଦର ସଂଯୋଜନା ତାଙ୍କ କବିତାର ଅନ୍ୟ ଏକ ବିଶିଷ୍ଟତା। ଅନୁବାଦ ସାହିତ୍ୟରେ ମଧ୍ୟ ସେ ଧୂରୀଣ ଥିଲେ। ବହୁ ରୁଷିୟ ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରି, ସେ ନିଜ ଅନୁବାଦ ସାହିତ୍ୟ ଦକ୍ଷତାର ପ୍ରମାଣ ଦେଇଛନ୍ତି ଓ ସେଥିପାଇଁ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସେ ଜଣେ ସୁବକ୍ତା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ। ସେ ଓଡ଼ିଆ ଓ ଇଂରାଜୀ ଖବର କାଗଜ ଓ ପତ୍ରିକାର ସମ୍ପାଦନା ମଧ୍ୟ କରିଛନ୍ତି ।

ତାଙ୍କର କବିତା ସଙ୍କଳନଗୁଡ଼ିକ ହେଲା ପଥପ୍ରାନ୍ତର କବିତା (୧୯୫୯), ଚରମ ପତ୍ର (୧୯୬୨), ଶିଥିଳ ବଳ୍ଗ (୧୯୬୧), ଲାଲ ପଗୋଡାର ପ୍ରେତ ଓ ଅନ୍ୟାନ୍ୟ କବିତା (୧୯୬୩), ଭୃକୁଟି (୧୯୬୩), ବିଦୀର୍ଣ୍ଣ (୧୯୬୪), ଅପ୍ରୀତିକର କବିତା (୧୯୬୬), ଜ୍ୱାଳାର ମାଳା (୧୯୬୭), କ୍ଷତ (୧୯୬୮), ବିଷବାଣୀ (୧୯୬୯), ଦୁର୍ଗମ ଗିରି (୧୯୭୧), ଝଡ଼ (୧୯୭୩), ସର୍ବହରା (୧୯୭୪), ବନ୍ୟା (୧୯୭୭), ଓ ଅନ୍ୟାୟର ଚର୍ଯ୍ୟାପଦ (୧୯୭୮)। ସେହିପରି ତାଙ୍କର ଅନୁବାଦ ପୁସ୍ତକ ମଧ୍ୟରେ ରହିଛି ଅନ୍ଧକାରର ସଙ୍ଗୀତ, ବିରସ କଷଣି, ନାୟକ ଆମ ସମୟର, ବୋତଲ ଭୂତ, ପୂର୍ବ କ୍ଷଣ।

ରବି ସିଂଙ୍କର ଆତ୍ମଜୀବନୀ ‘ନିସଙ୍ଗ ପଦାତିକ’ରେ ତାଙ୍କ ଜୀବନ ସଂଘର୍ଷ ସାଙ୍ଗକୁ ଓଡ଼ିଶା ସାହିତ୍ୟ ଓ ରାଜନୀତିର ବହୁ ଅନାଲୋଚିତ ଚିତ୍ର ଦେଖିବାକୁ ମିଳେ।

ରବି ସିଂ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଏବଂ ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ଭଳି ପୁରସ୍କାର ଲାଭ କରିଥିଲେ। ଏହା ଭିନ୍ନ ସେ ଝଙ୍କାର ପୁରସ୍କାର (୧୯୮୯), ସାହିତ୍ୟ ଭାରତୀ ସମ୍ମାନ ୧୯୧୪) ଓ ଉତ୍କଳ ସାହିତ୍ୟ ସମାଜ ସମ୍ମାନ (୧୯୯୬) ସମେତ ବହୁ ସମ୍ମାନ ଓ ପୁରସ୍କାରର ଅଧିକାରୀ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଇଚ୍ଛା ଅନୁଯାୟୀ, ରବି ସିଂଙ୍କର ଅନ୍ତିମ ସଂସ୍କାର କଟକର ସତୀଚଉରାଠାରେ କରାଯିବ ବୋଲି ଜଣାଯାଇଛି।

Comments are closed.