Odisha Link
Bridging the Missing Links in Odisha

ଶୁଲଭ ଓ ଗୁଣବତା ଶିକ୍ଷା ବିଦ୍ୟାର୍ଥୀ ମାନଙ୍କର ଅଧିକାର: ଏବିଭିପି

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶାର ୪୪ତମ ରାଜ୍ୟ ଅଧିବେଶନ କଟକ ସ୍ଥିତ ବିଡାନାସି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହା ତା ୩୧ ଜାନୁଆରୀ ରିଖ ଠାରୁ ଆରମ୍ଭ ହୋଇ ୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥିଲା । ଏହି ୪୪ତମ ରାଜ୍ୟ ଅଧିବେଶନକୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଉଦ୍‌ଘାଟନ କରିଥିଲେ ।

ଏଥିରେ ରାଜ୍ୟର ସମସ୍ତ ପ୍ରମୁଖ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ୧୦୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଯୋଗ ଦେଇଥିଲେ । ଏହା ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ମାନନୀୟ ସୁନିଲ ଆମ୍ବେକର, ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ଆଶିଷ ଚୈାହାନ, ରାଷ୍ଟ୍ରୀୟ ସହସଙ୍ଗଠନ ସମ୍ପାଦକ ଜି ଲକ୍ଷ୍ମଣ, ପୂର୍ବକ୍ଷେତ୍ରର ସଙ୍ଗଠନ ସମ୍ପାଦକ ଗୋବିନ୍ଦ ନାୟକ, ରାଜ୍ୟ ସଙ୍ଗଠନ ସମ୍ପାଦକ ଅଭିଳାଷ ପଣ୍ଡାଙ୍ଗ ମାର୍ଗଦର୍ଶନରେ ସମ୍ପନ୍ନ ହୋଇଥିଲା ।

ପ୍ରଥମ ଦିନରେ ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର ଗତ ଶିକ୍ଷାବର୍ଷର ବାର୍ଷିକ ବିବରଣୀ ପାଠ କରିବାସହ କାର୍ଯ୍ୟକାରିଣୀ ଭଙ୍ଗ କରିଥିଲେ । ସାରା ଓଡିଶାର ବିଭିନ୍ନ ନଗରରୁ ଆସିଥିବା ନିର୍ବାଚନ ପ୍ରସ୍ତାବକୁ ଆଧାରକରି ନିର୍ବାଚନ ଅଧିକାରୀ ତଥା ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ନୂତନ ଶିକ୍ଷାବର୍ଷ ୨୦୨୦-୨୧ ପାଇଁ ରାଜ୍ୟ ସଭାପତି ଭାବେ ଅଧ୍ୟାପକ ଭାଗିରଥୀ ପୃଷ୍ଟି ଏବଂ ରାଜ୍ୟ ସମ୍ପାଦକ ଭାବେ ଶଶିକାନ୍ତ ମିଶ୍ରଙ୍କ ନାମ ଘୋଷଣା କରିବାସହ ଦାୟୀତ୍ୱ ପ୍ରଦାନ କରିଥିଲେ ।

ଏହି ଅଧିବେଶନରେ ରାଜ୍ୟର ଶିକ୍ଷା ସ୍ଥିତିି ଏବଂ ସାମାଜିକ ସ୍ଥିତକୁ ନେଇ ଦୁଇଟି ପ୍ରସ୍ତାବ ପାରିତ ହୋଇଥିଲା । ଶିକ୍ଷା ସ୍ଥିତିରେ ସୁଲଭ ଓ ଗୁଣବତାପୂର୍ଣ୍ଣ ଶିକ୍ଷା ବିଦ୍ୟାର୍ଥୀ ମାନଙ୍କର ଅଧିକାର । ପରିଷଦର ଲମ୍ବା ସମୟର ଦାବୀ କଲେଜ ପରିଚାଳନା ସଭାପତି ଭାବରେ ସ୍ଥାନୀୟ ବିଧାୟକଙ୍କ ପରିବର୍ତେ ଶିକ୍ଷାବିତ୍‌ଙ୍କୁ ନିଯୁକ୍ତ କରିବା ଓ କଲେଜ ଜମିକୁ କଲେଜ ନାମରେ ପଞ୍ଜିକରଣ କରିବା ଆଦି ପ୍ରସଙ୍ଗକୁ କାର୍ଯ୍ୟକାରି କରିବାକୁ ଘୋଷଣା କରିଥିବାରୁ ପରିଷଦ ଏହାକୁ ସ୍ୱାଗତ କରିଥିଲା ।

ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଖାଲି ପଡିଥିବା ବହୁସଂଖ୍ୟକ ଅଧ୍ୟାପକ ଓ ଅଣଅଧ୍ୟାପକ ପଦବୀ ପୂରଣ କରିବାକୁ ପରିଷଦ ଦାବୀ କରିଥିଲା । ଆବଶ୍ୟକ ପରିମାଣରେ ଭିତିଭୁମି, ଗବେଶଣାଗାର ଓ ପାଠାଗାରର ଅଭାବ ଯୋଗୁଁ ଗୁଣାତ୍ମକ ଶିକ୍ଷାର ମାନ ହ୍ରାସ ପାଉଥିବା ଓ ନେଟ ପରୀକ୍ଷାରେ ଉତୀର୍ଣ୍ଣ ହେଉଥିବା ବିଦ୍ୟାର୍ଥୀ ମାନେ ଗବେଷଣା ପାଇଁ ଗାଇଡ ପାଇପାରୁନଥିବା ବିଷୟକୁ ପରିଷଦ ଗଭୀରତାର ସହ ବିଚାର କରୁଛି ।

ଏହା ସହିତ ପରିଷଦର ଏହି ୪୪ତମ ରାଜ୍ୟ ଅଧିବେଶନ ଗୁଣବତାପୂର୍ଣ୍ଣ ଶିକ୍ଷା ପାଇଁ ପ୍ରବେଶ- ପରୀକ୍ଷା- ପରିଣାମ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ସରକାରଙ୍କ ନିକଟରେ ଦାବୀ କରୁଛି । ରାଜ୍ୟର ସାମାଜିକ ସ୍ଥିତି ସୁରକ୍ଷିତ ଓଡିଶା ସମୃଦ୍ଧ ଓଡିଶା ଶୀର୍ଷକ ପ୍ରସ୍ତାବରେ ରାଜ୍ୟରେ ପ୍ରତିଦିନ ବଢିଚାଲିଥିବା ମହିଳା ହିଂସାକୁ ନେଇ ଚିନ୍ତା ପ୍ରକଟ କରାଯିବା ସହ ଏକ ମହିଳା ସୁରକ୍ଷା ଦିଗରେ ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲା ।

ଉପକୂଳ ଜିଲ୍ଲାମାନଙ୍କରେ ବଢିଚାଲିଥିବା ବାଂଲାଦେଶୀଙ୍କ ବେଆଇନ୍ ଅନୁପ୍ରବେଶ ଓ ଏହି ଅନୁପ୍ରବେଶକାରୀମାନଙ୍କ ଦ୍ୱାରା ରାଜ୍ୟରେ ବଢିଚାଲିଥିବା ନିଶାକାରବାର, ନାରୀ ନିର୍ଯ୍ୟାତନା ଓ ବେଆଇନ୍‌ ଗୋଚାଲାଣ ରୋକିବାକୁ ଆଇନ୍ କଡାକଡିି କରନ୍ତୁ ବୋଲି ଦାବି କରିଥିଲା ।

ଖଣିଜ ସମ୍ପଦରେ ପରିପୂର୍ଣ୍ଣ ତଥା ୪୫୦ କିଲୋମିଟରରୁ ଉର୍ଦ୍ଧ୍ୱ ସୁଦୀର୍ଘ ବେଳାଭୂମି ଓ ବହୁ କୁଟୀର ଶିଳ୍ପ, ହସ୍ତଶିଳ୍ପ, ପର୍ଯ୍ୟଟନର ଅମାପ ସମ୍ଭାବନା ଥିବା ପରିବର୍ତେ ରାଜ୍ୟ ସରକାରଙ୍କ ଉପଯୁକ୍ତ ନୀତି ଓ ମାନସିକତାର ଅଭାବ ଯୋଗୁଁ ରାଜ୍ୟର ଯୁବସମାଜ ବେକାରୀ ସମସ୍ୟାରେ ପୀଡିତ ଥିବା ବିଷୟକୁ ପରିଷଦ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧି ଆଳରେ ଲକ୍ଷ୍ୟ ଲକ୍ଷ୍ୟ ଯୁବ ସମାଜ ପଥଭ୍ରଷ୍ଟ ହେବା ସହ ବହୁ ଅନୈତିକ ତଥା ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ହେଉଥିବା ଓ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ନିଶାଗ୍ରସ୍ତ ହେବା ଫଳରେ ପାରିବାରିକ ବ୍ୟନସ୍ଥା ବିଶୃଙ୍ଖଳିତ ହେଉଥିବାରୁ ରାଜ୍ୟରେ ତୁରନ୍ତ ମଦ ଓ ମାଦକ ଦ୍ରବ୍ୟ ନିଷେଧ କରିବାକୁ ଦାବି କରିଥିଲା ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ରାଜ୍ୟ ସହସମ୍ପାଦକ ସଙ୍ଗିତା ପଣ୍ଡା, କବିତା କହଁର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ, ଭୁବନେଶ୍ୱର ମହାନଗର ସମ୍ପାଦକ ସମ୍ବିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.