Odisha Link
Bridging the Missing Links in Odisha

ଜାତୀୟସ୍ତରୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର : ଭୁବନେଶ୍ୱର ରେ ‘ବଡ଼ବାଗ ଶାଢୀ ଦିବସ’ ରୂପେ ପାଳନ କରାଗଲା । ଜଗତ୍‌ସିଂହପୁର ଜିଲ୍ଲାର ବଡ଼ବାଗ ଅଂଚଳରେ ସରୁ ସିଙ୍ଗଲ୍ ସୁତାରେ ଏହି ଶାଢୀ ପ୍ରସ୍ତୁତ କରାଯାଏ, ଯାହାର ଦେହ ଓ ଆଂଚଲ୍‌ରେ ସ୍ୱତବ ପ୍ରକାର ବୁଟି ପକାଯାଇଥାଏ ।

ଏହି ଶାଢୀ ବଡ଼ବାଗ ଅଂଚଳରେ ପ୍ରସ୍ତୁତ ହେଉଥିବାରୁ ଏହା ବଡ଼ବାଗ ଶାଢୀ ନାମରେ ବେଶ ଆଦର ଲାଭ କରିଛି । ବଡ଼ବାଗ ଅଂଚଳର ବୁଣାକାରମାନେ ସରୁ ସିଙ୍ଗଲ୍ ସୁତାରେ ଶାଢୀ ପ୍ରସ୍ତୁତ କରନ୍ତି, ଯାହାକି ଅନ୍ୟ ଅଂଚଳର ଶାଢୀଠାରୁ ହାଲୁକା, ଶସ୍ତ, ସୁନ୍ଦର ତଥା ଆରାମ୍‌ଦାୟକ ।

ବଳାସୁତା ଠାରୁ ସରୁ ସିଙ୍ଗଲ୍ ସୁତାରେ କାମ କରିବା କଷ୍ଟସାଧ୍ୟ ହୋଇଥିବାରୁ ରାଜ୍ୟର ଅନ୍ୟ ଅଂଚଲରେ ସରୁସୁତାରେ ବସ୍ତ୍ର ବୁଣା ବନ୍ଦ ହୋଇଯିବା ସ୍ଥଳେ ଅଦ୍ୟାବଧି ବଡ଼ବାଗ ଅଂଚଳରେ ବୁଣାକାରମାନେ ଏହି ବସ୍ତ୍ର ବୟନକୁ ବଂଚାଇ ରଖିଛନ୍ତି । ବର୍ତମାନ ବୁଟି ସହ ଧଡି ଓ ମୁହଁରେ ବାନ୍ଧ ସୁତାପକାଯାଇ ଶାଢୀର ସୁନ୍ଦରତାକୁ ବୃଦ୍ଧି କରାଯାଉଅଛି ।

ଶାଢୀର ରଙ୍ଗ ମଧ୍ୟ ହାଲକା ହୋଇଥିବାରୁ ଗ୍ରାହକମାନଙ୍କୁ ବେଶ ଆକୃଷ୍ଟ କରିଥାଏ । କର୍ମଜିବୀ ମହିଳା, ଶିକ୍ଷୟତ୍ରୀ ଓ ଯୁବପିଢିର ଯୁବତୀମାନେ ଏହି ଶାଢୀ ପିନ୍ଧିବାକୁ ଭଲପାଆନ୍ତି । ଏହାପରେ ଏହି ମଂଚରେ ‘ବିଶ୍ୱନାଥ ସଂଗୀତାଳୟ’ ଦ୍ୱାରା ନୃତ୍ୟଗୀତ ର ଆୟୋଜନ କରାଯାଇଥିଲା । ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ମନୋଜ କୁମାର ଦାସ ଓ ଦେବ ଦାସଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା ।

ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଯୁଗ୍ମ ଭାବେ ଉଦ୍‌ଘାଟନ କରିଥିଲେ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାତ୍ର, ଉପ-ନିର୍ଦ୍ଦେଶକ, ବୁଣାକାର ସେବା କେନ୍ଦ୍ର, ଭୁବନେଶ୍ୱର ଓ ବୟନିକାର ପରିଚାଳନା ପରିଷଦର ସଦସ୍ୟା, ଅମ୍ବିକା ମେହେର । ଅତିଥିମାନେ ଏହି ମଂଚରେ ‘ବ୍ରହ୍ମପୁରୀପାଟ ଶାଢୀ’ ବୟନ କାର୍ଯ୍ୟରେ ଲିପ୍ତ ଥିବା ଦୁଇଜଣ ବୁଣାକାର ଯଥା; ୱାଇ ଭିମା ଏବଂ ବି.ବାଲାରାଜୁ ଙ୍କୁ ବୟନିକା ତରଫରୁ ‘ବୟନ ସମ୍ମାନ’ ରେ ସମ୍ମାନୀତ କରିଥିଲେ ।

ପାତ୍ର ବୟନିକାର ଏହି ଆୟୋଜନ ପାଇଁ ବୟନିକାର ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ସହ ସେ ମତପ୍ରକାଶ କରିଥିଲେ ଯେ ବୁଣାକାରମାନେ ଶାଢୀ ବୁଣିବା ସହ ଏହାର ବାଣିଜ୍ୟିକ ଦୃଷ୍ଟିକୋଣକୁ ନଜରରେ ରଖିବା ଦରକାର, ଯାହାଦ୍ୱାରା ସେମାନେ ଅଧିକା ବ୍ୟବସାୟ କରି ନିଜ ଉପାର୍ଜନକୁ ବଢାଇ ପାରିବେ ।

ତାପରେ ପ୍ରଜ୍ଞା ନୃତ୍ୟାୟନ ଗ୍ରୁପ୍‌ଙ୍କ ଦ୍ୱାରା ଓଡ଼ିଶି ଓ ମର୍ଡନ୍ ଡ୍ୟାନ୍ସ ପରିବେଷଣ କରାଯାଇଥିଲା । ଏହା ପରେ ଓଡ଼ିଶାର ଅମର କଳାକାର ସ୍ୱର୍ଗତ ଶ୍ରୀ ଅକ୍ଷୟ ମହାନ୍ତି ଙ୍କ ସୁପୁତ୍ର ଚିତ୍ରଭାନୁ ମହାନ୍ତି ଙ୍କ ଦ୍ୱାରା ‘ଅକ୍ଷୟ ସଂଧ୍ୟା’ ର ଆୟୋଜନ କରାଯାଇଥିଲା, ଯାହା ଦର୍ଶକଙ୍କୁ ବିମୋହିତ କରିଥିଲା ।

ଆଗାମୀ କାଲି ଏହି ମଂଚରେ ପୁଷ୍ପିତା ଏବଂ ସାଥୀ ମାନଙ୍କ ଦ୍ୱାରା ଓଡ଼ିଶି ନୃତ୍ୟ ଓ ତା ପରେ ନୂପୂର ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ସଂଗୀତ ଏବଂ ନୃତ୍ୟ ସଂଧ୍ୟାର ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଅଛି ।

ପ୍ରକାଶଥାଉକି, ଜାତୀୟସ୍ତରୀୟ ହସ୍ତତନ୍ତ ମେଳାର ପ୍ରତ୍ୟେକ ଦିନ ସଂଧ୍ୟାର ଏହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଓ ସୁଚାରୁଭାବେ ପରିଚାଳନା କରୁଛନ୍ତି ଶ୍ରୀଯୁକ୍ତ ଜେନାମଣୀ ସଞ୍ଜୀବ କୁମାର, ଯିଏ ଓଡ଼ିଶା କଲ୍‌ଚରାଲ ସର୍କଲ ର ଉପ-ଚେୟାରମ୍ୟାନ୍ ଓ ‘ଆମେ ଓଡ଼ିଆ’ ର ଯୁଗ୍ମ ସମ୍ପାଦକଭାବେ ଅତି ପରିଚିତ ।

Comments are closed.