Odisha Link
Bridging the Missing Links in Odisha

କାଲିଠୁ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର: କାଲିଠାରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ପିଲାମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ। ଏଇଟା ସେମାନଙ୍କ ଛାତ୍ର ଜୀବନର ପ୍ରଥମ ବଡ଼ ପରୀକ୍ଷା। ଏହାପରେ ଅନେକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ସେମାନେ ସାମ୍ନା କରିବେ। ପିଲାମ‌ାନେ ଭୟ ନ କରି ନିଶ୍ଚିନ୍ତ ହୋଇ ପରୀକ୍ଷା ଦିଅନ୍ତୁ।

ଚଳିତବର୍ଷ ୨୮୮୮ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୬୦୫ ଜଣ ମାଟ୍ରିକ୍‌ ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ଓ କପି ରୋକିବା ପାଇଁ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇଂ ସ୍କ୍ଵାଡ୍‌ ଓ ପରିଷଦସ୍ତରରେ ୪୪ଟି ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠନ କରାଯାଇଛି। ଉତ୍ତେଜନା ପ୍ରବଣ କେନ୍ଦ୍ର ଭାବେ ଚିହ୍ନଟ ହୋଇଥିବା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ସ୍କୁଲମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପିଲାମାନଙ୍କୁ ଭୟ ନକରି ନିଶ୍ଚିନ୍ତରେ ପରୀକ୍ଷା ଦେବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ମାଟ୍ରିକ୍‌ ପରୀକ୍ଷା ପାଇଁ ଗୋଟିଏ ରାତି ବାକି ଥିବା ବେଳେ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ପାଇଁ ଶେଷ ପ୍ରସ୍ତୁତି କରୁଛନ୍ତି। ଗତକାଲି ଓଡ଼ିଆ ପରୀକ୍ଷା ଥିବା ବେଳେ ଫେବୃଆରୀ ୨୨ (ଶନିବାର)ରେ ଇଂରାଜୀ, ଫେବୃଆରୀ ୨୪ (ସୋମବାର)ରେ ସଂସ୍କୃତ/ହିନ୍ଦୀ, ଫେବୃଆରୀ ୨୬ (ବୁଧବାର)ରେ ଗଣିତ, ଫେବୃଆରୀ ୨୮ (ଶୁକ୍ରବାର)ରେ ସାଧାରଣ ବିଜ୍ଞାନ ଓ ମାର୍ଚ୍ଚ ୨ (ସୋମବାର)ରେ ସାମାଜିକ ବିଜ୍ଞାନ ପରୀକ୍ଷା ରହିଛି। ମାର୍ଚ୍ଚ ୧୮ରୁ ଏପ୍ରିଲ ୧୦ମଧ୍ୟରେ ଉତ୍ତର ଖାତା ମୂଲ୍ୟାୟନ କରାଯିବ।

Comments are closed.