Odisha Link
Bridging the Missing Links in Odisha

AIIMSର ଦାଦାଗିରି, ଭୁବନେଶ୍ବରରେ ହିନ୍ଦୀ ବାଧ୍ୟତାମୂଳକ

ଭୁବନେଶ୍ବର: ଆଜି ସାରା ବିଶ୍ବରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହେଉଥିବା ବେଳେ ଭୁବନେଶ୍ବର ସ୍ଥିତ ସର୍ବଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ(AIIMS)ର ଭାଷା ବିଦ୍ବେଷ ସାମନାକୁ ଆସିଛି। ଡାକ୍ତରଖାନା ପରିସରରେ ସମସ୍ତ ସରକାରୀ କାର୍ଯ୍ୟ ହିନ୍ଦୀରେ କରିବା ଲାଗି କର୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ପଞ୍ଜୀକରଣ ଓ ଭାଗବିନିମୟ ସହ ଦସ୍ତଖତ ମଧ୍ୟ ହିନ୍ଦୀରେ କରିବା ଲାଗି ଏମ୍ସ କର୍ତୃପକ୍ଷ ଏହାର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଆ ଭଳି ଏକ ଶାସ୍ତ୍ରୀୟ ଭାଷା ପ୍ରତି ଏହା ଅପମାନ ଓ ଏଠାରେ କାର୍ଯ୍ୟ କରୁଥିବା ଓଡ଼ିଆ କର୍ମଚାରୀଙ୍କ ପ୍ରତି ଚରମ ବୈମାତ୍ୟକ ମନୋଭାବ ବୋଲି ନାମ ଗୋପନ ରଖିବା ସର୍ତ୍ତରେ କିଛି କର୍ମଚାରୀ ଅଭିଯୋଗ ବାଢ଼ିଛନ୍ତି।

ଫେବ୍ରୁଆରୀ ୨୦ ତାରିଖରେ ଏମ୍ସର ଡେପୁଟି ଡାଇରେକ୍ଟର (ଆଡମିନ୍) ପିକେ ରାୟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ନିମ୍ନଲିଖିତ ୮ଟି କାର୍ଯ୍ୟ ପାଇଁ ଏମ୍ସର କର୍ମଚାରୀମାନେ କେବଳ ହିନ୍ଦୀ ଭାଷା ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି।

  1. ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବେ
  2. ସମସ୍ତ ନଥିରେ ନାମ ଓ ବିଷୟ ହିନ୍ଦୀରେ ଲେଖିବେ
  3. ପଞ୍ଜୀକରଣ ଖାତାରେ ନାମ ଓ ଉପବିଭାଗ ସବୁ ହିନ୍ଦୀରେ ଲେଖାଯିବା ସହ ସମସ୍ତ ନାମାଙ୍କନ (entries) ହିନ୍ଦୀରେ କରାଯିବ
  4. ଅତି କମ୍‌ରେ ୩୦% ନୋଟିଂ ଓ ଡ୍ରାଫ୍ଟିଂ ହିନ୍ଦୀରେ କରାଯିବ
  5. ଅତି କମରେ ୫୫% ଯୋଗାଯୋଗ (correspondence) ହିନ୍ଦୀରେ ହେବ
  6. କାର୍ଯ୍ୟାଳୟରେ ବ୍ୟବହୃତ ସମସ୍ତ ଦ୍ବିଭାଷୀ ଫାରମ୍‌ ହିନ୍ଦୀରେ ନାମାଙ୍କିତ ହେବ
  7. ସବୁ ଚିଠିର ଉତ୍ତର ହିନ୍ଦୀରେ ଲେଖାଯିବ
  8. ସମସ୍ତ ପ୍ରଶାସନିକ ମିଟିଂରେ ଆଲୋଚନା ହିନ୍ଦୀରେ କରାଯାଇପାରେ ଏବଂ ମିଟିଂର କାର୍ଯ୍ୟସୂଚୀ (minutes) ଯଥା ସମ୍ଭବ ହିନ୍ଦୀରେ କରାଯିବ

ଏହି ନିର୍ଦ୍ଦେଶ ତୁରନ୍ତ ପାଳନ କରିବାକୁ ଚିଠିରେ ଲେଖାଯାଇଛି। ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇଥିବା ବେଳେ ଦେଶର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ରାଜ୍ୟରେ ଶାସନ ଓଡ଼ିଆ ଭାଷାରେ କରାଯିିବାକୁ ଆଇନ ହୋଇଥିବା ବେଳେ କେନ୍ଦ୍ରୀୟ ସଂସ୍ଥାର ଏତାଦୃଶ ଭାଷାବିରୋଧୀ ଓ ହିନ୍ଦୀକରଣ ପ୍ରୟାସ ବୁଦ୍ଧିଜୀବୀ ତଥା ଭାଷାପ୍ରେମୀ ମହଲରେ ଅସନ୍ତୋଷ ବୃଦ୍ଧିକରିଛି।

Comments are closed.