Odisha Link
Bridging the Missing Links in Odisha

‘ରାଜଧର୍ମ’ ରାଜନୀତି: କପିଲ ଶିବଲ କହିଲେ, ବାଜେପୟୀଙ୍କୁ ମାନିନ ଆମ କଥା କେମିତି ମାନିବ

ନୂଆଦିଲ୍ଲୀ: ‘ରାଜଧର୍ମ’ ଶବ୍ଦକୁ ନେଇ ଏବେ ବିତର୍କ। କାରଣ ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ମୋଦି ସରକାର ରାଜଧର୍ମ ପାଳନ କରିବା ଦରକାର। କଂଗ୍ରେସ ରାଷ୍ଟ୍ରପତିଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଏଭଳି ପରାମର୍ଶ ଦେଇଥିଲା। ଏହାକୁ ନେଇ ଏବେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।

ଗତକାଲି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରାଜଧର୍ମ ନାମରେ କଂଗ୍ରେସ କିଭଳି ଲୋକଙ୍କୁ ଉସକାଉଛି ସେ ବାବଦରେ କହିଥିଲେ। ଏବେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ଶିବଲ ବିଜେପି ଉପରେ ପାଲଟା ପ୍ରଶ୍ନ କରିଛନ୍ତି।

କପିଲ ଶିବଲ ଶନିବାର ଟୁଇଟ୍ କରି ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ କହିଛନ୍ତି, ‘ଦୟାକରି ଆମକୁ ରାଜଧର୍ମ ପାଳନ କରିବା କଥା ଶିଖାନ୍ତୁନି। ଆବଶ୍ୟକ ପଡ଼ିଲେ ଆମେ ରାଜଧର୍ମ ଆପଣଙ୍କୁ ଶିଖାଇ ପାରିବୁ। ଗୁଜରାଟ ଦଙ୍ଗା ବେଳେ ଆପଣମାନେ ବାଜପେୟୀଙ୍କ ରାଜଧର୍ମ କଥା ଶୁଣିନଥିଲେ। ତେଣୁ ଆପଣମାନେ ଆମ କଥା କାହିଁକି ଶୁଣିବେ। ଶୁଣିବା, ଶିଖିବା ଏବଂ ରାଜଧର୍ମ ପାଳନ କରିବା ଆପଣଙ୍କ ସରକାରର ଉଦ୍ଦେଶ୍ୟ ନୁହେଁ’।

ଅପରପକ୍ଷେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ତଥା ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ଆମକୁ ରାଜଧର୍ମ ମନ୍ତବ୍ୟ ପାଳନ ପାଇଁ ଚେତାବନୀ ଦେବା ପୂର୍ବରୁ ସୋନିଆ ଗାନ୍ଧୀ ନିଜ ମନ୍ତବ୍ୟ ଉପରେ ଧ୍ୟାନ ଦିଅନ୍ତୁ ବୋଲି ଆଜି ଆଇନ୍ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୨ରେ ଗୁଜରାଟ ଦଙ୍ଗା ହୋଇଥିଲା। ସେତେବେଳେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦଙ୍ଗାକୁ ନିୟନ୍ତ୍ରଣ କରିବାକୁ ଯାଇ ରାଜଧର୍ମ ପାଳନ କରିବାକୁ ଗୁଜରାଟ ସରକାରକୁ କହିଥିଲେ ବାଜପେୟୀ। ବାଜପେୟୀଙ୍କ ଏହି କଥାକୁ ଉଦ୍ଧାର କରି ଏବେ କପିଲ ଶିବଲ ମୋଦୀ ସରକାରକୁ ଘେରିଛନ୍ତି।

Comments are closed.