Odisha Link
Bridging the Missing Links in Odisha

ଆସନ୍ତାକାଲି ଟି-୨୦ ବିଶ୍ବକପ୍‌ ଫାଇନାଲ୍: ଅଷ୍ଟ୍ରେଲିଆରେ ପହଞ୍ଚିଲେ ହରମନପ୍ରୀତଙ୍କ ପରିବାର

ମେଲବର୍ଣ୍ଣ: ଆସନ୍ତକାଲି ମେଲବର୍ଣ୍ଣରେ ଖେଳାଯିବ ଆଇସିସି ମହିଳା ଟି-୨୦ ବିଶ୍ବକପ୍‌ ଫାଇନାଲ। ପ୍ରଥମଥର ଲାଗି ମହିଳା ଟି-୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି ଭାରତ। ଫାଇନାଲରେ ଭାରତର ସାମ୍ନା ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ସହ ହେବ। ଏଥିପାଇଁ ଦୁଇ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି।

ଏଭଳି ଏକ ବିଶେଷ ମୁହୂର୍ତ୍ତର ପ୍ରତ୍ୟକ୍ଷଦର୍ଶୀ ହେବେ ଭାରତର ଅଧିନାୟକ ହରମନପ୍ରୀତ କୌରଙ୍କ ମାତା-ପିତା। ହରମନପ୍ରୀତଙ୍କ ମାତା-ପିତା ଫାଇନାଲ୍ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି ଏବଂ ଷ୍ଟାଡିୟମରେ ପ୍ରଥମଥର ନିଜ ଝିଅକୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ପାଇବେ। ଏ ନେଇ ଖୋଦ୍ ହରମନପ୍ରୀତ ସୂଚନା ଦେଇଛନ୍ତି।

ହରମନପ୍ରୀତ କହିଛନ୍ତି, ମୋ ମାତା-ପିତା ଏଠାରେ ଅଛନ୍ତି ଏବଂ ସେମାନେ ଗୁରୁବାର ମ୍ୟାଚ୍ ମଧ୍ୟ ଦେଖିକାକୁ ଚାହୁଁଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଦେଖିପାରିଲେ ନାହିଁ। ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି, ସେତେବେଳେ ମୋ ବାପା ମୋତେ କ୍ରିକେଟ୍ ଖେଳୁଥିବାର ଦେଖିଥିଲେ। ମୋ ମା’ ମୋତେ କେବେବି କ୍ରିକେଟ୍ ଖେଳୁଥିବାର ଦେଖିନାହାନ୍ତି। କିନ୍ତୁ ମୁଁ ଚାହୁଁଥିଲି ଯେ ସେ ମୋତେ କ୍ରିକେଟ୍ ଖେଳୁଥିବାର ଦେଖନ୍ତୁ ଏବଂ ଆଜି ସେହି ସୌଭାଗ୍ୟ ମୋତେ ମିଳିଛି।

ସେହିପରି ହରମନପ୍ରୀତ ଫାଇନାଲ୍ ମ୍ୟାଚକୁ ନେଇ କହିଛନ୍ତି, ଫାଇନାଲରେ ପହଞ୍ଚିବା ନେଇ ଆମେ ଆଶାବାଦୀ ଥିଲୁ। କାରଣ ଟିମର ସବୁ ଖେଳାଳିଙ୍କ ମନୋବଳ ଊର୍ଦ୍ଧ୍ୱରେ ଥିଲା। ଫାଇନାଲରେ ଆମେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବୁ। ଯଦି ଆମେ ଏଠାରେ ବିଜେତା ହେଲୁ, ତାହେଲେ ଆମକୁ ନିଶ୍ଚିତ ଭାବେ ସମ୍ମାନ ମିଳି ଏବଂ ସ୍ୱଦେଶରେ ମଧ୍ୟ ଭରପୂର ଭଲପାଇବା ମିଳିବ ବୋଲି କୌର୍ କହିଛନ୍ତି।

Comments are closed.