Odisha Link
Bridging the Missing Links in Odisha

୩ୟ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର: ସମ୍ମାନିତ ହେଲେ ୧୦ ଲେଖକ

ଭୁବନେଶ୍ବର: ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ହୋଇଛି ‘ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ ୨୦୧୯’ । ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ଏହି ପୁରସ୍କାରର ତୃତୀୟ ସଂସ୍କରଣରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କଥାଶିଳ୍ପୀ ଓ ଶିଶୁ ସାହିତ୍ୟିକ ପ୍ରଫେସର ଦାଶ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କବି ଓ ଆଲୋଚିକା ଅପର୍ଣ୍ଣା ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥଇବା ବେଳେ ଲେଖିକା, ଶିକ୍ଷାବିତ୍ ତଥା ବନ୍ୟପ୍ରାଣୀ ଫଟୋଗ୍ରାଫର ପଞ୍ଚମୀ ମାନୁ ଉକିଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କଥାଶିଳ୍ପୀ ଓ ସାମ୍ବାଦିକ ତଥା ଓଡିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସମାରୋହରେ ସଭାପତିତ୍ବ କରିଥିଲେ।

ଏ ଅବସରରେ ୪୦ ବର୍ଷରୁ କମ ବୟସର ମୋଟ ୧୦ ଜଣ ଯୁବ ଲେଖକଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କୃତ ଯୁବ ପ୍ରତିଭାଙ୍କ ମଧ୍ୟ୍ୟରେ ୭ ଜଣ ଓଡ଼ିଆ ଲେଖକ ଥିବା ବେଳେ ଜଣେ ହିନ୍ଦୀ ଓ ୨ ଜଣ ଇଂରାଜୀରେ ଲେଖାଲେଖି କରୁଥିବା ଯୁବ ଲେଖକ ଅଛନ୍ତି। ଓଡ଼ିଆ ପାଣ୍ଡୁଲିପି ପାଇଁ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୯ ପାଉଥିବା ୭ ଜଣ ପ୍ରତିଭା ହେଲେ ଫିଚର ପାଣ୍ଡୁଲିପି ‘ରଜାଘର କଥା’ ପାଇଁ ହରିହର ପଣ୍ଡା, ଉପନ୍ୟାସ ‘ମହାସତୀ’ ପାଇଁ କୃପାସିନ୍ଧୁ ପ୍ରଧାନ, ‘ସବୁ ରାତି ତୁମ ପାଇଁ’ କବିତା ପାଣ୍ଡୁଲିପି ନିମନ୍ତେ କ୍ଷୀରୋଦିନୀ ବେହେରା, ଗୀତିକବିତା ସଂକଳନ ‘କେବେ ଶହେ କେବେ ଶୂନ’ ପାଇଁ ସୁବ୍ରତ ସ୍ବାଇଁ, କବିତା ପାଣ୍ଡୁଲିପି ‘ଅନ୍ଧାରର ଆରାଧନା’ ପାଇଁ ସ୍ବରୂପ କୁମାର ନାୟକ, କବିତା ପାଣ୍ଡୁଲିପି ‘ମୁକ୍ତି ଅଭିଷିକା’ ପାଇଁ ଦଶରଥ ହେମ୍ବ୍ରମ ଓ କବିତା ପାଣ୍ଡୁଲିପି ‘କାଶତଣ୍ଡି’ ପାଇଁ ଲୋକନାଥ ସାହୁ। ଅନୁରୂପ ଭାବେ ହିନ୍ଦୀ କବିତା ପାଣ୍ଡୁଲିପି ‘ରାବ୍‌ତା’ ନିମନ୍ତେ ଗାୟତ୍ରୀ ମାଭୁରୁ, ଇଂରାଜୀ ଉପନ୍ୟାସ ‘ଦୋଜ୍‌ କ୍ରେଜି ସେଭେନ୍‌ ଇଅର୍ସ’ ପାଇଁ ଶୁଭ୍ରାଂଶୁ ଶେଖର ଓଝା ଓ ଇଂରାଜୀ କବିତା ପାଣ୍ଡୁଲିପି ‘ଦ ଅକ୍ଟାହେଡ୍ରାଲ୍‌ ଭର୍ସେସ୍’ ପାଇଁ ଅଭିଷେକ ପାଣିଙ୍କୁ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି।

ଉତ୍ସବରେ ନିଜର ବକ୍ତବ୍ୟ ରଖି ମୁଖ୍ୟଅତିଥି ଶ୍ରୀ ଦାଶ ବେନହୁର କହିଲେ ଯେ ପ୍ରକୃତି ଉପରେ ମଣିଷର ଅତ୍ୟାଚାର ବଢ଼ିବଢ଼ି ଚାଲିଥିବାରୁ ମାନବ ସମାଜକୁ ନାନାଦି ବିପଦ ଗ୍ରାସ କରୁଛି। ଆଜି ବିଶ୍ବ ବ୍ୟାପୀ ନାରୀ ଦିବସ ପାଳନ ହେଉଥିବା ବେଳେ ପ୍ରକୃତି ଆମର ସବୁଠୁ ବଡ଼ ମା’ ବୋଲି ସେ କହିଥିଲେ। ସେଇ ମା’ର ସୁରକ୍ଷା ପାଇଁ କଲମ ଚାଳନା କରିବାକୁ ଶ୍ରୀ ବେନହୁର ଆହ୍ବାନ ଦେଇଥିଲେ। ଗୋଟିଏ ଗୋଟିଏ ବହି ବିଶ୍ବରେ ପରିବର୍ତ୍ତନ ଆଣିଛି। ଯୁବ ପିଢ଼ିର ସୃଜନରେ ସେ ସମ୍ଭାବନା ରହଛି ବୋଲି ଆଶାବ୍ୟକ୍ତ କରିଥିଲେ ଶ୍ରୀ ବେନହୁର।

ଅନୁରୂପ ଭାବେ ସାହିତ୍ୟ କେବଳ କଳ୍ପନାବିଳାଶ ନୁହେଁ ବୋଲି କହିଥିଲେ ମୁଖ୍ୟବକ୍ତା ଅପର୍ଣ୍ଣା ମହାନ୍ତି। ଯାହା ସତ୍ୟ ତାହା ଯେତେ ଜଟିଳ ହେଲେ ବି ତାକୁ ସାହିତ୍ୟରେ ପରସିବାକୁ ସେ କହିଥିଲେ। ସତ୍ୟ ପରସିବାକୁ ଡରୁଥିବା ଲେଖକ ହୁଏଜ ଜୀବଦ୍ଦଶାରେ ବହୁ ପୁରସ୍କାର ଓ ପ୍ରତିପତ୍ତିର ଅଧିକାରୀ ହୋଇପାରେ, କିନ୍ତୁ ତାକୁ କାଳ ମନେରଖିବନାହିଁ ବୋଲି ସେ ମତ ଦେଇଥିଲେ। ପ୍ରତିଟି ମଣିଷ ଭିତରେ ନାରୀପୁରୁଷ ଉଭୟ ସତ୍ତା ରହିଛି। ନାରୀ ସତ୍ତା ସୃଜନ କରୁଛି ଓ ପୁରୁଷ ସତ୍ତା ଏହାକୁ ସୁରକ୍ଷା ଦେଉଛି ବୋଲି ସେ କହିଥିଲେ।

ସାହିତକୁ ପ୍ରକୃତି ସହ ଯୋଡ଼ିବାର ସମୟ ଆସିଛି ବୋଲି କହିଥିଲେ ସମ୍ମାନିତ ଅତିଥି ପଞ୍ଚମୀ ମାନୁ ଉକିଲ। ପ୍ରକୃତି ହେଉଛି ଇଶ୍ବରଙ୍କ ସବୁଠୁ ବଡ଼ ସୃଜନ। ସାହିତ୍ୟ ମାଧ୍ୟମରେ ହିଁ ପ୍ରକୃତି ପରିପୁଷ୍ଟ ହେବା ସହ ସୁରକ୍ଷିତ ରହିପାରିବ ବୋଲି ସେ ମତ ଦେଇଥିଲେ। ନିଜର ଜେଜେମା’ ପ୍ରସିଦ୍ଧ କବି ନିର୍ମଳା ଦେବୀଙ୍କ ସ୍ମୃତିଚାରଣ କରି ସେ କହିଥିଲେ ଯେ ନିର୍ମଳା ଦେବୀ ପ୍ରେମ, ପ୍ରକୃତି ଓ ପ୍ରାର୍ଥନାକୁ କବିତାର ଆଧାର ଭାବେ ନେଇ କବିତାକୁ ଏକ ନୂଆ ଅର୍ଥ ଦେଇଥିଲେ।

ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ କବି ଅଗ୍ନିବେଶ ମହାପାତ୍ର।

ପୁରସ୍କାର ସମାରୋହ ପରେ ନାରୀ ପ୍ରସଙ୍ଗକୁ ନେଇ ବହୁଭାଷୀ କବିତା ପାଠ ହୋଇଥିଲା। ଅଗ୍ନିବେଶ ମହାପାତ୍ର ଓ ତୁଳୀକା ବିବିଧରଂଗଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ଉତ୍ସବରେ ୨୦ ଜଣ କବି ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ କବିତା ପାଠ କରିଥିଲେ।

ବିଶାଳ ପାଠକ ସମାଜ ଆଗରେ ନୂଆ ଓ ଦକ୍ଷ ଯୁବ ଲେଖକମାନଙ୍କୁ ପରିଚିତ କରାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାରର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ଏଥିପାଇଁ ୨୦୧୭ ମସିହା ଠାରୁ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ଆରମ୍ଭ କରାଯାଇଛି। ୪୦ ବର୍ଷରୁ କମ୍‌ ବୟସର ଭାରତୀୟ (ବିଶେଷ କରି ଓଡ଼ିଶାର) ଲେଖକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପ୍ରଥମ ବର୍ଷ କେବଳ ଓଡ଼ିଆ ଲେଖକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ୨୦୧୮ ମସିହା ଠାରୁ ଏଥିରେ ଇଂରାଜୀ ଓ ହିନ୍ଦୀ ପାଣ୍ଡୁଲିପିକୁ ମଧ୍ୟ ସାମିଲ କରାଯାଇଛି। ୩ୟ ସଂସ୍କରଣର ପୁରସ୍କାର ନିମନ୍ତେ ୨୦୧୯ ବର୍ଷ ଅକ୍ଟୋବର ମାସରେ ପାଣ୍ଡୁଲିପି ଆହ୍ବାନ କରାଯାଇଥିଲା। ନଭେମ୍ବର ଶେଷ ସୁଦ୍ଧା ମିଳିଥିବା ପ୍ରାୟ ୮୦ରୁ ଅଧିକ ପାଣ୍ଡୁଲିପି ମଧ୍ୟରୁ ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ବାରା ଉପରୋକ୍ତ ୧୦ ଜଣ ଲେଖକଙ୍କ ପାଣ୍ଡୁଲିପିକୁ ଚୟନ କରାଯାଇଛି।

ଏହି ସ୍ବତନ୍ତ୍ର ପୁରସ୍କାର ସମାରୋହରେ ଯୁବ ଲେଖକମାନଙ୍କୁ ସମ୍ମାନିତ କରାଯିବା ସହ ପୂର୍ବ ସଂସ୍କରଣରେ ପୁରସ୍କୃତ ହୋଇଥିବା ଲେଖକଙ୍କ ପାଣ୍ଡୁଲିପି ଗୁଡ଼ିକ ପୁସ୍ତକ ଆକାରରେ ପ୍ରକାଶ ପାଇଛି। ସେହିପରି ଚଳିତ ବର୍ଷ ପୁରସ୍କୃତ ପାଣ୍ଡୁଲିପି ସବୁ ପରବର୍ତ୍ତୀ ସମୟରେ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ବହି ଆକାରରେ ପ୍ରକାଶ ପାଇବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଅଗ୍ରଣୀ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରକାଶନ ବିଭାଗ ହେଉଛି ପେନ୍‌ ଇନ୍‌ ବୁକ୍ସ। ଏହି ପୁରସ୍କାର ସମାରୋହ ଭିନ୍ନ ଓଡ଼ିଆ ମିଡିଆ ପକ୍ଷରୁ ବର୍ଷ ବ୍ୟାପୀ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ଆୟୋଜନ କରାଯାଇଥାଏ। ସେସବୁ ମଧ୍ୟରେ ରହିଛି କୋରାପୁଟ ସାହିତ୍ୟ ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ସ୍ବାସ୍ଥ୍ୟ କନକ୍ଲେଭ୍‌ ଓ ଓଡ଼ିଶା ଉତ୍କର୍ଷ ସମ୍ମାନ। ୨୦୦୬ ମସିହାରୁ ପୁସ୍ତକ ପ୍ରକାଶ କରି ଆସୁଥିବା ପେନ୍‌ ଇନ୍‌ ବୁକ୍ସ ୩୦୦ରୁ ଅଧିକ ପ୍ରସିଦ୍ଧ ପୁସ୍ତକ ଛାପିବା ସହ ରାଜ୍ୟର ଏକ ପ୍ରମୁଖ ପ୍ରକାଶନ ସଂସ୍ଥା ଭାବେ ଉଭା ହୋଇଛି। ଏହା ଓଡ଼ିଆ ସମେତ ଇଂରାଜୀ ଓ ହିନ୍ଦୀ ଭାଷାର ପୁସ୍ତକ ମଧ୍ୟ ପ୍ରକାଶ କରିଥାଏ।

Comments are closed.