ପରକୀୟା ପ୍ରୀତିରୁ କରୋନା: ସ୍ତ୍ରୀଙ୍କୁ ଲୁଚାଇ ପ୍ରେମିକା ସହ ଯାଇଥିଲେ ଇତାଲି

ଓଏସ୍ ବ୍ୟୁରୋ: ପରକୀୟା ପ୍ରୀତି ଜଣେ ୩୭ ବର୍ଷୀୟ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଇତାଲିରେ ପ୍ରେମିକା ସହ ବେଶ୍ କିଛି ମନଖୋଲା ମୁହୂର୍ତ୍ତ ଉପଭୋଗ କରି ଘରକୁ ଫେରିବା ପରେ ଯୁବକଙ୍କ ଠାରେ କରୋନା ଭାଇରସ୍ ଠାବ କରାଯାଇଛି। ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଯୁବକ ଜଣକ ଏବେ ଚୋରା ପୀରତି ପାଇ ପଶ୍ଚାତାପ କରୁଛନ୍ତି।
ଘଟଣା ଘଟିଛି ଉତ୍ତର ଇଂଲଣ୍ଡରେ। ଯୁବକ ଜଣକ ବିବାହିତ ଓ ସୁନ୍ଦରୀ ପତ୍ନୀଙ୍କ ସହ ବେଶ୍ ବିଳାସମୟ ପ୍ରାସାଦରେ ରହନ୍ତି। ଏକ କର୍ପୋରେଟ୍ ବ୍ୟବସାୟ ପ୍ରତିଷ୍ଠାନରେ ଉଚ୍ଚ ଦରମାରେ କାର୍ଯ୍ୟ କରନ୍ତି ଯୁବକ। ଗତ ସପ୍ତାହ ଶେଷରେ ଦେଶ ଭିତରେ (ୟୁକେରେ) ବିଜିନେସ୍ ଟ୍ରିପ୍ ଅଛି କହି ଘରୁ ବାହାରିଥିଲେ ଯୁବକ।
ତେବେ ଚାରିଦିନ ପରେ ଘରକୁ ଫେରିବା ପରେ ତାଙ୍କ ଠାରେ ସନ୍ଦେହଜନକ ଶାରିରୀକ ବିଲକ୍ଷଣ ଦେଖା େଦବାରୁ ତୁରନ୍ତ ଡାକ୍ତରୀ ପରାମର୍ଶ କରାଯାଇଥିଲା। ପରୀକ୍ଷଣ ପରେ ସେ କୋଭିଡ୍-୧୯ ଭୂତାଣୁ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ବିଜିନେସ୍ ଟ୍ରିପ୍ରୁ କାହା ସଂସ୍ପର୍ଶରେ ଆସି ଏହି ଭୂତାଣୁ ସଂକ୍ରମଣ ହୋଇଥାଇ ପାରେ ବୋଲି ପତ୍ନୀ ଭାବିଥିଲେ। ତୁରନ୍ତ ସ୍ବାମୀଙ୍କୁ ଡାକ୍ତରଖାନା ପଠାଇ ନିଜେ ଘରେ ସଙ୍ଗରୋଧ (କ୍ବାରାଣ୍ଟିନ୍)ରେ ରହିଲେ।
ତେବେ ଯୁବକଙ୍କ ଭ୍ରମଣ ଇତିହାସ ଜାଣିବା ଲାଗି ଡାକ୍ତର ଉଦ୍ୟମ କରିବା ବେଳେ ଅସଲ କଥା ପଦାକୁ ଆସିଥିଲା। ବିଜିନେସ୍ ଟ୍ରିପ୍ ନୁହେଁ, ବରଂ ସେ ନିଜ ପ୍ରେମିକା ସହ ଇତାଲି ଚାଲିଯାଇଥିଲେ ବୋଲି ସ୍ବୀକାର କରିଥିଲେ ଯୁବକ। ଇତାଲିରେ ଏବେ କରୋନା ବ୍ୟାପକ ହେବାରେ ଲାଗିଥିବା ବେଳେ ଯୁବକ ଜଣକ ନିଜ ପ୍ରେମିକା ସହ ଏକ ଏକାନ୍ତ ହୋଟେଲ କୋଠରୀରେ ହିଁ ରହିଥିଲେ। ସପ୍ତାହାନ୍ତ ଉପଭୋଗ କରିବା ପରେ ଉଭୟେ ଲଣ୍ଡନ ଫେରି ଆସିଥିଲେ।
ଯୁବକଙ୍କ ଠାରେ କରୋନା ଭୂତାଣୁ ମିଳିବା ପରେ ଏବେ ଡାକ୍ତରୀ ଦଳ ପ୍ରେମିକାଙ୍କ ପରିଚୟ ମାଗି ତାଙ୍କ ଠାରେ ଭୂତାଣୁ ସଂକ୍ରମଣ ହୋଇଛି କି ନା ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଯୁବକଙ୍କ ପତ୍ନୀ ଏଯାଏଁ ଏ ପରକୀୟା ପ୍ରୀତି ବାବଦରେ କିଛି ବି ଜାଣିନାହାନ୍ତି।