ପଖାଳ ବାବଦରେ ଏଇ ୧୦ଟି ତଥ୍ୟ ହୁଏତ ଆପଣ ଜାଣିନଥିବେ
ଭୁବନେଶ୍ବର: ଆଜି ମାର୍ଚ୍ଚ ୨୦ ତାରିଖ। ସାରା ବିଶ୍ବରେ ଓଡ଼ିଆମାନେ ପାଳନ କରୁଛନ୍ତି ପଖାଳ ଦିବସ। ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି। ପଖାଳ ସାଙ୍ଗରେ ଭରତା, ଭଜା, ବଡ଼ିଚୁରା, ପାଣିପାଗ, ଆମ୍ବୁଲ, ଦହି, ମାଛଭଜା, ବାଇଗଣ ଚେକା ଭଜା, ଶାଗ ଆଦି ଖିଆଯାଏ। ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ଆଦିରେ ତିଆରି ଚଟଣି ମଧ୍ୟ ପଖାଳ ସାଙ୍ଗକୁ ବେଶ୍ ସାଜେ।
ପଖାଳ ବାବଦରେ ଓଡ଼ିଆ ପାଠକଙ୍କୁ ଅଧିକ ଜ୍ଞାନ ଦେବା ଠିକ୍ ମା’କୁ ମାମୁଘର କଥା କହିବା ଭଳି ହେବ। ଖରାଦିନେ ପଖାଳ ଗଣ୍ଡେ ନାଦିଦେଇ ତୋରାଣି ମୁନ୍ଦେ ଟାଙ୍କିଦେଲେ ଯେଉଁ ସନ୍ତୋଷ ମିଳେ କେବଳ ଖାଇଥିବା ଲୋକ ହିଁ ତାହା ଜାଣେ। ତେବେ ଆଜି ପଖାଳ ଦିବସ ଅବସରରେ ଆମେ ପଖାଳ ସହ ଜଡ଼ିତ ଏମିତି କିଛି ରୋଚକ ତଥ୍ୟ ପରସିବାକୁ ନିଷ୍ପତ୍ତି ନେଇଛୁ ଯାହା ବହୁତ କମ ଲୋକ ଜାଣିଥିବେ।
୧.) ପଖାଳ ଦିବସ: ୨୦୧୧ ମସିହା ଠାରୁ ଆଗ୍ରହୀ ଓଡ଼ିଆ ଓ ଅଣଓଡ଼ିଆ ପଖାଳପ୍ରେମୀ ଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ ଆରମ୍ଭ ହେଲା। ୨୦୧୫ ମସିହାରେ ପଖାଳ ଦିବସ ନେଇ ପ୍ରଥମେ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି। ରାଜ୍ୟ ଓ ରାଜ୍ୟ ବାହାରେ ତାରକା ହୋଟେଲମାନଙ୍କରେ ମଧ୍ୟ ଏହି ଓଡ଼ିଆ ଖାଦ୍ୟ ମେନୁରେ ସାମିଲ ହେଲାଣି।
୨.) ଅନ୍ୟ ରାଜ୍ୟରେ ପଖାଳ: ଏହି ଓଡ଼ିଆ ଖାଦ୍ୟଟି ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କେରଳ ଓ ତାମିଲନାଡ଼ୁ ସମେତ ପଡ଼ୋଶୀ ବାଂଲାଦେଶରେ ମଧ୍ୟ ଲୋକେ ଖାଇଥାଆନ୍ତି। ଆସାମରେ ଏହାକୁ “ପୋଇତା ଭାତ”, ପଶ୍ଚିମ ବଙ୍ଗରେ “ପନ୍ତ ଭାତ”, ଝାଡ଼ଖଣ୍ଡ ଓ ବିହାରରେ “ମାରା ଭାତ”, ଛତିଶଗଡ଼ରେ “ବୋରେ ଭାତ”, ମାଲାୟାଲାମରେ “ବଲ୍ଲୁ ଚୋରୁ” ଓ ତାମିଲନାଡ଼ୁରେ “ବକାଲ ବାତ” ବୋଲି କୁହାଯାଏ। ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟମାନଙ୍କୁ ଛାଡ଼ିଦେଲେ ଅନ୍ୟ କେଉଁଠି ଭାତକୁ ପାଣିରେ ରଖି ବାସୀତୋରାଣି ସହ ଖାଇବାର ପରମ୍ପରା ନାହିଁ।
୩.) ପଖାଳ ପ୍ରକାର: ଓଡ଼ିଶାରେ ପ୍ରାୟ ୧୦ ପ୍ରକାର ପଖାଳ ପ୍ରଚଳିତ। ସେଗୁଡ଼ିକ ହେଲା- ସଜ ପଖାଳ (ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି, ଭୃସଙ୍ଗ ପତ୍ର, ଆମ୍ବକସି ଅଦା, କଞ୍ଚାଲଙ୍କା ଆଦି ମିଶାଇ), ବାସି ପଖାଳ (ଭାତ ପଖାଳିବାର ୧୦-୧୨ ଘଣ୍ଟା ବା ଦିନେ ବା ଏକାଧିକ ଦିନ ପରେ ଖିଆଯାଏ), ଦହି ପଖାଳ (ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୃସଙ୍ଗ ପତ୍ର ଆଦି ଛୁଙ୍କ ଦିଆଯାଏ), ଚାଇଁ ପଖାଳ ବା ଗରମ ପଖାଳ (ସଜ ଭାତରେ ଗରମ ନ ଛାଡ଼ୁଣୁ ପାଣି ମିଶାଇ ତିଆରି କରାଯାଇଥାଏ ଓ ଗରମ ଗରମ ଖିଆଯାଏ, କ୍ଷୀର ବା ଘିଅ ଟିକେ ମିଶିଲେ ଭଲ), ଟଭା ପଖାଳ ବା ଲେମ୍ବୁ ପଖାଳ (ସଜ ପଖାଳରେ ଟଭା ରସ ବା ଲେମ୍ବୁ ରସ ମିଶାଯାଏ), ଅଦା ପଖାଳ (ସଜ ବା ବାସି ପଖାଳରେ ଅଦା ଛେଚା ମିଶାଯାଏ, ଛୁଙ୍କ ମଧ୍ୟ କରାଯାଇ ପାରିବ), ଆମ୍ବ ପଖାଳ (ସଜ ପଖାଳରେ କଞ୍ଚା ଖଟା ଆମ୍ବକୁ ଲଙ୍କାରେ ଛେଚି ପକାଯାଏ), କାକୁଡ଼ି ପଖାଳ (ବାସି ପଖାଳରେ କୋରା କାକୁଡ଼ି ମିଶାଇ), ବଡ଼ି ପଖାଳ (ଚାଇଁ ପଖାଳରେ ଳଙ୍କା ବଡ଼ିଚୁରା ମିଶାଇ), ଧୁଆ ପଖାଳ (ଅତ୍ୟନ୍ତ ଆମ୍ବିଳା ବାସି ପଖାଳକୁ ସଜ ପାଣିରେ ଧୋଇ)।
୪.) ପଖାଳ କାଞ୍ଜି: ବଳକା ବାସି ପଖାଳକୁ ନେଇ କାଞ୍ଜି ତିଆରି କରାଯାଏ। ଭେଣ୍ଡି, ବାଇଗଣ, ମୂଳା ଆଦି ସହ ଭୃସୁଙ୍ଗା ପତ୍ର ଓ ଫୁଟଣ ଛୁଙ୍କ ଦେଇ ଏହି ଖରାଦିନିଆ ଖାଦ୍ୟ/ପାନୀୟ ତିଆରି କରାଯାଏ। ଏହାକୁ ସୁପ୍ ପରି ଖାଇ ହେବ ବା ଭାତ ସାଙ୍ଗରେ ଏକ ସହଖାଦ୍ୟ ଭାବେ ମଧ୍ୟ ପରସା ଯାଇପାରିବ। ପଖାଳ ଛଡ଼ା ଦହିରେ ମଧ୍ୟ କେହି କେହ କାଞ୍ଜି ତିଆରି କରିଥାଆନ୍ତି।
୫.) ମାଟିହାଣ୍ଡି ପଖାଳ: ମାଟି ହାଣ୍ଡିରେ ଯେକୌଣସି ଖାାଦ୍ୟର ମହକ ଭିନ୍ନ। ପଖାଳକୁ ମାଟିହାଣ୍ଡିରେ ବାସି କରିଲେ ଏହାର ସ୍ବତନ୍ତ୍ର ସ୍ବାଦ ମିଳିଥାଏ। ସେହି ମାଟି ହାଣ୍ଡିରେ ପଖଳା ଭାି ଓ ତୋରାଣୀରୁ କାଞ୍ଜି କଲେ ତାହାର ମହକ ଓ ସ୍ବାଦ ବେଶ୍ ନିଆରା।
୬.) ପଖାଳ ଭୋଗ: ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଇଥାଏ। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପଖେଳ ପାଇଁ ବାହାରନ୍ତି। ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ। ମହାପ୍ରସାଦ ପଖାଳରୁ ବଳକା ତୋରାଣି ଆନନ୍ଦ ବଜାରରେ ଟଙ୍କ ତୋରାଣି ଭାବେ ମିଳେ। ଶ୍ରୀମନ୍ଦିରରେ ପାଣିପଖାଳ ୨୩ ଓଳି ଓ ଚିପୁଡ଼ା ପଖାଳ ୧୪ ଓଳି ଭୋଗ ଲାଗିଥାଏ। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ ପଖାଳ ସାଙ୍ଗକୁ କଦଳୀ ଭଜା ଅର୍ପଣ କରାଯାଏ।
୭.) ଗାନ୍ଧିଜୀ ଓ ପଖାଳ: ୧୯୩୪ ମସିହାରେ ମହାତ୍ମା ଗାନ୍ଧି ଓଡ଼ିଶାରେ ପଦଯାତ୍ରା କରୁଥିବା ସମୟରେ ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ଭୋଜନ ପରେ ବଳକା ଭାତକୁ ଫିଙ୍ଗି ନ ଦେଇ ଓଡ଼ିଆ କର୍ମୀମାନେ ପଖାଳ କରିଦେଇଥିଲେ ଓ ସେଇ ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଓ ସଂଜରେ ଖାଇଥିଲେ। ଏହା ଦେଖି ମହାତ୍ମା ଗାନ୍ଧୀ କହିଥିଲେ, “ଓଡ଼ିଶାବାସୀ ଖାଦ୍ୟର ସଦ୍ବ୍ୟବହାର ଜାଣନ୍ତି”।
୮.) ଔଷଧ ପଖାଳ: ଚାଇଁ ପଖାଳ ଖାଇସାରି ବଳକା ତୋରାଣି ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦିରୁ ନିସ୍ତାର ମିଳେ। ଗର୍ଭବତୀଙ୍କ ପାଇଁ ମଧ୍ୟ ଏହାକୁ ପଥ୍ୟ ଭାବେ ବ୍ୟବହାର କରାଯାଏ। ପଖାଳରୁ ପ୍ରସ୍ତୁତ କାଞ୍ଜି ପିଇଲେ ପେଟ ଥଣ୍ଡା ରହେ। ପିତ୍ତ ରୋଗ ବିସୂଚିକା, ଅତିସାର (Diarrhea) ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ ଅଟେ। ମୂତ୍ରକୃଚ୍ଛ (dysurea)ରେ ପଖାଳ ଉପକାରୀ ଅଟେ। ଆସାମ କୃଷି ବିଶ୍ୱବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ୱାମୀଙ୍କଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ। କିନ୍ତୁ ୧୨ ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢି ଯାଇଥାଏ। ପଖାଳରେ ପୋଟାସିଅମ ଓ କ୍ୟାଲ୍ସିଅମ ପରିମାଣ ମଧ୍ୟ ସାଧା ଭାତ ଠାରୁ ଢେର ଅଧିକ।
୯.) ପଖାଳ ଓ ମନୋରଂଜନ: ବହୁ ପୁରୁଣା ଓଡ଼ିଆ ସିନେମାରେ ପଖାଳ ଖିଆ ଦୃଶ୍ୟ ନିୟମିତ ବ୍ୟବହୃତ ହୋଇଛି। ତେବେ କବିଚନ୍ଦ୍ର କାଳୀଚରଣଙ୍କ ଲିଖିତ ଓ ବାଳକୃଷ୍ଣ ଦାଶଙ୍କ ସ୍ବର ଓ କଣ୍ଠରେ ଅଶୀ ଦଶକର ରେଡିଓ ସଂଗୀତ “ଆସ ଜୀବନ ଧନ ମୋର ପଖାଳ କଂସା, ସଜନୀରେ ତୋ ବିହୁନେ ଉଡ଼େ ମୋ ହଂସା” ଆଜି ମଧ୍ୟ ବେଶ୍ ପ୍ରସିଦ୍ଧ।
୧୦.) ମୁଖ୍ୟମନ୍ତ୍ରୀ ଓ ପଖାଳ: ୨୦୧୮ ଜାନୁଆର ୧୭ ତାରିଖରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଓ ବିଜେପିର ବରିଷ୍ଠ ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାନୀ ଓ ସିପିଆଇ ମହାସଚିବ ସୀତାରାମ ୟେଚୁରୀଙ୍କୁ ନିଜ ବାସଭବନ ନବୀନ ନିବାସରେ ପଖାଳ ସାଙ୍ଗକୁ ଶାଗଭଜା, ବଡ଼ିଚୁରା, ପିଆଜ ପିଠା, ଛୁଇଁ ଭଜା ଓ ଶେଷରେ ଛେନାପୋଡ଼ ପରସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଂସା ବେଲା, କଂସା ଥାଳି ଓ କଦଳୀ ପତ୍ରରେ ଏହି ସବୁ ଖାଦ୍ୟ ପରସା ଯାଇଥିଲା। ଏହି ବ୍ୟକ୍ତିତ୍ବମାନେ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ‘ଦ ଟଲ୍ ମ୍ୟାନ୍’ ଉନ୍ମୋଚନ ଉତ୍ସବରେ ଯୋଗଦେବାକୁ ଭୁବନେଶ୍ବର ଆସିଥିଲେ।
Comments are closed.