Odisha Link
Bridging the Missing Links in Odisha

କରୋନାକୁ ଦୂରେଇବ ଏହି ବଟିକା!

ଓଏଲ୍‌ ବ୍ୟୁରୋ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଖାଇଲେ କରୋନା ଭୂତାଣୁକୁ ଦୂରେଇ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଘୋଷଣା ପରେ ଏବେ ସାରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା। ଭାରତରେ ମଧ୍ୟ ଗତ ମାର୍ଚ୍ଚ ୨୩ ତାରିଖରେ ଇଣ୍ଡିଆନ କାଉନ୍‌ସିଲ ଫର୍‌ ମେଡିକାଲ ରିସର୍ଚ (ICMR) ଏକ ବିବୃତ୍ତିରେ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କାମ କରିବ ବୋଲି କହିଛନ୍ତି।

ତେବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବଟିକା ସେବନ କରିବା ପରେ ଏହାର ପାର୍ଶ୍ବପ୍ରତିକ୍ରିୟା ରହିଛି। ଏହା କ୍ଲୋରୋକୁଇନ୍‌ ସହ ପ୍ରାୟ ସମାନ। କ୍ଲୋରୋକୁଇନ୍ ମ୍ୟାଲେରିଆ ପାଇଁ ଏକ ଅବ୍ୟର୍ଥ ଔଷଧ ଭାବେ ବ୍ୟବହୃତ ହୁଏ। ଏହା ଖାଇବା ପରେ ମୁଣ୍ଡବ୍ୟଥା, ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା, ପେଶୀ ପୀଡ଼ା ହେବା, ତ୍ବଚ୍ଚା ଶୁଷ୍କ ଦେଖାଯିବା, ତ୍ବଚ୍ଚା କୁଣ୍ଡେଇ ହେବା, ନାକରୁ ରକ୍ତ ବାହାରିବା ଓ ଶ୍ରବଣ ସମସ୍ୟା ଦେଖାଯିବା ଭଳି ସାମୟିକ ଶାରିରୀକ ଦୁର୍ବଳତା ଅନୁଭବ ହୋଇପାରେ। ଏହାକୁ ଅତ୍ୟଧିକ ମାତ୍ରାରେ ଖାଇଦେଲେ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ କ୍ଲୋରୋକୁଇନ୍‌ ଅପେକ୍ଷା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ରେ ଏଭଳି ପାର୍ଶ୍ବ ପ୍ରତିକ୍ରିୟାର ପ୍ରଭାବ ସାମାନ୍ୟ କମ।

୫୦ ଦଶକରେ ବିଶ୍ବ ବଜାରକୁ ପ୍ରବେଶ କରିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀ ଔଷଧ ତାଲିକାରେ ରଖିଛନ୍ତି। ତେବେ କରୋନା ପ୍ରତିରୋଧ ପାଇଁ ଏହାର କାର୍ଯ୍ୟଦକ୍ଷତା ଉପରେ ଭାରତୀୟ ଡାକ୍ତର ଏବେ ବି ସନ୍ଦିହାନ। ଏଥିରେ ଥିବା ସଂକ୍ରମଣ-ପ୍ରତିଷେଧକ (ଆଣ୍ଟି-ଭାଇରସ୍) ଶକ୍ତିର ପ୍ରଭାବ ନେଇ ୨୦୦୩ରେ ଏକ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଗବେଷଣାଗାରରେ ପରୀକ୍ଷଣ ବେଳେ ଏହା କରୋନା ଭୂତାଣୁକୁ ନଷ୍ଟ କରୁଥିବା ପ୍ରମାଣ ମିଳିଥିଲେ ବି ଏହା ଉପରେ ଅଧିକ ପରୀକ୍ଷା ଲୋଡ଼ା ବୋଲି ଆଇଏମ୍‌ସିଆର୍‌ କହିଛି।

ତେବେ ଟ୍ରମ୍ପ୍‌‌ଙ୍କ ଘୋଷଣା ବା ଆମେରିକାରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌କୁ କରୋନାବିରୋଧୀ ଭାବେ ବ୍ୟବହାରର ସୂତ୍ର ବାହାରିଥିବାର ଯେଉଁ ପ୍ରଚାର ହେଉଛି ତାହା ସଠିକ ନୁହେଁ। ଏହା ପୂର୍ବରୁ ଚୀନ ଓ ଫ୍ରାନ୍ସରେ ଏହାର ପରୀକ୍ଷା ହେବା ସହ ରୋଗୀଙ୍କ ଠାରେ ପ୍ରୟୋଗ କରାଯାଇ ସୁଫଳ ମିଳିଥିବା ଜଣାପଡ଼ିଛି। ଭାରତରେ ରାଜସ୍ଥାନର ଜୟପୁରରେ ମଧ୍ୟ ଏହାକୁ ବ୍ୟବହାର କରି କରୋନା ରୋଗୀଙ୍କୁ ଭଲ କରାଯାଇଥିବା ଦାବି କରିଛନ୍ତ ଡାକ୍ତର।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁସାରେ ହାଇଡ୍ରୋକ୍ସିକ୍ଲୋରାକୁଇନ୍‌କୁ ଓସେଲଟାମିଭିର, ଲୋପିନାଭିର ୨୦୦ ଓ ରିଟୋନାଭିର ସହ ମିଶାଇ ଜୟପୁରରରେ କରୋନା ରୋଗୀଙ୍କର ଚିକିତ୍ସା କରାଯାଇଛି। ତେବେ ଜୟପୁରରେ ଏହା ସଫଳ ହୋଇଥିଲେ ବି ଏହାକୁ ପ୍ରୟୋଗ କରିବା ପାଇଁ ଅଧିକ ଗବେଷଣା ଲୋଡ଼ା ଓ ବ୍ୟବହାର ମଧ୍ୟ ସରକାରଙ୍କ ଦ୍ବାରା ଅନୁମୋଦିତ ହେବା ଦରକାର ବୋଲି ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଡାକ୍ତର କେ ସୁଜାତା ରାଓ ଗଣମାଧ୍ୟମକୁ କହିଛନ୍ତି।

ପାଠକେ ମନେରଖିବା ଉଚିତ ଏହାର ବିକ୍ରି ଓ ବ୍ୟବହାର ଉପରେ ଆଇସିଏମ୍‌ଆର୍‌ କଟକଣା ଜାରି କରିଛନ୍ତି। ଏହାକୁ କେବଳ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଡାକ୍ତର ଓ କରୋନା ପଜିଟିଭ୍‌ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବ୍ୟବହାର କରିପାରିବେ। ଏହି ଔଷଧ କେବଳ ଅଧିକୃତ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍‌ରେ ବିକ୍ରି କରାଯାଇପାରିବ ଓ ଏହାକୁ ନିଶ୍ଚିତ କରିବା ପାଇଁ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଏହାକୁ କରୋନା ସଂକ୍ରମଣର ଆଗୁଆ ପ୍ରତିଷେଧକ ଭାବେ ନବୁଝିବା ପାଇଁ ମଧ୍ୟ ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ଆଇସିଏମ୍‌ଆର।

ତେବେ ଆଇସିଏମ୍‌ଆର ଗୋଟିଏ କଥା ଭୁଲିଯାଇଛନ୍ତି ଯେ କଟକଣା ଅପେକ୍ଷା ରୋଗନିରାକରଣର ଖବର ଦେଶରେ କ୍ଷୀପ୍ର ବେଗରେ ସଂଚରି ଯାଇଛି। କିଛି ଅନଲାଇନ୍‌ ଷ୍ଟୋରରେ ଏ ଔଷଧ ଶେଷହୋଇଗଲାଣି। ଲୋକେ ଆଇସିଏମ୍‌ଆର୍‌ କଟକଣା ନ ମାନି ଏବେ ଏ ଔଷଧ ଖୋଜିବାରେ ବ୍ୟସ୍ତ ଅଛନ୍ତି।

Comments are closed.