Odisha Link
Bridging the Missing Links in Odisha

ସାଉଦି ରାଜ ପରିବାରର ୧୫୦ ଜଣ କରୋନା ଆକ୍ରାନ୍ତ

ଓଏଲ୍‌ ବ୍ୟୁରୋ: ସାଉଦି ଆରବ ରାଜ ପରିବାରକୁ କରୋନା କବଳିତ କରିଛି। ରିୟାଦର ଗଭର୍ଣର ତଥା ଯୁବରାଜଙ୍କ ସମେତ ପ୍ରାୟ ୧୫୦ ଜଣ ରାଜପରିବାର ସଦସ୍ୟ କୋଭିଡ୍-୧୯ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ଏମାନଙ୍କୁ କିଙ୍ଗ ଫାଇଜଲ ସ୍ପେସାଲିଷ୍ଟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରି ୫୦୦ ଶଯ୍ୟା ପ୍ରସ୍ତୁତ ରଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

ତେବେ ୮୪ ବର୍ଷୀୟ ରାଜା ସଲମାନ ଓ ଭାବି ରାଜା ତଥା ରାଜପୁତ୍ର ୩୪ ବର୍ଷୀୟ ମହମ୍ମଦ ବିନ୍‌ ସଲମାନ ସୌଭାଗ୍ୟ କ୍ରମେ କରୋନା କବଳିତ ହୋଇନାହାନ୍ତି। ରାଜା ସଲମାନ ଜିଦାଃ ସହର ନିକଟ ଲୋହିତ ସାଗର ଭିତରେ ଏକ ଦ୍ବୀପରେ ସୁରକ୍ଷିତ ଅବସ୍ଥାନ କରୁଛନ୍ତି। ଅନୁରୂପ ଭାବେ ମହମ୍ମଦ ବିନ୍‌ ସଲମାନ୍‌ ନିଜର ମନ୍ତ୍ରୀ ପରିଷଦ ସହ ଦୂରାନ୍ତ ନିର୍ମାଣାଧୀନ ଅତ୍ୟାଧୁନିକ ସହର ନେଅମ୍‌ରେ ଆଶ୍ରୟ ନେଇଛନ୍ତି।

ଆରବରେ ସମସ୍ତ ବଡ଼ ବଡ଼ ସହରର ୨୪ ଘଣ୍ଟିଆ ଲକ୍‌ଡାଉନ୍‌ରେ ଥିବା ବେଳେ ବାହାର ଦେଶରେ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ଧର୍ମସ୍ଥଳ ମକ୍କା ଓ ମଦିନା ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି। ଆଗକୁ ହଜ୍‌ ଯାତ୍ରା ବନ୍ଦ ରହିପାରେ ବୋଲି ରାଜ ପରିବାର ଇଙ୍ଗିତ ଦେଇଛନ୍ତି।

ସାଉଦି ଆରବରେ ଏଯାବତ ୩,୩୦୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪୪ ଜଣଙ୍କର ପ୍ରାଣହାନି ଘଟିଛି।

Comments are closed.