Odisha Link
Bridging the Missing Links in Odisha

୧୯ ବର୍ଷୀୟ ପିଜା ଡେଲିଭରୀ ବୟ କରୋନା ପିଜିଟିଭ, କ୍ୱାରେଣ୍ଟାଇନରେ ୭୨ ପରିବାର

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ସମୟରେ ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁଁ ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲ ଓ ଢାବା ବନ୍ଦ ରହିଛି। ଅପରପକ୍ଷେ ଅନଲାଇନ୍‌ ଫୁଡ ଅର୍ଡର ବା ଖାଦ୍ୟ ଘରେ ପହଞ୍ଚାଇବାକୁ ଅନୁମତି ମିଳିଛି। ପିଜା, ବିରିୟାନି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଲୋକମାନେ ଅର୍ଡର କରି ଖାଉଛନ୍ତି। ଅନଲାଇନ୍‌ ଅର୍ଡର ପାଇଁ ଏବେ ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଛି।

ଦିଲ୍ଲୀରେ ଜଣେ ପିଜା ଡେଲରିଭରୀ ବୟଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଏହି କାରଣରୁ ସେ ପିଜା ଡେଲିଭରୀ କରିଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଦିଲ୍ଲୀର ମାଜିଷ୍ଟ୍ରେଟ ପିଜା ଡେଲିଭରୀ ବୟଙ୍କ ସଂସ୍ପର୍ଶରେ ଆସିଥିବା ୭୨ଟି ପରିବାରକୁ ଠାବ କରିଛନ୍ତି। ଏଥିସହ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପିଜା ଡେଲିଭରୀ ବୟଙ୍କ ବୟସ ୧୯। ସେ ଏପ୍ରିଲ ୧୨ ଯାଏ ଦକ୍ଷିଣ ଦିଲ୍ଲୀର ପ୍ରାୟ ୭୨ଟି ପରିବାର ଲୋକଙ୍କୁ ପିଜା ଦେଇଥିଲେ। ବିଶେଷ କରି ହାଉଜ ଖାସ, ମାଲବ୍ୟ ନଗର ଓ ସାବିତ୍ରୀ ନଗରରେ ଡେଲିଭରୀ ହୋଇଥିଲା। ଡେଲିଭରୀ ବୟ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଡେଲିଭରୀ ବୟଙ୍କର କୌଣସି ଗସ୍ତ ବିବରଣୀ ନାହିଁ। ସେ କୌଣସି କରୋନା ସଂକ୍ରମିତ ପରିବାର ବର୍ଗଙ୍କୁ ପିଜା ଦେବା ବେଳେ ସଂକ୍ରମଣର ଶିକାର ହୋଇଥିବା ଆଶଙ୍କା କରାଯାଉଛି।

ସେହିପରି କ୍ୱାରେଣ୍ଟାଇନରେ ଥିବାର ୭୨ଟି ପରିବାର ଉପରେ ପ୍ରଶାସନ ନଜର ରଖିଛି। ଏହି ପିଜା ଡେଲିଭରୀ ବୟଙ୍କ ସଂସ୍ପର୍ଶରେ ପିଜା ଦେଉଥିବା ଆଉ ୨୨ ଜଣ ଆସିଥିଲେ। ସେମାନଙ୍କୁ ମଧ୍ୟ ଛତ୍ରପୁର ଠାରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି। ସୂଚନାଥାଉକି, ଦିଲ୍ଲୀରେ ୧୫୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Comments are closed.