ଛୁଟି ସମୟରେ ପାଠପଢ଼ା ଉପରେ ଧ୍ୟାନ ଦିଅନ୍ତୁ ଛାତ୍ରଛାତ୍ରୀ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ୩ ମେ’ ପର୍ଯ୍ୟନ୍ତ ସାରା ଦେଶ ଲକ୍ ଡାଉନ୍। ଅପରପକ୍ଷେ ଓଡ଼ିଶା ସରକାର ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ତେବେ କରୋନା ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ ଅଛନ୍ତି। କେବେ ହେବ ପ୍ରବେଶିକା ପରୀକ୍ଷା ? କେବେ ହେବ ବାକିଥିବା ସେମିଷ୍ଟାର ? ସେ ନେଇ ଚିନ୍ତାରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ। ଏସବୁର ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ।
ସେ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ସରକାର ଉଚ୍ଚ ଶିକ୍ଷା ବିଭାଗକୁ କ୍ରିଟିକାଲ ଡିପାର୍ଟମେଣ୍ଟ ହିସାବରେ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ କ୍ଲାସ ୱାନ୍ ଅଫିସରମାନେ ଅଫିସ ଆସିବେ। ତେବେ ପିଲାଙ୍କ ପରୀକ୍ଷା ନେଇ ପ୍ରଶ୍ନ ହେବାରୁ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ଜୁନ୍ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ଜୁନ୍ ୧୭ରେ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଯେକୌଣସି ସମୟରେ ହୋଇପାରେ ପରୀକ୍ଷା। ଆଜି ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ପଢ଼ା ଉପରେ ଧ୍ୟାନ ଦିଅନ୍ତୁ।
ଜୁନ୍ ୧୭ରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ପରୀକ୍ଷା ହୋଇପାରେ। ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ପରୀକ୍ଷା ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସେହିପରି ପିଜି ଏକକ ପ୍ରବେଶିକା ପରୀକ୍ଷା ପାଇଁ ସବୁ କୁଳପତିଙ୍କ ସହ ଆଲୋଚନା ହେବ।
କରୋନା ପରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସାମ୍ପ୍ରତିକ ସ୍ଥିତିକୁ ନେଇ ୟୁଜିସି ସାତ ଜଣିଆ କମିଟି ଗଠନ କରିଛି। ଏହି କମିଟି ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।
Comments are closed.