Odisha Link
Bridging the Missing Links in Odisha

ବୁର୍ଲାରେ ଆରମ୍ଭ ହେଲା କରୋନା ନମୁନା ପରୀକ୍ଷା

ସମ୍ବଲପୁର: ଆଜି ଠାରୁ (୧୯ ଏପ୍ରିଲ ୨୦୨୦) ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ରେ ଆରମ୍ଭ ହୋଇଛି କୋଭିଡ୍‌ ଭୂତାଣୁ ପରୀକ୍ଷଣ। ପୂର୍ବରୁ ଏଠାରେ ସଂଗୃହିତ ସ୍ବାବ୍‌ ନମୁନାଗୁଡ଼ିକ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆରଏମ୍ଆରସି)କୁ ପଠାଯାଉଥିଲା। ଫଳରେ ପରୀକ୍ଷା ରିପୋର୍ଟ ଆସିବାକୁ ସମୟ ଲାଗୁଥିଲା। ଆଜି ଠାରୁ ବୁର୍ଲାରେ ପରୀକ୍ଷଣ ଆରମ୍ଭ ହେଉଥିବାରୁ କରୋନା ଭୂତାଣୁ ସଂକ୍ରମଣ ଜନିତ ସୂଚନା ଶୀଘ୍ର ମିଳିପାରିବ ଓ ସ୍ଥାନୀୟ ଅଞ୍ଚଳରେ ସନ୍ଦିଗ୍ଧଙ୍କର ତ୍ବରିତ ପରୀକ୍ଷଣ ହୋଇପାରିବ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ବିଶୋର ଦାସ ଦେଇଥିବା ସୂଚନା ଅନୁସାରେ ବୁର୍ଲାରେ ଥିବା ଗବେଷଣାଗାରରେ ଦୈନିକ ଦୁଇ ପାଳି (ଶିଫ୍ଟ)ରେ ପ୍ରାୟ ୯୦ ନମୁନା ପରୀକ୍ଷା କରାଯାଇ ପାରିବ। ଯଦି ଆବଶ୍ୟକତା ପଡ଼େ ଅଧିକ ଦୁଇଟି ପରୀକ୍ଷଣ ଯନ୍ତ୍ର (RTPCR machine) ବସାଇ ଅଧିକ ନମୁନା ପରୀକ୍ଷଣର ବ୍ୟବସ୍ଥା କରାଯିବ। ଖୁବ୍‌ ଶୀଘ୍ର ଏଠାରେ ଆଣ୍ଟି-ବଡି ଟେଷ୍ଟ୍‌ ଓ ରାପିଡ୍‌ ଟେଷ୍ଟ ସୁବିଧା ମଧ୍ୟ ଉପଲବ୍ଧ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ବୁର୍ଲାରେ ଡାକ୍ତର ଓ ଅନ୍ୟ ମେଡିକାଲ କର୍ମୀଙ୍କ ପାଇଁ ଖାଇବା ବ୍ୟବସ୍ଥା ଓ ଯାତାୟତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କ୍ବାରାଣ୍ଟିନରେ ଥିବା ମେଡିକାଲ ଓ ପାରାମେଡିକାଲ ଷ୍ଟାଫମାନଙ୍କୁ ଖାଦ୍ୟ ଓ ରହିବାର ଉଚିତ ସୁବିଧା ମିଳୁନାହିଁ ବୋଲି ଭିମସାରର କନିଷ୍ଠ ଚିକିତ୍ସକ ସଂଘ (JDA) ଅଭିଯୋଗ କରିଛି।

Comments are closed.