Odisha Link
Bridging the Missing Links in Odisha

ନବୀନ ପଟ୍ଟନାୟକଙ୍କୁ ଜଣେ ସାମ୍ବାଦିକର ଦୟିନୀ

ପ୍ରିୟ ମୁଖ୍ୟମନ୍ତ୍ରୀ ମହାଶୟ,
ନମସ୍କାର ଗ୍ରହଣ କରିବେ।

ଆଜି ଆପଣ ସାମ୍ବାଦିକ କୂଳ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଓଡ଼ିଶାର ଅଳ୍ପ କେତେଜଣ ଅତି ସ୍ବଚ୍ଛଳ ସାମ୍ବାଦିକଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କା ବହୁତ ବଡ଼ ପରିମାଣ। ଜୀବଦ୍ଦଶାରେ ଯିଏ ୧୫ ଲକ୍ଷ ଟଙ୍କା ନିଜ ପରିବାରକୁ ଦେଇ ପାରି ନ ଥିବ ମୃତ୍ୟୁ ପରେ ଯେ ତା ପିଲାଛୁଆ ଏତିକି ଟଙ୍କା ପାଇପାରିବେ ଏହା ତା’ ପାଇଁ ବଡ଼ ଆଶ୍ବସ୍ତି ନିଶ୍ଚୟ। ଓଡ଼ିଶାରେ ଖୁବ୍ କମ୍‌ ପରିବାର ଗର୍ବରେ କହୁଥିବେ- ମୋ ବାପା/ ଭାଇ/ ପୁଅ/ ଝିଅ/ ଭଉଣୀ/ ସ୍ବାମୀ/ ମା’/ ସ୍ତ୍ରୀ ସାମ୍ବାଦିକ ବୋଲି। ସରକାରୀ ଚାକିରିରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର ସର୍ବନିମ୍ନ ଆୟ ଯେତିକି ଓଡ଼ିଶାରେ ୯୫ ପ୍ରତିଶତ ସାମ୍ବାଦିକଙ୍କର ଆୟ ତାହା ଠାରୁ ଯଥେଷ୍ଟ କମ୍। ଏ ବେଳରେ ଆପଣ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରି ବହୁତ ବଡ଼ କାମଟିଏ କରିଛନ୍ତି ନିଶ୍ଚୟ। ବଞ୍ଚିଥିଲା ବେଳେ ନ ହେଲା ନାହିଁ, ଅନ୍ତତଃ ମୃତ୍ୟୁ ପରେ ପରିବାର ଲୋକ ସାମ୍ବାଦିକଟିର ବୃତ୍ତିକୁ ନେଇ ଗର୍ବ କରିପାରିବେ ଓ ଆପଣଙ୍କ ହୃଦୟଖୋଲା ବଦାନ୍ୟତା ପ୍ରତି ଚିରଦିନ ବଶମ୍ବଦ ରହିବେ।

ତେବେ ଏଇଠି ଗୋଟିଏ ଅସୁବିଧା ରହିଯାଇଛି। ଆପଣଙ୍କ ଘୋଷଣା ଅନୁସାରେ ସାମ୍ବାଦିକ ବାପୁଡ଼ା ଯଦି ଏବେ, ଏଇ କରୋନା ସଂକ୍ରମଣ ସମୟରେ ହିଁ ମୃତ୍ୟୁବରଣ କରେ ତେବେ ଯାଇ ଏ ବୀମାରାଶି ପାଇବାକୁ ସମର୍ଥ ହେବ। ନ ହେଲେ କେତେ ସାମ୍ବାଦିକ କେଉଁଠି ପଡ଼ି ମରୁଛନ୍ତି ସେମାନଙ୍କର ହିସାବ କିଏ ରଖୁଛି।

ତେବେ ଏଇ କରୋନା ଯୋଦ୍ଧା ସାମ୍ବାଦିକଟି କିଏ ଓ ଦେଖିବାକୁ କିଭଳି ହୋଇଥିବ, ତାହାର ରୂପରଙ୍ଗ-ଢଙ୍ଗଢାଙ୍ଗ ବାବଦରେ ଆପଣ କିଛି ବି କହିଲେନାହିଁ। ଭୁବନେଶ୍ବରରେ ଓବି ଭ୍ୟାନ୍‌ ପଛେ ପଛେ ଏସି କାର୍‌ରେ ବୁଲୁଥିବା ବଡ଼ ଗଣମାଧ୍ୟମ ସଂସ୍ଥାର ପରିଚୟପତ୍ରଧାରୀ ସାମ୍ବାଦିକ, ନା ଶସ୍ତା ମୋବାଇଲ ଧରି ଆପଣଙ୍କ କ୍ଷମତାପ୍ରାପ୍ତ ଗାଁ ଜିଲ୍ଲାପାଳଙ୍କୁ ଗୋଡ଼େ ଗୋଡ଼େ ଜଗିଥିବା ଖାତା ଖତିଆନା ବିହୀନ ନାଗରିକ ସାମ୍ବାଦିକ – କାହା ପାଇଁ ଆପଣଙ୍କର ଏ ଘୋଷଣା? ଏଇ ଦୁଇ କରୋନା ଲଢ଼ୁଆଙ୍କ ମଧ୍ୟରେ ଆହୁରି ବହୁ କିସମର ସାମ୍ବାଦିକ ରହି ଯାଇଛନ୍ତି, ଯଥା- ବଡ଼ ଖବରକାଗଜର ସାମ୍ବାଦିକ, କୁଜି କାଗଜର ସାମ୍ବାଦିକ, ବଡ଼ ଟିଭି ଚ୍ୟାନେଲର ସାମ୍ବାଦିକ, ଓ୍ବେବ୍‌ଟିଭିର ସାମ୍ବାଦିକ, ଘରେ ବସି ଫେସବୁକ ପେଜ୍‌ ଅଥବା ୟୁଟ୍ୟୁବ୍‌ ଆକାଉଣ୍ଟ୍‌ ଖୋଲି ବୁମ୍‌ ଧରି ଖରାରେ ପଇଁତରା ମାରୁଥିବା ସାମ୍ବାଦିକ, ନ୍ୟୁଜ୍‌ ଓ୍ବେବ୍‌ ପୋର୍ଟାଲର ସାମ୍ବାଦିକ, କେବଳ ଓ୍ବେବ୍‌ସାଇଟ୍‌ ଖୋଲିଦେଇ ୨୩ ଦିନରେ ୩ଟା ପ୍ରେସ୍‌ ବିବୃତ୍ତି ପକାଉଥିବା ସାମ୍ବାଦିକ, ନିଜେ ମାଲିକ ନିଜେ କର୍ମଚାରୀ ସାଜି ଏକାକୀ ଖବର ସଂଗ୍ରହରେ ମାତିଥିବା ସାମ୍ବାଦିକ, ଗାଁରେ ଶାଗୁଆନ ଗଛ ବିକି ଭୁବନେଶ୍ବରରେ ଘରଭଡ଼ା ନେଇ କିଛି ସାମ୍ବାଦିକଙ୍କୁ ଆୟ ଦେବା ଆଶାରେ ଖବର ସଂସ୍ଥା ଖୋଲିଥିବା ସାମ୍ବାଦିକ, ମାସ ଶେଷ ନ ହେଉଣୁ ବ୍ୟାଙ୍କ ଆକାଉଣ୍ଟରେ ଦରମା ପାଇ ଯାଉଥିବା ସାମ୍ବାଦିକ, ଦିନରାତି ଖଟି ୩ ମାସରେ ଥରେ ଦରମା ପାଇ ବାପାଙ୍କ ଟଙ୍କା ମାଗି ବାଇକରେ ତେଲ ଭରୁଥିବା ସାମ୍ବାଦିକ। ନା କିଛି ଖାତା ଖତିଆନା ନଥିବା ମିଛ ଗଣମାଧ୍ୟମ ସଂସ୍ଥାରୁ କାର୍ଡ ଖଣ୍ଡେ ଆଣି ଗାଡ଼ି ଆଗରେ ପ୍ରେସ୍‌ ଲେଖି ବୁଲୁଥିବା ମାଳମାଳ ନକଲି ସାମ୍ବାଦିକ?

ଏମାନଙ୍କ ଭିତରୁ କାହାକୁ ଆପଣ ବୀମାଭୂକ୍ତ କରିବେ?

ଅଭାବ, ରାଜନେତା-ପୁଲିସ-ପ୍ରଶାସନଙ୍କର ବେଖାତିର, ଖଳ ବ୍ୟବସାୟୀର ନାଲିଆଖି, ବିଜ୍ଞାପନଦାତାର ଦୂର୍‌ଦୂର‌୍‌ ମାର୍‌ମାର୍‌ ଓ ଋଣଦାତାର ଧମକ ସହି ସହି ନିତିଦିନ ମରୁଥିବା ବିଚରା ସାମ୍ବାଦିକଟି ଏଇ କରୋନା ସମୟରେ ଆଉ ଥରେ କାହିଁକି ବା ମରିବାକୁ ଚାହିଁବ?

ରାଜଧାନୀ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରତାରେ ରହୁଥିବା ଜଣେ ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ସହ ଏବେ ଏବେ କଥା ହେଉଥିଲି। ସେ ମଜାରେ ମଜାରେ କହିଲେ- ଏଇ କରୋନା ରୋଗଟା ୫-୭ ବର୍ଷ ରହନ୍ତାନି!

ମୁଁ କହିଲି- ଛିଃ, କି ଅମଙ୍ଗଳ କଥା! କରୋନା ଯାଉ ବୋଲି ସମସ୍ତେ ମୁଣ୍ଡିଆ ମାରୁଥିବା ବେଳେ ଆପଣ ଦେଶଦ୍ରୋହୀ ଭଳି କଥା କହୁଛନ୍ତି।

ସେ କହିଲେ- କରୋନାରେ ମୋର ଜୀବନ ଯାଉ ବୋଲି ମୁଁ ଚାହୁଁନି। କିନ୍ତୁ ବିନା ଦରମାରେ ଖବରକାଗଜ ଆଉ ବିଜ୍ଞାପନ କମିଶନ୍‌ରେ ଚଳିବା ଯେଭଳି ପୀଡ଼ାଦାୟକ ହେଲାଣି, ମୋତେ ଲାଗୁଛି ଆଉ ୫-୭ ବର୍ଷରେ ଏ ପୈତୃକ ପ୍ରାଣ ନାଶଯିବ। କିନ୍ତୁ ଦୁଃଖ, ସେତେବେଳେ ଯଦି ଏ ଭୂତାଣୁ ଏଠି ଆତଯାତ ହେଉ ନ ଥିବ ମୁଁ ଆଉ ନିଜକୁ କରୋନା ଯୋଦ୍ଧା କହିପାରିବି ନାହିଁ। ମୋ ପରିବାର ମୋ ଅନ୍ତେ ଚଳିବେ କେମିତି?

ଏ ସାମ୍ବାଦିକ ଭାଇ ତ ମଜାରେ ମଜାରେ କଥା ପଦେ କହିଦେଲେ। ମୁଁ କିନ୍ତୁ ମୋର ଖବରକାଗଜ ଚାକିରି ସମୟରେ ଅଙ୍ଗେ ନିଭେଇଛି, ଗ୍ରାମାଞ୍ଚଳରେ ବିନା ଦରମାରେ ସାମ୍ବାଦିକଟିଏ ବାଇକ୍‌ ଚଢ଼ି କେମିତି ଖରାବର୍ଷାଶୀତରେ ପଇଁତରା ମାରୁଥାଏ। ସେଥକୁ ପୁଣି ଯଦି ସ୍ଥାନୀୟ ପୁଲିସ-ପ୍ରଶାସନ-ମାଫିଆଙ୍କ ସହ ସାଲିସ୍‌ ନ କଲ- ସାମ୍ବାଦିକର ଜୀବନ ବିପଦରେ, ସଂସ୍ଥା ମାଲିକ ବି ଅସନ୍ତୁଷ୍ଟ।

ଛୋଟ, ଧଇଁଆ, ନାମହୀନ ସଂସ୍ଥାର ପ୍ରତିନିଧି, ଆତ୍ମଘୋଷିତ ସାମ୍ବାଦିକଙ୍କ କଥା ଛାଡ଼ନ୍ତୁ, ଏବେ ନିକଟରେ ଏଇ ଲକ୍‌ଡାଉନ୍‌ ସମୟରେ ଘଟିଥିବା ଦୁଇଟି ଉଦାହରଣ ଦେଲେ ଆପଣ ତଥାକଥିତ ବଡ଼ ବଡ଼ ସଂସ୍ଥାର ସାମ୍ବାଦିକଙ୍କର ଅବସ୍ଥା ବୁଝିପାରିବେ। ରାଜ୍ୟରେ ପ୍ରଶାସନ କିଭଳି ନିଜର କ୍ରମବର୍ଦ୍ଧିଷ୍ଣୁ କ୍ଷମତାର ଅପବ୍ୟବହାର କରି ସାମ୍ବାଦିକର ମେରୁହାଡ଼ ଭାଙ୍ଗିବାକୁ ଉଦ୍ୟତ ତାହାର ଦୁଇଟି ଉଦାହରଣ ଦେଖନ୍ତୁ। ମୋର ଅନୁମାନ, ଆପଣଙ୍କର ପରାମର୍ଶଦାତାଗଣ ଏ ଦୁଇଟି ଘଟଣା ବିଷୟରେ ଆପଣଙ୍କୁ ଅବଗତ କରି ନଥିବେ।

ପ୍ରଥମ ଘଟଣା: ଦୈନିକ ସମ୍ବାଦପତ୍ର ‘ନିତିଦିନ’ର ନୟାଗଡ଼ ଜିଲ୍ଲା ପ୍ରତିନିଧି ଅନୀଲ କୁମାର ପଣ୍ଡା ଖବର ସଂଗ୍ରହରେ ଥିବା ବେଳେ ସହର ଉପରେ ତାଙ୍କୁ ପୁଲିସ ମାଡ଼ ମାରିଥିଲା। ମାଡ଼ ଘଟଣାର ପୁର୍ବ ସପ୍ତାହରେ ଶ୍ରୀ ପଣ୍ଡା ପୁଲିସ ଅବହେଳାର ୩ଟି ଖବର ଲଗାତାର କରିଥିଲେ।

ଦ୍ବିତୀୟ ଘଟଣା: ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ ନିଜର ଅସୁସ୍ଥ ଶିଶୁକୁ ନେଇ ଡାକ୍ତରଖାନା ଯିବା ବାଟରେ ପୁଲିସ ତାଙ୍କ ପଥ ଅବରୋଧ କରିବା ସହ ସହର ଉପରେ ତାଙ୍କୁ ମାଡ଼ ମାରିଥିଲା। ଶ୍ରୀ ସ୍ବାଇଁ ମଧ୍ୟ ପୂର୍ବରୁ ପୁଲିସ ନିଷ୍କ୍ରିୟତା ଉପରେ କେତୋଟି ଖବର ଛାପିଥିବାର ପ୍ରମାଣ ମିଳେ।

ଏ ଦୁଇଜଣ କୌଣସି ଯାହିତାହି ସଂସ୍ଥାର ପ୍ରତିନିଧି ନୁହନ୍ତି- ଜଣେ ହେଉଛନ୍ତି ରାଜ୍ୟର ବିଶିଷ୍ଟ ଖଣିପତିଙ୍କ ଦ୍ବାରା ପରିଚାଳିତ ଖବରକାଗଜର ପ୍ରତିନିଧି ଓ ଅନ୍ୟଜଣେ ଶାସକଦଳର ପ୍ରସିଦ୍ଧ ଲୋକପ୍ରତିନିଧିଙ୍କ କାଗଜର ପ୍ରତିନିଧି। ଏସବୁ ସତ୍ତ୍ବେ ଯଦି ଏ ଦୁଇଜଣ ସାମ୍ବାଦିକ ବ୍ୟସ୍ତ ଓ ଲୋକାରଣ୍ୟ ସହର ମଧ୍ୟରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ତେବେ ଅପନ୍ତରା ଗାଁ ଅଞ୍ଚଳରେ ସାମ୍ବାଦିକତା କରୁଥିବା ପ୍ରତିନିଧିମାନଙ୍କ ଅବସ୍ଥା ଅନୁମେୟ।

ଗତ ନିର୍ବାଚନ ପୂର୍ବରୁ ଆପଣଙ୍କ ସରକାର ସାମ୍ବାଦିକଙ୍କର ତାଲିକା ପ୍ରସ୍ତୁତ କରିଥିଲେ। କିନ୍ତୁ ମୋ ଜାଣିବାରେ ବହୁ ସାମ୍ବାଦିକ ସେ ତାଲିକାରେ ନାହାନ୍ତି ଏବଂ ତାଲିକାରେ ଥିବା ଅନେକେ ମଧ୍ୟ ‘ସାମ୍ବାଦିକ’ ଶବ୍ଦର ବନାନ ଠିକରେ ଲେଖିବାକୁ ଅସମର୍ଥ। ଖବରକାଗଜ, ଟିଭି ଓ ଅଳ୍ପ କେତୋଟି ନ୍ୟୁଜ୍‌ ପୋର୍ଟାଲକୁ ଛାଡ଼ିଦେଲେ ଅନ୍ୟମାନେ ଏଯାଏଁ ସରକାରୀ ଖାତାରେ ଗଣମାଧ୍ୟମ ସଂସ୍ଥା ଭାବେ ସ୍ଥାନ ପାଇନାହାନ୍ତି। ବର୍ତ୍ତମାନ କରୋନା ସମୟରେ ଯଦି ସବୁଠାରୁ କିଏ ଅଧିକ ତତ୍ପରତାର ସହ କାର୍ଯ୍ୟ କରୁଥାଏ ଓ ଲୋକମାନେ ଯଦି କାହାକୁ ସବୁଠାରୁ ଅଧିକ ପଢ଼ୁଥାଆନ୍ତି ତାହା ହେଉଛି ନ୍ୟୁଜ୍‌ ପୋର୍ଟାଲ। କିନ୍ତୁ ସେମାନେ ସରକାରୀ କଳ ଦ୍ବାରା ଚିର ଅବହଳିତ। ନିକଟରେ ସରକାର ସେମାନଙ୍କୁ ବିଜ୍ଞାପନ ଦେବାକୁ କିଛି ନୀତି ନିର୍ଧାରଣ କରିଛନ୍ତି ଅବଶ୍ୟ। ସେଥିରେ ବ୍ୟାପକ ବିଲକ୍ଷଣ ରହିଛି, ଯାହା ଆଲୋଚନା କରିବା ପାଇଁ ଏବେ ଉଚିତ ଅବସର ନୁହେଁ।

ଆପଣ ଯେ ସାମ୍ବାଦିକଙ୍କ ପାଇଁ କିଛି କରିନାହାନ୍ତି, ଏ କଥା ତ ମୁଁ ଆଦୌ କହିବି ନାହିଁ। ଯଦି ଆପଣ କିଛି କରି ନ ଥାଆନ୍ତେ, ଏତେ ସଂଖ୍ୟାରେ ରାଜଧାନୀର ଗଣମାଧ୍ୟମ ପ୍ରତିନିଧି ଆପଣଙ୍କ ଚଉକି ପାଖରେ କୃତଜ୍ଞତା ମୁଦ୍ରାରେ ଫଟୋ ଉଠାଇବାକୁ ପ୍ରତିଯୋଗିତା କରୁ ନଥାନ୍ତେ। କିଛି ସାମ୍ବାଦିକଙ୍କ ପାଇଁ ଆପଣ କିଛି କରିଛନ୍ତି ନିଶ୍ଚୟ। ଏବେ ଏ ଘୋଷଣା ସେଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଲା।

ମୁଖ୍ୟମନ୍ତ୍ରୀ ମହାଶୟ, ଆପଣଙ୍କ ଘୋଷଣାକୁ ମୁଁ ସମ୍ମାନ ଦେଉଛି। ବର୍ତ୍ତମାନ ସାରା ବିଶ୍ବ କରୋନା ଲଢ଼େଇରେ ମାତିଥିବା ବେଳେ ଆପଣଙ୍କ ସରକାରର ଉଦ୍ୟମ ଓ ପଦକ୍ଷେପ ବେଶ୍‌ ପ୍ରଶଂସିତ ହୋଇଛି। ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବେଶ୍‌ ଭଲ ସ୍ଥିତିରେ ମଧ୍ୟ ରହିଛି। ଏଥିପାଇଁ ଆପଣ ଧନ୍ୟବାଦର ପାତ୍ର ଅବଶ୍ୟ।

ମୁଁ ପ୍ରାର୍ଥନା କରିବି ଏହି ସମୟ ଭିତରେ କୌଣସି ବି ସାମ୍ବାଦିକ ଆପଣଙ୍କ ଘୋଷିତ ଅର୍ଥରାଶି ପାଇବାକୁ ଯୋଗ୍ୟ ନ ହୁଅନ୍ତୁ (ମୃତ୍ୟୁ ନ ହେଉ)। ମୋର ଆଶା, ଏ କ୍ରୁର ସମୟ ଖୁବ୍‌ ଶୀଘ୍ର ଅପସରିଯିବ। କିନ୍ତୁ ତା’ ପରେ ବି ସାମ୍ବାଦିକ ଉପରେ ଆକ୍ରମଣ, ସାମ୍ବାଦିକର ଦୈନ୍ୟ, ସାମ୍ବାଦିକର ପୀଡ଼ା, ସାମ୍ବାଦିକର ସଂଘର୍ଷ, ସାମ୍ବାଦିକ ଉପରେ ପୁଲିସ-ପ୍ରଶାସନ-ମାଫିଆଙ୍କର ଅଦଉତି ସବୁ ଜାରି ରହିଥିବ। ବିଚରା ସାମ୍ବାଦିକ ଏମିତି ଚିରକାଳ ମରୁଥିବ।

ଆପଣଙ୍କୁ ଅନୁରୋଧ, ଆପଣଙ୍କ ଦକ୍ଷ ପ୍ରଶାସନ ଓ ଉପଦେଷ୍ଟାଗଣଙ୍କୁ ଲଗାଇ ଆପଣ ସାମ୍ବାଦିକର ମରିବାର କାରଣ ଖୋଜନ୍ତୁ। ଆପଣଙ୍କ ଘୋଷଣା ପାଇଁ ପୁଣିଥରେ ଧନ୍ୟବାଦ, କିନ୍ତୁ ସାମ୍ବାଦିକ ମରିବା ପାଇଁ ଚାହେନା। ତାକୁ ବଞ୍ଚିବାକୁ ଦିଅନ୍ତୁ। ତାକୁ ସମ୍ମାନ ଓ ସ୍ବଚ୍ଛଳତାର ସହ ବଞ୍ଚିବାକୁ ଦିଅନ୍ତୁ।

ଇତି
ଆପଣଙ୍କ ରାଜ୍ୟର ଜଣେ ପ୍ରଜା
ଶୁଭ୍ରାଂଶୁ ପଣ୍ଡା

Comments are closed.