Odisha Link
Bridging the Missing Links in Odisha

କରୋନା: ହ୍ବାଟ୍‌ସଆପ୍‌ରେ ମିଛ ଖବର ପାଇଁ ୭୨୮ ପ୍ରାଣ ଗଲା

ସାମାନ୍ୟ ଗୋଟିଏ ହ୍ବାଟ୍‌ସଆପ୍‌ ଗୁଜବ ୭୨୮ ପ୍ରାଣ ନେଇଛି। ଘଟଣା ଘଟିଛି ଇରାନରେ। କରୋନାକୁ ନେଇ ସାଧାରଣ ଜନତା ଭୟଭୀତ ଥିବା ବେଳେ ଗୁଜବ ଉପରେ ଭରସା କରି ଏଥିରୁ ରକ୍ଷା ପାଇବା ପାଇଁ ବିଷାକ୍ତ ମିଥାନଲ୍‌ ବା ମିଥାଇଲ ଆଲକହଲ ଇଞ୍ଜେକ୍ସନ୍‌ ନେଇ ସମଗ୍ର ଦେଶରେ ଏଯାବତ୍‌ ୭୨୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ସବୁଠାରୁ ଦୁଃଖର କଥା ଏଥିରେ ବହୁ ସଂଖ୍ୟାରେ ପରିବାର ସଂପୃକ୍ତ ଅଛନ୍ତି। ଏକକାଳୀନ ଏଭଳି ମିଛ ପ୍ରତିଷେଧକ ବ୍ୟବହାର କରି ଅନେକ ପରିବାର ମୂଳପୋଛ ହୋଇଯାଇଛି। କେବଳ ସେତିକି ନୁହେଁ ଇରାନରେ ୯୦ରୁ ଅଧିକ ଲୋକ ଏହି କାରଣୁ ଦୃଷ୍ଟି ଶକ୍ତି ହୋଇ ବସିଛନ୍ତି।

ଇରାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଫେବ୍ରୁଆରୀ ୨୦ ଠାରୁ ଏଯାବତ ମିଥାନଲ୍‌ ନେଇ ଡାକ୍ତରଖାନାରେ ୫୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨୦୦ରୁ ଅଧିକ ବ୍ୟକ୍ତି ଡାକ୍ତରଖାନା ବାହାରେ ପ୍ରାଣ ହରାଇଛନ୍ତି। ଜାତୀୟ କରୋନର୍ସ କର୍ତୃପକ୍ଷ (ଅନୁସଂନ୍ଧାନ ସଂସ୍ଥା) ପକ୍ଷରୁ କହାଯାଇଛି ଯେ ୨୦ ଫେବ୍ରୁଆରୀରୁ ୭ ଏପ୍ରିଲ ମଧ୍ୟରେ ଇରାନରେ ୭୨୮ ଜଣଙ୍କର ବିଷାକ୍ତ ଆଲକହଲ ଯୋଗୁଁ ମୃତ୍ୟୁ ହୋଇଛି। ତେବେ ଦେଶରେ ଫେବ୍ରୁଆରୀ ଠାରୁ ଏଯାବତ୍‌ ୫,୦୧୧ ଜଣ ମିଥାନଲ ନେଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ଏଯାବତ୍‌ ଏହି ବିଷାକ୍ତ ଆଲକହଲ କାରଣରୁ ୯୦ ଜଣଙ୍କର ଆଖି ଖରାପ ହୋଇଥିବା ବେଳେ ଏହି ସଂଖ୍ୟା ବଢ଼ିପାରେ ବୋଲି ମନ୍ତ୍ରାଳୟ ଅନୁମାନ କରିଛି। ଏବେ ଇରାନ୍‌ ଦୁଇଟି ଶତ୍ରୁ ସହ ଲଢ଼ୁଛି – ବିଷାକ୍ତ ଆଲକହଲ ଓ କରୋନା ଭୂତାଣୁ – ବୋଲି ମନ୍ତ୍ରାଳୟ ପକ୍ଷରୁ ପୂରବରୁ କହାଯାଇଥିଲା।

ମଧ୍ୟପ୍ରଚ୍ୟରେ କରୋନା ଭୂତାଣୁ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଇରାନ। ଇରାନରେ ଆଜି ସୁଦ୍ଧା ୯୨,୫୮୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫,୮୭୭ ଜଣଙ୍କର ମୃତ୍ୟୁ ହେଲାଣି।

ମିଥାଇଲ୍‌ ଆଲକହଲ ଦୂରର କଥା ପାନୀୟ ଯୋଗ୍ୟ ଆଲକହଲ (ମଦ) ପିଇବା ମଧ୍ୟ ଇରାନରେ ନିଷିଦ୍ଧ। ତେବେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ୍, ଇହୁଦୀ ଓ ଜୋରାଷ‌୍ଟ୍ରିଆନ୍‌ ମାନେ (ସର୍ବସାଧାରଣ ସ୍ଥାନ ବ୍ୟତୀତ ବ୍ୟକ୍ତିଗତ ସ୍ଥଳରେ) ମଦ ପିଇବା ଲାଗି ଅନୁମତି ରହିଛି। ଔଷଧ ଓ ସାନିଟାଇଜିଂ ଉତ୍ପାଦ ନିମନ୍ତେ ବ୍ୟବହାର ଯୋଗ୍ୟ ଆଲକହଲ (ମିଥାନଲ୍‌ ବା ମିଥାଇଲ ଆଲକହଲ) ପ୍ରସ୍ତୁତି ପାଇଁ ଇରାନରେ ଏବେ ୪୦ରୁ ଅଧିକ କାରଖାନା ରହିଛି।

Comments are closed.