Odisha Link
Bridging the Missing Links in Odisha

ଡାକ୍ତରଖାନା ଫେରାଇଦେଲା, ଘରମାଲିକ କବାଟ ଖୋଲିଲେନି: ଶବସହ ରାସ୍ତାରେ ପତ୍ନୀ ଆଉ କନ୍ୟା

ଉଭୟ ଡାକ୍ତରଖାନା ନାମରେ ମାମଲା ରୁଜୁ ସହ ପୀଡ଼ିତାଙ୍କୁ କ୍ଷତିପୂରଣ ଦିଆଯିବା ଉଚିତ
ଅମର ପଟ୍ଟନାୟକ, ସାଂସଦ ଓ ବିଜେଡି ନେତା

ଭୁବନେଶ୍ବର: ଗୋଟିଏ ପଟେ କରୋନା ମହାମାରୀ ସଂକ୍ରମଣ ବେଳେ ଡାକ୍ତରମାନଙ୍କ ଉତ୍ସର୍ଗୀକୃତ ସେବା ଓ ତ୍ୟାଗର ପ୍ରଶଂସା ହେଉଥିବା ବେଳେ ଭୁବନେଶ୍ବରରେ ଅମାନବିକତାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ସଭ୍ୟ ସହରୀ ଲୋକଙ୍କ ହୃଦୟ ଯେ କେତେ କଠୋର ହୋଇପାରେ ଏଇ ଗୋଟିଏ ଘଟଣା ତା’ର ଉଦାହରଣ ମାତ୍ର। ଡାକ୍ତରଖାନା ଓ ଘରମାଲିକଙ୍କ ଦୂର୍ ଦୂର୍‌ ମାର୍‌ ମାର୍‌ ପରେ ଅଧରାତିରେ ସ୍ବାମୀଙ୍କ ଶବ ଧରି ଜଣେ ମହିଳା ନିଜର ଝିଅ ସହ ରାଜଧାନୀ ରାସ୍ତାରେ ପଡ଼ି ରହିବା ଠାରୁ ଅଧିକ କରୁଣ ଆଉ କ’ଣ ବା ହୋଇପାରେ।

ଘଟଣା ଘଟିଛି, ଚଳିତ ସପ୍ତାହ ସୋମବାର ବିଳମ୍ବିତ ରାତିରେ। ରସୁଲଗଡ଼ରେ ରହୁଥିବା ବିଏସ୍‌ଏନ‌୍ଏଲ୍‌ର ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ର ନାୟକ (୬୧) ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସେ ଜଣେ ମଧୁମେହ ରୋଗୀ ହୋଇଥିବାରୁ ତୁରନ୍ତ ତାଙ୍କର ଚିକିତ୍ସା ଦରକାର ଥିଲା। ପାଖରେ ପତ୍ନୀ ଆଉ କନ୍ୟା ଥିଲେ। ସେମାନେ ଯାବତୀୟ ଅସୁବିଧା ସତ୍ତ୍ବେ ତୁରନ୍ତ ଏକ ଗାଡ଼ି ଯୋଗାଡ଼ କରି ହସ୍ପିଟାଲ ଅଭିମୁଖେ ବାହାରିଥିଲେ। ତେବେ ଦୁଇଟି ଘରୋଇ ହସ୍ପିଟାଲ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ରବୀନ୍ଦ୍ରଙ୍କ ଚିକିତ୍ସା ମନା କରି ଦେଇ ଫେରାଇ ଦେଇଥିଲେ। ତେବେ ରାତି ୨.୩୦ ପରେ ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ରବୀନ୍ଦ୍ରଙ୍କୁ ସ୍ବାସ୍ଥ୍ୟ ପରଖିବାକୁ ରାଜି ହୋଇଥିଲେ। ସେତେବେଳକୁ କିନ୍ତୁ ଡେରି ହୋଇ ଯାଇଥିଲା। ରାତି ୨ଟା ୪୦ରେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କଲେ।

ତେବେ ଏତିକିରେ ରବୀନ୍ଦ୍ରଙ୍କ ପତ୍ନୀଙ୍କ ଦୁଃଖ ଶେଷ ହେଲାନି। ତାଙ୍କ ଇଂଜିନିୟର ପୁଅ ବାହାରେ ଥିବା ବେଳେ ସେ ପୁଣି ସ୍ବାମୀଙ୍କ ଶବ ଧରି ରସୁଲଗଡ଼ର ବାସୁଦେବ ନଗର ସ୍ଥିତ ଭଡ଼ା ଘରକୁ ଲେଉଥିଲେ। ଏକ ଚାରିମହଲା ଘରର ନିର୍ଦ୍ଦିଷ୍ଟ ଅଂଶରେ ସେମାନେ ଭଡ଼ାରେ ରହୁଥିବା ବେଳେ ଘର ମାଲିକ ସେମାନଙ୍କୁ ଘରକୁ ଯିବାକୁ ଦେଇନଥିଲେ ବୋଲି ଅଭିଯୋଗ ହୋଇଛି। ଅସହାୟ ଓ ସ୍ବାମୀଙ୍କ ମୃତ୍ୟୁରେ ଦୁଃଖୀ ମହିଳା ଜଣକ ନିଜ ଝିଅ ଓ ସ୍ବାମୀଙ୍କ ଶବ ସହ ସକାଳ ଯାଏଁ ଘର ବାହାର ରାସ୍ତାରେ ବସି ରହିଥିଲେ। ସକାଳୁ ସକାଳୁ ସତ୍ୟନଗର ମଶାଣୀରେ ମୃତ ରବୀନ୍ଦ୍ରଙ୍କ ଶବଦାହ ହୋଇଥିଲା। ପୁଅର ଅନୁପସ୍ଥିତିରେ ଝିଅ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।

ଏ ଘଟଣା ନେଇ ସେମାନେ କୌଣସି ଅଭିଯୋଗ ବା ପ୍ରତିବାଦ କରିନାହାନ୍ତି। ଭୁବନେଶ୍ବରରେ ଏକ ଭୟଙ୍କର ରାତିକୁ ସାମନା କରିଥିବା ମା’-ଝିଅ ଏ ଘଟଣା ପରେ ନିଜ ଗାଁକୁ ଫେରି ଯାଇଛନ୍ତି।

ଅନ୍ୟପଟେ ସେମାନେ ଦୁଇ ଡାକ୍ତରଖାନାର ମଶଳିକମାନଙ୍କ ନାମରେ ଏଫ୍‌ଆଇଆର୍‌ କରିବା ଉଚିତ ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ବିଜେଡି ନେତା ତଥା ସାଂସଦ ଅମର ପଟ୍ଟନାୟକ। ଅନୁରୂପ ଭାବେ ପୀଡ଼ିତା ଆଇନ ଅନୁସାରେ କ୍ଷତିପୂରଣ ପାଇବା ଉଚିତ ବୋଲି ସେ କହିଛନ୍ତି। ଏମିତି ହେଲେ ଯାଇ ଠକ ଡାକତତରଖାନା ଓ ଡାକ୍ତରମାନଙ୍କୁ ଉଚିତ ଶିକ୍ଷା ମିଳିବ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି।

Comments are closed.