Odisha Link
Bridging the Missing Links in Odisha

ରାମାୟଣକୁ ଅପମାନ ଅଭିଯୋଗ, କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ନାମରେ ଏତଲା

ଭୁବନେଶ୍ବର: ରାମାୟଣର ସୀତାଙ୍କ ନାମରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଜଣାଶୁଣା କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଛି। ଅନ୍‌ଲାଇନ୍‌ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନ ନାସନାଲ ସାଇବର କ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲରେ ଖୋର୍ଦ୍ଧା ଜିଲ୍ଲାର ଜଣେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସଦସ୍ୟ ଏହି ମାମଲା ରୁଜୁ କରିଥିବା ସୂଚନା ମିଳିଛି। ଅନ୍ୟ ପଟେ ସେ ପୁରାଣର ସୀତାଙ୍କୁ ଅପମାନ ଦେବା ଭଳି କିଛି ଲେଖିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ପଣ୍ଡା।

ସୀତା ମାତାଙ୍କ ପ୍ରତି କବି ଶ୍ରୀ ପଣ୍ଡାା ଦୁର୍ବ୍ୟବହାରପୂର୍ଣ ବକ୍ତବ୍ୟ ଫେସବୁକ୍‌ ମାଧ୍ୟମରେ ରଖିଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। ବାରମ୍ବାର ଏଭଳି ଆଚରଣ ଦେଖିବାକୁ ମିଳୁଥିବା ଦର୍ଶାଇ ଅଭିଯଯୋଗକାରୀ ଶ୍ରୀ ପଣ୍ଡା ଓ ତାଙ୍କର ସମର୍ଥକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବର୍ତ୍ତମାନ ଶ୍ରୀ ପଣ୍ଡା ପୋଷ୍ଟଟିକୁ ପ୍ରାଇଭେଟ୍‌ କରିଦେଇଥିବାରୁ ଦ୍ୟଶ୍ୟମାନ ହେଉନାହିଁ ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି। ସୂଚନା ଓ ପ୍ରଯୁକ୍ତି ଆଇନ ୨୦୦୦ ଆଧାରରେ ମାମଲା ରୁଜୁ ହୋଇଛି।

ଏପ୍ରିଲ ୨୭ ତାରିଖରେ କବି ଶ୍ରୀ ପଣ୍ଡା ତାଙ୍କ ଫେସବୁକ କାନ୍ଥରେ ଏକ କବିତାଂଶ ଛାଡ଼ିଥିଲେ, ଯେଉଁଥିରେ ଉଲ୍ଲେଖ ଥିଲା- “ଅଶୋକ ବନରେ ତମେ ଇଚ୍ଛିପାର ରାବଣର ବଳାତ୍କାର / ଅଗ୍ନିପରୀକ୍ଷାରେ ଏଣେ ହୋଇପାର ଅନାୟାସରେ ଉତ୍ତୀର୍ଣ୍ଣ / ତମେ କାହାରି ନୁହଁ।”

ଅନ୍ୟପଟେ ଏଭଳି ଅଭିଯୋଗକୁ ନେଇ ଫେସବୁକରେ ପ୍ରତିକ୍ରିୟା ରଖିଛନ୍ତି କବି ଶ୍ରୀ ପଣ୍ଡା। ସେ କହିଛନ୍ତି,

୧୯୭୮ରେ ପ୍ରକାଶ ପାଇଥିବା ମୋର କବିତା ‘ତମେ କାହାର ନୁହଁ’ର ଏ ଧାଡ଼ିଟି ଏକ ଅଂଶ। ଏହା ଏକ ପ୍ରେମ କବିତା ଥିଲା। ଏହା କୌଣସି ନିର୍ଦ୍ଦିଷ୍ଟ ମହିଳା ବା ଦେବୀଙ୍କୁ ନେଇ ରଚିତ ହୋଇନାହିଁ। ଏଥିରେ ଥିବା ସଂଦର୍ଭଗୁଡ଼ିକ (allusions/references) ସାଙ୍କେତିକ (symbolic) ଓ ରୂପକୀୟ (metaphoric)। କାହାରିକୁ ବଦନାମ କରିବା ଏହାର ଉଦ୍ଦେଶ୍ୟ ନୁହେଁ।

ତାଙ୍କର କବିତାଟି ଆଦୌ ସୀତା ବା ରାମାୟଣ ବିରୋଧୀ ନୁହେଁ ବୋଲି ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି। ସାରାଜୀବନ ଦୁଃଖ ସହି ଆସିଥିବା ସୀତାଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ବୋଲି ସେ ଲେଖିଛନ୍ତି। ସୂଚନାଯୋଗ୍ୟ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପ୍ରସିଦ୍ଧ କବିତା ସଂକଳନ ‘ଅନ୍ୟା’ରେ ଏ କବିତାଟି ପ୍ରକାଶିତ ହୋଇଛି ଏବଂ ଏଥିରେ କୌଣସି ବି ସ୍ଥାନରେ ସୁଦ୍ଧା ‘ସୀତା’ ଶବ୍ଦର ଉଲ୍ଲେଖ ନାହିଁ।

Comments are closed.