Odisha Link
Bridging the Missing Links in Odisha

ଓଡ଼ିଶାରେ ଆଳୁ ୩୦ ଛୁଇଁଲା

ଭୁବନେଶ୍ବର: କରୋନା ମହାମାରୀ ସଙ୍କଟ ସମୟରେ ରାଜ୍ୟରେ ବଢ଼ିଲା ଆଳୁ ଦର। କରୋନା ଓ ଲକ୍‌ଡାଉନ୍ କଟକଣା ଲାଗି ରହିଥିବାରୁ ଗରିବ ଲୋକେ ସମ୍ପୂର୍ଣ୍ଣ ରୋଜଗାରକ୍ଷମ ହୋଇ ପାରିନାହାନ୍ତି। ହେଲେ ଏଭଳି ସ୍ଥିତିରେ ରଜ୍ୟର ଖାଉଟି ବଜାରରେ ଆଳୁ ଦର ବୃଦ୍ଧି ପାଇଛି। ଗତ ସପ୍ତାହରେ ଖୁଚୁରା ବଜାରରେ କିଲୋ ୨୦/୨୨ଟଙ୍କାରେ ବିକ୍ରି ହେଉଥିବା ଆଳୁ ଆଜି ୩୦ ଟଙ୍କାକୁ ଛୁଇଁଛି। ପଶ୍ଚିମବଙ୍ଗରେ ଆଳୁ ଦର ବୃଦ୍ଧି ଘଟିଥିବାବେଳେ ଓଡ଼ିଶାକୁ ଆମଦାନି ହ୍ରାସ ପାଇଥିବାରୁ ଏଭଳି ଘଟିଛି ବୋଲି ବ୍ୟବସାୟୀମାନେ କହିଛନ୍ତି।

ବାତ୍ୟା ଅମ୍ଫାନ୍‌ ପାଇଁ ପଶ୍ଚିମବଙ୍ଗରେ ଜନଜୀବନ ସ୍ବାଭାବିକ ହୋଇନଥିବାରୁ ଆଳୁ ଆମଦାନି ପ୍ରଭାବିତ ହୋଇଛି ବୋଲି ସୂଚନା ରହିଛି। ସେହିଭଳି ବିଭିନ୍ନ କାରଣରୁ ଆଳୁ ରପ୍ତାନିକାରୀ ବ୍ୟବସାୟୀମାନେ ମଧ୍ୟ ଆଳୁ ଦର ବଢ଼ାଇଥିବାରୁ ଓଡ଼ିଶାରେ ଆଳୁ ଦର ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। କିନ୍ତୁ ରାଜ୍ୟ ସରକାର ଖୁଚୁରା ବେପାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉନଥିବାରୁ ଖାଉଟିମାନେ ଅଧିକ ମାତ୍ରାରେ ଶୋଷଣର ଶିକାର ହେଉଛନ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି।

ବାତ୍ୟା ଅମ୍ଫାନ୍ ପରେ ଏବେ ୧୫୦ରୁ ୨୦୦ ଟନ୍‌ ଆଳୁ ପଶ୍ଚିମବଙ୍ଗରୁ ଆସୁଛି। ସେଠାରେ ମଧ୍ୟ ଆଳୁ ଦର କ୍ବିଣ୍ଟାଲ ପିଛା ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେଠାରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରିଲିଫ୍‌ କାର୍ଯ୍ୟକ୍ରମ ଚାଲିଥିବାରୁ ଆଳୁ ଦର ବଢ଼ିଛି ବୋଲି କୁହାଯାଉଛି। ତେବେ ଏହି ଦର ବୃଦ୍ଧିକୁ ନେଇ ଏବେଠାରୁ କିଛି ଆକଳନ କରିବା ମୁସ୍କିଲ୍‌ ବୋଲି କିଛି ବ୍ୟବସାୟୀ ଆଶଙ୍କା କରିଛନ୍ତି। ଏବେ ଆଳୁ, ଡାଲି, ପିଆଜ ଭଳି ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‌ ଉପରୁ କେନ୍ଦ୍ର ସରକାର କଟକଣା ହଟାଇ ନେଇଥିବାରୁ ଭବିଷ୍ୟତରେ ଏହାର କୁପ୍ରଭାବ ଖାଉଟିମାନଙ୍କ ଉପରେ ପଡ଼ିବ ବୋଲି ସେମା‌ନେ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପଦ‌କ୍ଷେପକୁ ସମସ୍ତେ ଅପେକ୍ଷା କରିଛନ୍ତି।

Comments are closed.