Odisha Link
Bridging the Missing Links in Odisha

କରୋନା ମୁକାବିଲାରେ ରାଜ୍ୟ ସରକାର ଏବଂ ମହାନଗର ନିଗମର ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ବର: ରାଜ୍ୟ ସମେତ ବିଭିନ୍ନ ମହାନଗର ନିଗମ ଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ବର୍ତମାନ ରାଜ୍ୟସରକାର ଭୁବନେଶ୍ୱର ମହାନଗର ସମେତ କଟକ ମହାନଗର ଏବଂ ଖୋର୍ଦ୍ଧା, ଗଂଜାମ, ଯାଜପୁର ଓ କଟକ ଜିଲ୍ଲାର ସମସ୍ତ ସହରାଂଚଳକୁ ସଟଡାଉନ ଘୋଷଣା କରିଛନ୍ତି। ରାଜ୍ୟସରକାର କେବଳ ସଟଡାଉନ ଘୋଷଣା କରି ସବୁ ଦାୟିତ୍ୱ ସରିଗଲା ବୋଲି ଭାବୁଛନ୍ତି। ଏହି ସମସ୍ତ ସହରାଂଚଳରେ ରହୁଥିବା ବସ୍ତିବାସିନ୍ଦା, ଉଠାଦୋକାନି, ବୁଲାବେପାରି ଆଦି ଯେଉଁ ସମସ୍ୟା ଭୋଗୁଛନ୍ତି ତାହା ବୋଧେ ରାଜ୍ୟସରକାରଙ୍କ ଦେଖିପାରୁନାହାଁନ୍ତି। କରୋନା ନାଁରେ ରାଜ୍ୟସରକାର ଓ ମହାନଗର ନିଗମ ସେମାନଙ୍କ ପେଟକୁ ଲାତ ମାରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନାରେ ଉଠା ଦୋକାନି ମାନଙ୍କ ପାଇଁ ୧୦ ହଜାର ଟଙ୍କାର ବିନା ବନ୍ଧକରେ ଋଣର ବ୍ୟବସ୍ଥା କରିଛନ୍ତି। ରାଜ୍ୟସରକାର ଏହି ଯୋଜନାର ଫେସିଲିଟେଟର ଭୂମିକାରେ ରହିବା କଥା। ହେଲେ ରାଜ୍ୟସରକାର ତାହା କରୁନାହାନ୍ତି। କାରଣ ଏମାନଙ୍କୁ ଡର ଖାଉଛି କାଳେ ନରେନ୍ଦ୍ରମୋଦି ନାଁ ନେଇଯିବେ। କେବଳ ଭୁବନେଶ୍ୱରରେ ଅସ୍ଥାୟୀ ଦୋକାନି ୨୪୪୦, ଉଠା ଦୋକାନି ୧୯୦୪୩ (୧୭,୭୬୭ ହେଉଛନ୍ତି ଷ୍ଟେସନର ଉଠାଦୋକାନି, ୧୨୭୬ ହେଉଛନ୍ତି ଫେରିବାଲା) ଅଛନ୍ତି। ସରକାର ରାଜନୀତିର ଉପରକୁ ଉଠି ଏମାନଙ୍କ କଥା ଚିନ୍ତା କରିବା ଦରକାର। କିପରି ଏମାନେ ଆତ୍ମନିର୍ଭର ଭାରତ ଯୋଜନାରେ ସାମିଲ ହୋଇ ପୁଣି ସେମାନଙ୍କ ବେପାର ଆରମ୍ଭ କରି ଗୁଜୁରାଣ ମେଂଟାଇବେ ତାହା ରାଜ୍ୟସରକାର ଚିନ୍ତା କରିବା ସହ ସେମାନଙ୍କୁ ବୀମାଭୁକ୍ତ କରି ବୀମାର ପ୍ରିମିୟମରାଶି ଖୋଦ୍ ରାଜ୍ୟସରକାର ଭରଣା କରିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, କେବଳ ଭୁବନେଶ୍ୱରରେ ୪୩୬ ବସ୍ତିରେ ରହୁଛନ୍ତି ୮୦୬୬୫ ପରିବାର ଏବଂ ୩ ଲକ୍ଷରୁ ଅଧିକ ଲୋକ। ସେହିପରି କଟକ ମହାନଗରରେ ୩୦୯ ବସ୍ତି ଅଛି ଯେଉଁଥିରେ ପାଖାପାଖି ୨ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି । ସଟଡାଉନ ହୋଇଥିବା ଅନ୍ୟ ସମସ୍ତ ସହରାଂଚଳରେ ଜନସଂଖ୍ୟାକୁ ମିଶାଇଲେ ଏହା ୧୫ ଲକ୍ଷ ପାରିହେବ। ଏମାନଙ୍କ ସମସ୍ୟାକୁ ମହାନଗର ନିଗମର ଅଧିକାରୀମାନ ବୁଝି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଦରକାର।

ବସ୍ତିଗୁଡିକରେ ରହୁଥିବା ଲୋକମାନେ ମୁଖ୍ୟତଃ କିଏ ଦିନ ମଜୁରିଆ ଭାବେ କାମକରୁଥିଲା, କିଏ ଅଟୋ ଚଲାଉଥିଲା, କିଏ ଠେଲା ଗାଡି ଲଗାଉଥିଲା ଓ ଅନ୍ୟାନ୍ୟ କାମ ଧନ୍ଦା କରି ଚଳୁଥିଲେ। ସଟଡାଉନ ଯୋଗୁଁ ଏବେସବୁ ବନ୍ଦ ହୋଇଛି। ଏବେ ନା ଦିନ ମଜୁରିଆଙ୍କ ପାଇଁ କାମ ଅଛି ନା ଅଟୋ ଚାଲୁଛି ନା ଉଠା ଦୋକାନି ତାର ଦୋକାନ ଖୋଲି ପାରୁଛି । ହାତକୁକାମ ନାହିଁ କି ରୋଜଗାର ନାହିଁ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାସକୁ ୫ କିଲୋ ଚାଉଳ, ୧ କିଲୋ ଡାଲି, ଅଗ୍ରିମ ସାମାଜିକ ସୁରକ୍ଷା ଭତା, ଜନଧନ ଖାତା ଧାରି ମହିଳାମାନଙ୍କୁ ୧ ହଜାର ଟଙ୍କା ଆଦିର ସାହାଯ୍ୟ ଯୋଗାଇ ଦେଇଛନ୍ତି। କିନ୍ତୁ ରାଜ୍ୟସରକାର କିମ୍ବା ମହାନଗର ନିଗମ ସେମାନଙ୍କ ପାଇଁ କୌଣସି ଠୋସ୍ ପଦକ୍ଷେପ ନେଉ ନାହାଁନ୍ତି। ରାଜ୍ୟସରକାର ନିମ୍ନ ମଧ୍ୟବିତ ଆୟ ବର୍ଗକାରୀଙ୍କ ପାଇଁ ଆର୍ଥୀକ ପ୍ୟକେଜ ଘୋଷଣା କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି।

ଭୁବନେଶ୍ୱର ହେଉ ବା ଅନ୍ୟ ସହରାଂଚଳ ହେଉ ବସ୍ତିଗୁଡିକ ଅତ୍ୟନ୍ତ ଜନବହୁଳ ଅର୍ଥାତ କମସ୍ଥାନରେ ଅଧିକ ଲୋକ ରହୁଛନ୍ତି। ଗୋଟିଏ ଗୋଟିଏ ବଖରାଘରେ ୪ରୁ ୫ ଜଣ ଲେଖାଏଁ ସଦସ୍ୟ ରହୁଛନ୍ତି। ବର୍ତମାନ ଭୁବନେଶ୍ୱରରେ ଦୈନିକ ଯାହା କରୋନା ପଜିଟିଭ ବାହାରୁଛି ସେଥିରୁ ଅଧିକ ହେଉଛି ଲୋକାଲ କେସ। ଅନେକ ଦିନ ବସ୍ତିର କରୋନା ପଜିଟିଭ ସଂଖ୍ୟା ଅନ୍ୟ ଅଂଚଳ ଠାରୁ ବଳିଯାଉଛି। ଏପରି ସ୍ଥିତିରେ ବସ୍ତିରେ କରୋନା ସ୍ଥାନୀୟ ସଂକ୍ରମଣ ଗୋଷ୍ଠିସଂକ୍ରମଣର ଆଶଙ୍କା ବି ସୃଷ୍ଟିହେଲାଣି। ଏହାକୁ ମୁକାବିଲା କରିବା ପାଇଁ ସରକାରଙ୍କର ରୋଡମ୍ୟାପ କଣ ? କୌଣସି ବସ୍ତି ସାନିଟାଇଜେସନ ହେଉନାହିଁ । କେବଳ ଦିନ ଦୁଇ ଦିନ ପାଇଁ କଂଟେନମେଂଟ ଘୋଷଣା ସମାଧାନ ନୁହେଁ । ସମସ୍ତ ବସ୍ତିକୁ ଯଥାଶିଘ୍ର ସାନିଟାଇଜେସନ କରାଯାଉ। ଏହା ସହ ବସ୍ତି ବାସିନ୍ଦାମାନଙ୍କୁ ମାଗଣା ମାସ୍କ ଓ ସାନିଟାଇଜେସନ ଯୋଗାଇ ଦିଆଯାଉ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ଜଗନ୍ନାଥ ପ୍ରଧାନ ଏବଂ ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.