Odisha Link
Bridging the Missing Links in Odisha

ଦେଶରେ କରୋନା ଆରୋଗ୍ୟ ହାର ୭୬.୩୦ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଭାବେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଉଛି। ଆଜି ଦେଶରେ ଆରୋଗ୍ୟ ହାର ୭୬.୩୦ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ୬୭ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୬୩ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକମାନଙ୍କ ସଂଖ୍ୟାର ସାଢ଼େ ତିନି ଗୁଣକୁ ବୃଦ୍ଧି ପାଇଛି। ଗତ ୨୫ ଦିନ ଧରି ଦେଶରେ ଆରୋଗ୍ୟ ହାର ଶତକଡ଼ା ଶହେ ଭାଗରୁ ଅଧିକ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମୁତାବକ,ଗତ ୨୪ ଘଣ୍ଟା ଭିତରେ ଆଉ ୬୭ ହଜାର ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ କୋଭିଡ୍‍ ସଂକ୍ରମିତମାନଙ୍କ ସଂଖ୍ୟା ୩୨ ଲକ୍ଷ ୩୪ ହଜାର ୪୭୫ ରହିଛି। ଗୋଟିଏ ଦିନରେ ୧ହଜାର ୫୯ ଜଣଙ୍କର ମୃତ୍ୟୁ ଘଟି ଥିବାରୁ କୋବିଡ ମୃତ୍ୟୁ ସଂଖ୍ୟା ୫୯ ହଜାର ୪୪୯ରେ ପହଞ୍ଚିଛି। ଦେଶରେ ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇ ୧. ୮୪% ରହିଛି। ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ୍‍-୧୯ ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ ନିମ୍ନରେ ରହିଛି।

ଗତ ୨୪ ଘଣ୍ଟା ଭିତରେ ଆଉ ୮ଲକ୍ଷ ୨୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯିବା ସହ ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୭୬ ଲକ୍ଷ ୫୧ ହଜାର ନମୁନା ପରୀକ୍ଷା କରାଯାଇଛି। ନମୁନା ପରୀକ୍ଷା ବୃଦ୍ଧି ପାଇବା ସହ ସଂକ୍ରମିତ ମାନଙ୍କ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସଂକ୍ରମିତ ପ୍ରତିଶତ ସାପ୍ତାହିକ ଭିତ୍ତିରେ ମୋଟ୍‍ ନମୁନା ପରୀକ୍ଷାର ୮ ପ୍ରତିଶତ ରହିଛି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ୨୬ ହଜାରକୁ ବୃଦ୍ଧି ପାଇଛି।

Comments are closed.