Odisha Link
Bridging the Missing Links in Odisha

ପୁଲୱାମା ଆକ୍ରମଣ: ମହିଳା ଗିରଫ, ବାପାଙ୍କ ସହ ମିଶି ଆତଙ୍କବାଦୀଙ୍କୁ କରୁଥିଲେ ସାହାଯ୍ୟ

ଶ୍ରୀନଗର: ପୁଲଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ଜୋରଦାର ଯାଞ୍ଚ ଆରମ୍ଭ କରିଛି ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (NIA)। ଯାଞ୍ଚ ଯେତିକି ଆଗକୁ ବଢ଼ୁଛି ଗୋଟାଏ ପରେ ଗୋଟିଏ ସତ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଦେଶକୁ ଦୋହଲାଇ ଦେବା ପରି ଏଭଳି ଆତଙ୍କୀ ହମଲା ପାକିସ୍ତାନର ଆତଙ୍କୀ ସଙ୍ଗଠନ ଜୈସ୍-ଏ-ମହମ୍ମଦର ଦ୍ବାରା ହୋଇଥିଲା। ଯାହାର ପ୍ରସ୍ତୁତି ଆକ୍ରମଣର ୨ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ବୋଲି ସୂଚନା ରହିଛି।

ଏହି ଆକ୍ରମଣ ପୂର୍ବରୁ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ପାଇଁ ଆଫଗାନିସ୍ତାନ ପଠାଯାଇଥିଲା। ତାଲିବାନ ଆତଙ୍କୀ କ୍ୟାମ୍ପରେ ତାଙ୍କୁ ବ୍ଲାଷ୍ଟ ଟ୍ରେନିଙ୍ଗ୍‌ ଦିଆଯାଇଥିଲା। NIAର ଅନୁସନ୍ଧାନରେ ଏବେ ଏହି ଘଟଣାରେ ସାମିଲ ଥିବା ଏକମାତ୍ର ମହିଳାଙ୍କର ଭୂମିକା ସାମ୍ନାକୁ ଆସିଛି।

ସୂଚନାରୁ ମିଳିଛି ଯେ, ଅନୁସନ୍ଧାନ ସମୟରେ ଗିରଫ ହୋଇଥିବା ଏକମାତ୍ର ମହିଳା ଇଂଶା ଜାନ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଫାରୁକର ନିକଟ ସହଯୋଗୀ ଥିଲେ। ସେ ତାଙ୍କ ସହଯୋଗୀ ଆତଙ୍କବାଦୀଙ୍କୁ ଯଥାସମ୍ଭବ ସାହାଯ୍ୟ କରିଥିଲେ ବୋଲି ସୂଚନା ରହିଛି।

NIA ଦାଖଲ କରିଥିବା ଚାର୍ଜସିଟରେ ଦର୍ଶାଯାଇଛି ଯେ, ମାର୍ଚ୍ଚରେ ସୁରକ୍ଷା ବାହିନୀ ଦ୍ୱାରା କାଶ୍ମୀରରେ ମୃତ୍ୟୁ ହୋଇଥିବା ମୁଖ୍ୟ ପାକିସ୍ତାନୀ ଷଡଯନ୍ତ୍ରକାରୀ ମହମ୍ମଦ ଓମାର ଫାରୁକଙ୍କ ସହଯୋଗୀ ଥିଲେ ୨୩ ବର୍ଷିୟ ଇଂଶା ଜାନ। ସେ ଫୋନ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଚାର୍ଜସିଟିରେ ଦର୍ଶାଯାଇଛି।

NIAର ସୂଚନା ଅନୁଯାୟୀ, ଇଂଶା ଜାନଙ୍କ ବାପା ତାରିକ ପିର ମଧ୍ୟ ଫାରୁକ୍ ଏବଂ ତାଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ। ଉମର ଫାରୁକ୍ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ପୁଲୱାମା ଏବଂ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟରେ ତାରିକ୍ ପିର ସାହାଯ୍ୟ କରିଥିଲେ। ଏପରିକି ୨୦୧୮ ଓ ୨୦୧୯ରେ ବହୁଥର ଆତଙ୍କବାଦୀ ମାନେ ତାଙ୍କ ଘରେ ରହୁଥିଲେ ମଧ୍ୟ। NIAର ଏଭଳି ତଥ୍ୟ ସମସ୍ତଙ୍କୁ ଚକିତ କରିଛି।

Comments are closed.