Odisha Link
Bridging the Missing Links in Odisha

ଆଜି ନିଟ୍‌ ପରୀକ୍ଷା: ରାଜ୍ୟର ୭ଟି ସହରରେ ପରୀକ୍ଷା ଦେବେ ୩୭ ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ

ଭୁବନେଶ୍ବର: କରୋନା କଟକଣା ଭିତରେ ଆଜି ଅନୁଷ୍ଠିତ ହେବ ନିଟ୍‌ ପରୀକ୍ଷା। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ସାରା ଦେଶରେ ୩୮୪୨ କେନ୍ଦ୍ରରେ ୧୫ ଲକ୍ଷ ୯୭ ହଜାର ୪୩୩ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ବେଳେ ଓଡ଼ିଶାରୁ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ଓଡ଼ିଶାର ୭ଟି ସହରରେ ୮୪ଟି ପରୀକ୍ଷା କେନ୍ଦ୍ର ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ କଟକର ୧୪ଟି ପରୀକ୍ଷା କେନ୍ଦ୍ରରେ ୫୯୪୯, ସମ୍ବଲପୁରର ୧୪ଟି କେନ୍ଦ୍ରରେ ୪୮୮୮, ବାଲେଶ୍ବରର ୧୧ଟି କେନ୍ଦ୍ରରେ ୩୮୩୧, ବ୍ରହ୍ମପୁରର ୭ଟି କେନ୍ଦ୍ରରେ ୩୯୪୧, ରାଉରକେଲାର ୫ଟି କେନ୍ଦ୍ରରେ ୧୯୬୦ ଓ ଅନୁଗୁଳର ୨ଟି ପରୀକ୍ଷା କେନ୍ଦ୍ରରେ ୧୨୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେ‌ବେ।

ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ପରୀକ୍ଷା ହେବାକୁ ଥିବାରୁ ପୂର୍ବାହ୍ନ ୧୧ଟାରେ ପରୀକ୍ଷା କେନ୍ଦ୍ର ଗେଟ୍‌ ଖୋଲିବ ଓ ଅପରାହ୍ନ ୧ଟା ୩୦ରେ ବନ୍ଦ କରାଯିବ। ଛାତ୍ରଛାତ୍ରୀଙ୍କୁ ୧୨ଟା୩୦ରୁ ୧ଟା୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ରିପୋର୍ଟିଂ କରିବାକୁ ପଡ଼ିବ। କରୋନା କଟକଣା ଭିତରେ ପରୀକ୍ଷା ହେବ। କୌଣସି ଛାତ୍ର କିମ୍ବା ଛାତ୍ରୀଙ୍କର ଚେକିଂ ସମୟରେ ଯଦି ଥଣ୍ଡା ଓ ଜ୍ୱର ଭଳି କରୋନାର ସାମାନ୍ୟ ଲକ୍ଷଣ ଥିବ, ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ଥିବା ଆଇସୋଲେସନ୍‌ ରୁମ୍‌ରେ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇପାରିବ। ଏନେଇ ନିଟ୍‌ ରାଜ୍ୟ ସଂଯୋଜିକା ପଲ୍ଲି ପଟ୍ଟନାୟକ ସୂଚନା ଦେଇଛନ୍ତି। କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ପରୀକ୍ଷା ସରିବା ପରେ ପ୍ରୋଭିଜନାଲ୍‌ ଆନସର୍‌ କି’ ଚଳିତ ମାସ ଶେଷ ସପ୍ତାହରେ ବାହାରିବାର ସମ୍ଭାବନା ରହିଛି। ସେହିପରି ଚୂଡ଼ାନ୍ତ ଆନସର୍‌ କି ଅକ୍ଟୋବର ପ୍ରଥମ ସପ୍ତାହରେ ଓ ପରୀକ୍ଷା ଫଳ ଦ୍ୱିତୀୟ ସପ୍ତାହରେ ବାହାରିବ ବୋଲି ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି।

Comments are closed.