Odisha Link
Bridging the Missing Links in Odisha

ପୁଛ୍‌ତା ହୈ ଭାରତ: ପ୍ରକୃତ ଖଳନାୟକ କିଏ? ରିୟା ନା ମିଡିଆ?

୩-୪ ଦିନ ତଳେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଏମ୍‌ସର ଡାକ୍ତରୀ ଟିମ୍ ବିଧିବଦ୍ଧ ଭାବେ ବୟାନ ଜାରି କରି କହିଥିଲେ: ସୁଶାନ୍ତଙ୍କୁ କେହି ହତ୍ୟା କରିନାହିଁ, ସେ ଆତ୍ମହତ୍ୟା ହିଁ କରିଛନ୍ତି।

ଆଜି ବମ୍ବେ ହାଇକୋର୍ଟ ଡ୍ରଗ୍ସ ଚାଲାଣ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ଦେଲାବେଳେ କହିଛନ୍ତି, ରିୟା କୌଣସି ଡ୍ରଗ୍ସ ଡିଲରଙ୍କ ସଂପର୍କରେ ନ ଥିଲେ। ସେ ସିଧାସଳଖ ଡ୍ରଗ୍ସ ଡିଲରଙ୍କଠାରୁ ଡ୍ରଗ୍ସ କିଣୁଥିଲେ ବୋଲି ଏନ୍‌ସିବି ଯେଉଁ ଅଭିଯୋଗ କରିଥିଲା, ତାହାର କୌଣସି ପ୍ରମାଣ ନାହିଁ।

ତାହେଲେ ପ୍ରକୃତ ଖଳନାୟକ କିଏ? ରିୟା ନା ମିଡିଆ?

ମାସ ମାସ ଧରି ମିଡିଆ ଟ୍ରାଏଲ୍ କରୁଥିବା ଦେଶର ବଡ଼ ବଡ଼ ସାମ୍ବାଦିକମାନେ ଏବେ ମୁହଁ ଲୁଚାଇବେ କେଉଁଠି? ମିଡିଆ ଟ୍ରାଏଲ୍‌ର ନିଆଁରେ ଘିଅ ଢାଳୁଥିବା କିଛି ରାଜନେତା, ଅଭିନେତା ଓ ବୁଦ୍ଧିଜୀବୀମାନେ ଏବେ କେଉଁଠି?
ନିଜକୁ ସାମ୍ବାଦିକତାର ମସିହା ମନେ କରୁଥିବା ଅର୍ଣ୍ଣବ ଗୋସ୍ବାମୀ ଦିନତମାମ ତାଙ୍କ ଚାନେଲରେ ବସି ଯେତେବେଳେ ଅସଭ୍ୟଙ୍କ ଭଳି ଚିତ୍କାର କରୁଥିଲେ, ଟେବୁଲ ବାଡେଇ, ଅଙ୍ଗୁଳି ଦେଖାଇ ଏବଂ ବିତର୍କକୁ ଆସିଥିବା ବିଚରାମାନଙ୍କୁ ଡରାଇ ଧମକାଇ ଗାଳିଗୁଲଜ କରୁଥିଲେ, ତାଙ୍କର କିଛି ଅନ୍ଧ ଭକ୍ତ କହୁଥିଲେ… ସେ କୁଆଡ଼େ ଜର୍ଣ୍ଣାଲିଜିମ୍‌ର ନୂଆ ‌ଧାରା ସୃଷ୍ଟି କରୁଛନ୍ତି। ଏହା ଭାରତୀୟ ସାମ୍ବାଦିକତାକୁ ନୂଆ ଉଚ୍ଚତାକୁ ନେଇଯିବ।
ସେତେବେଳେ ମୁଁ କିଛି କ୍ଷଣ ପାଇଁ ଘାବରେଇ ଯାଇଥିଲି। ସତରେ କ’ଣ ଆଗକୁ ଆମେ ଟିଭି ଷ୍ଟୁଡିଓରେ ବିତର୍କ ନାଁରେ ଏମିତି ଉଦଣ୍ଡ ଓ ଉଦ୍ଭଟ ବିତଣ୍ଡା ଦେଖିବୁ? ଦେଶବାସୀଙ୍କୁ ଅହରହ ମିଛ ଉତ୍ତେଜନା ବିକ୍ରି କରି ଟିଆର୍‌ପି ଆୟ କରୁଥିବା ଏଇ ଅର୍ଣ୍ଣବମାନଙ୍କ ରାଜ୍ ଚାଲିବ? ଦେଶବାସୀ ସତ କ’ଣ ଜାଣିବା ପୂର୍ବରୁ ଏମାନେ ନିଜ ଏଜେଣ୍ଡା ଅନୁସାରେ ସବୁକିଛି ମୋଡ଼ିମାଡ଼ି ଧ୍ବଂସ କରିଦେବେ?

ସତ କହୁଛି ଆଜ୍ଞା… ରିୟା, ଦୀପିକା, ସାରା ଓ ଶ୍ରଦ୍ଧାମାନେ ଡ୍ରଗ୍ସ ନେଉଥିବା ଦର୍ଶାଇ ଅର୍ଣ୍ଣବ ଯେତେବେଳେ ପାଗଳଙ୍କ ଭଳି ‘ମୁଝେ ‌ଡ୍ରଗ୍ସ ଦୋ… ମୁଝେ ଡ୍ରଗ୍ସ ଦୋ’ ଚିତ୍କାର କରୁଛନ୍ତି; ମୋର କାହିଁକି ମନେ ହେଉଛି, ସତରେ ସେ ଡ୍ରଗ୍ସ ହିଁ ମାଗୁଛନ୍ତି। କାରଣ ଡ୍ରଗ୍ସ ଭଳି ଉତ୍କଟ ନିଶା ଦ୍ବାରା କବଳିତ ନ ହେଲେ ଜଣେ ଏତେ ବଡ଼ ନିଉଜ୍ ଆଙ୍କର୍‌ ଟିଭି ପରଦାରେ ଏଭଳି ହାସ୍ୟାସ୍ପଦ ଓ ଲଜ୍ଜାଜନକ ଆଚରଣ ପ୍ରଦର୍ଶନ କରିବା ସମ୍ଭବ ନୁହେଁ।

ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ, ‘ଟଇମ୍‌ସ ନାଓ’ର ନିଉଜ୍ ଆୱାର୍‌ରେ ନିରୁତା ତଥ୍ୟ ଓ ଶାଣିତ ଯୁକ୍ତି ବଳରେ ସରକାରଙ୍କୁ ଅକଳରେ ପକାଉଥିବା ଏବଂ ଆମକୁ ମନ୍ତ୍ରମୁଗ୍ଧ କରି ପାରୁଥିବା ଉଦୀୟମାନ ଅର୍ଣ୍ଣବ ଗୋସ୍ବାମୀ କ’ଣ ଆଜିର ଏଇ ଉନ୍ମତ୍ତ, ଉଦଭ୍ରାନ୍ତ ଓ ଅସଭ୍ୟ ଅର୍ଣ୍ଣବ ଗୋସ୍ବାମୀ?

ଏତେସବୁ ସତ୍ତ୍ବେ ଆଜି ବି ନିଜ ଚା‌ନେଲ୍ ‘ରିପବ୍ଲିକ୍‌ ଭାରତ’ରେ ରିୟାଙ୍କୁ ‘ହତ୍ୟାକାରିଣୀ’ ଓ ‘ଡ୍ରଗ୍ସ ଚାଲାଣକାରୀ’ ସଜାଇବା ଲାଗି ଅର୍ଣ୍ଣବ ଏବଂ ତାଙ୍କ ପଛରେ ଥିବା ରାଜନୈତିକ ଦଳ ସବୁକିଛି ବାଜି ଲଗାଇ ଦେଇଛନ୍ତି। ମାମଲାର ତଦନ୍ତକୁ ‌ଯେତେ‌ ପ୍ରକାରେ ପ୍ରଭାବିତ କରାଯାଇପାରେ ତାହା କରାଯାଉଛି। ସୁଶାନ୍ତଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ରିୟାଙ୍କ ଭୂମିକା କ’ଣ ତାହା ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ କରି ରିପୋର୍ଟ ଦେବା ପୂର୍ବରୁ ଗଣମାଧ୍ୟମରେ ତାଙ୍କୁ ପ୍ରତିଦିନ ଫାଶୀରେ ଝୁଲାଯାଉଛି, ତାଙ୍କ ଚରିତ୍ରକୁ ଦଳମକଚି ଖିନ୍‌ଭିନ୍ କରିଦିଆଯାଉଛି। ଆଉ ମେଣ୍ଢା ଭଳି ଦେଶର ବହୁ ମନୋରଞ୍ଜନପ୍ରିୟ ଜନତା ଏହି ମହାନାଟକରୁ ପୈଶାଚିକ ଆନନ୍ଦ ସାଉଁଟୁଛନ୍ତି, ତାଳି ମାରୁଛନ୍ତି, ବାହାବା କରୁଛନ୍ତି।

ଜଣେ ଛୋଟିଆ ସାମ୍ବାଦିକ ଭାବରେ ମୁଁ ଆଜି ଘୋର ଲଜ୍ଜା ଏବଂ ଦେଶର ଜଣେ ସାଧାରଣ ନାଗରିକ ଭାବେ ଭୀଷଣ ଭାବେ ପ୍ରତାରିତ ଅନୁଭବ କରୁଛି। କାରଣ ଅର୍ଣ୍ଣବଙ୍କ ଭଳି କିଛି ବଡ଼ ସାମ୍ବାଦିକ ଏତେ ମାସ ହେଲା ଟିଭ‌ି ପରଦାରେ ମିଡିଆ ଟ୍ରାଏଲ୍ ନାଁରେ ଦେଶବାସୀଙ୍କର ଶହ ଶହ ଘଣ୍ଟା ସମୟ ବରବାଦ କରିଛନ୍ତି ଏବଂ ‌କରୋନା ଭଳି ସଂକଟବେଳେ ଦେଶର ଅସଲ ପ୍ରସଙ୍ଗଗୁଡ଼ିକଠାରୁ ଲୋକଙ୍କୁ ଦୂରେଇ ନେଇ ପରୋକ୍ଷରେ ସରକାରଙ୍କ ଅପାରଗତାକୁ ସୁରକ୍ଷା ଦେଇ ଚାଲିଛନ୍ତି।

ଏବେ ବି ତଦନ୍ତ ଅଧାବାଟରେ ଅଛି। ତେଣୁ ମୁଁ ଆପଣମାନଙ୍କୁ ଏ ନେଇ କିଛି ନିଷ୍କର୍ଷରେ ପହଞ୍ଚିଯିବାକୁ କହୁନି। ତେବେ କିଛି ପ୍ରଶ୍ନ ମୋତେ ଏବେଠାରୁ ଆନ୍ଦୋଳିତ କରୁଛି। ଯଦି ଏମ୍‌ସ ଡାକ୍ତରୀ ଟିମ୍ ଓ ବମ୍ବେ ହାଇକୋର୍ଟଙ୍କ କଥା ସତ ହୁଏ ଏବଂ ସିବିଆଇ ତଦନ୍ତରୁ ରିୟା ଉଭୟ ସୁଶାନ୍ତ ମୃତ୍ୟୁ ଓ ଡ୍ରଗ୍ସ ଚାଲାଣ ମାମଲାରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୁଅନ୍ତି, ତାହେଲେ କ’ଣ ହେବ? ତଳିତଳାନ୍ତ ହୋଇ ସାରିଥିବା ରିୟା ଭଳି ଅନେକ ଅଭିନେତ୍ରୀ ସେମାନଙ୍କ ଭୂଲୁଣ୍ଠିତ ଇଜ୍ଜତ ଫେରିପାଇବେ ତ? ଦେଶବାସୀଙ୍କୁ ଭୁଆଁ ବୁଲାଇଥିବା ଏ ମିଛର ସୌଦାଗରମାନଙ୍କୁ ଏ ଦେଶର ଆଇନ ସଜା ଦେଇ ପାରିବ ତ?

Comments are closed.