Odisha Link
Bridging the Missing Links in Odisha

ଭ୍ୟାକସିନ୍ ନ ଅସିବା ଯାଏଁ କରୋନା ବିରୋଧୀ ଲଢ଼େଇ ଜାରି ରଖିବା: ମୋଦି

ନୂଆଦିଲ୍ଲୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କରୋନା ମୁକାବିଲାରେ ଭାରତ ସଫଳ ହୋଇଛି। ବିକଶିତ ଦେଶ ଠାରୁ ବି ଆମେ ଭଲ ସ୍ଥିତିରେ ଅଛୁ। ମୃତ୍ୟୁହାର କମିଛି। ସୁସ୍ଥ ହାର ବୃଦ୍ଧି ପାଇଛି। କରୋନା ପରୀକ୍ଷଣ ପାଇଁ ୨ ହଜାର ଲ୍ୟାବ ରହିଛି। ଖୁବଶୀଘ୍ର ଟେଷ୍ଟିଂ ସଂଖ୍ୟା ୧୦ କୋଟି ଟପିବ। ସେବା ପରମ ଧର୍ମ ମନ୍ତ୍ରରେ ଚାଲୁଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସୁରକ୍ଷା କର୍ମୀ ନିଃସ୍ୱାର୍ଥପର ସେବା କରୁଛନ୍ତି। ତେବେ କରୋନା ସଂକ୍ରମଣ କମିଛି ବୋଲି ଆମେ ଅସାବଧାନ ହେବା ଅନୁଚିତ।

ଯଦି ଆପଣମାନେ ବିନା ମାସ୍କରେ ବାହାରକୁ ଯାଉଥିବେ ତେବେ ନିଜକୁ, ନିଜ ପରିବାରକୁ ସଂକଟରେ ପକାଉଛନ୍ତି। ଆମେରିକା, ୟୂରୋପ ଭଳି ଦେଶରେ କରୋନା ସଂକ୍ରମଣ କମୁଥିଲା। କିନ୍ତୁ ହଠାତ ଚିନ୍ତାଜନକ ବୃଦ୍ଧି ହେବାରେ ଲାଗିଛି। କବୀରଙ୍କ ଦୋହାକୁ ଉଦ୍ଧୃତ କରି ସେ କହିଲେଯେ, ଯେପର୍ଯ୍ୟନ୍ତ ସଫଳତା ସମ୍ପୂର୍ଣ୍ଣ ମିଳିନାହିଁ ସେ ପର୍ଯ୍ୟନ୍ତ ଅମାନିଆ ହେବା ନାହିଁ । ଆମେ କରୋନା ଲଢେ଼ଇ ଆଦୌ କମ କରିବା ନାହିଁ । ମାନବତାକୁ ବଞ୍ଚାଇବା ପାଇଁ ବିଶ୍ୱରେ ଯୁଦ୍ଧସ୍ତରରେ କାମ କରାଯାଉଛି। ଆମ ଦେଶର ବୈଜ୍ଞାନିକମାନେ ମଧ୍ୟ ଟୀକା ବିକଶିତ ପାଇଁ ଦିନ ରାତି ଏକ କରିଦେଇଛନ୍ତି।

ପ୍ରତ୍ୟେକ ନାଗରିକଙ୍କୁ ଟୀକା ଦେବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଗକୁ ପାର୍ବଣ ସମୟ ଆସୁଛି। କିନ୍ତୁ ଏହି ସମୟରେ ଟିକେ ଅସାବଧାନତା ଆମ ଖୁସିକୁ ନଷ୍ଟ କରିଦେବ। ୨ ଗଜ ଦୂରତା, ମାସ୍କ ଲଗାଇବା, ହାତ ଧୋଇବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମିଡ଼ିଆ ବନ୍ଧୁ, ସୋସିଆଲ ମିଡ଼ିଆରେ ସକ୍ରିୟ ଥିବା ଲୋକମାନେ ଏନେଇ ଜନସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

Comments are closed.