Odisha Link
Bridging the Missing Links in Odisha

ନୀତୀଶଙ୍କ ଉପରକୁ ପିଆଜ ମାଡ଼

ମଧୁବନୀ: ନୀତୀଶ କୁମାରଙ୍କୁ ପିଆଜ ମାଡ଼। ବିହାର ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କରୁଥିଲେ। ଆଜି ପ୍ରଚାର ସମୟରେ ସଭାରେ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ନୀତୀଶ କୁମାରଙ୍କ ବିରୋଧରେ ଥିବା ଅସନ୍ତୋଷ ସାମ୍ନାକୁ ଆସିଛି। ମଧୁବନୀ ଜିଲ୍ଲାର ହରଲାଖୀରେ ଆୟୋଜିତ ଏକ ସାଧାରଣ ସଭାରେ ଭାଷଣ ଦେବା ସମୟରେ ‘ଚାକିରି’ ପ୍ରସଙ୍ଗ ଉଠାଇଥିଲେ। ଏହି ସମୟରେ ଉପସ୍ଥିତ କିଛି ଲୋକ ନାରାବାଜୀ ଆରମ୍ଭ କରିବା ସହ ଦେଇଥିଲେ। ଏଥିସହ ନୀତୀଶଙ୍କ ଉପରକୁ ପଥର ଓ ପିଆଜ ମାଡ଼ ମଧ୍ୟ କରିଛନ୍ତି।

ସଭା ଚାଲିଥିବା ବେଳେ ଲୋକମାନଙ୍କର ଏଭଳି ପଥରମାଡ଼ ଦେଖି ମଞ୍ଚ ଉପରୁ ନୀତୀଶ କୁମାର ନିଜର ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ଆହୁରି ପଥର ମାଡ଼ କର। ଏମିତି ପଥର ମାଡ଼ କରିଚାଲ। କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ପଥରମାଡ କରୁଥିବା ଲୋକମାନଙ୍କୁ ଯେତେବେଳେ ଧରିବାକୁ ଚେଷ୍ଟା କରୁଥିଲେ ନୀତୀଶ କୁମାର କହିଥିଲେ, ତାଙ୍କୁ ଛାଡ଼ି ଦିଅ ସମୟ ଆସିଲେ ସେମାନେ ନିଶ୍ଚୟ ବୁଝିପାରିବେ।

ଏହାପୂର୍ବରୁ ମୁଜାଫରପୁରଠାରେ ଆୟୋଜିତ ଏକ ରାଲିରେ ନୀତୀଶ କୁମାରଙ୍କୁ ଜଣେ ଯୁବକ ଚପଲ ମାଡ଼ କରିଥିବା ଘଟଣା ବି ସାମ୍ନାକୁ ଆସିଥିଲା। ନୀତୀଶ କୁମାରଙ୍କ ଉପରକୁ ପଥର ମାଡ଼ ଘଟଣାରେ ମନ୍ତ୍ରୀ ରଞ୍ଜନ କୁମାର ଝା କହିଛନ୍ତି, ବିରୋଧୀ ଦଳ ଭଲ ଭାବେ ଜାଣି ସାରିଲେଣି ଯେ ସେମାନେ ନିର୍ବାଚନରେ ଆମକୁ ହରାଇ ପାରିବେ ନାହିଁ। ତେଣୁ ସେମାନେ ଏଭଳି ଘଟଣା ଘଟାଇବାକୁ ଚେଷ୍ଟା କରୁଛନ୍ତି।

Comments are closed.