Odisha Link
Bridging the Missing Links in Odisha

‘ହଜାରେ ଲୋକ ଜେଲରେ ଅଛନ୍ତି, ଅର୍ଣବଙ୍କ ତ୍ବରିତ ଶୁଣାଣି କାହିଁକି?’

ନୂଆଦିଲ୍ଲୀ: ଏକ ଆତ୍ମହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇ ଆଠଦିନ ଧରି ଜେଲରେ ଥିବା ଅର୍ଣବ ଗୋସ୍ବାମୀଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି କରୁଛନ୍ତି ସର୍ବୋଚ୍ଚ ଅଦାଲତ। ତେବେ ସୁପ୍ରିମ୍‌ କୋର୍ଟର ଏଭଳି ଶୁଣାଣିକୁ ବିରୋଧ କରିଛନ୍ତି ସୁପ୍ରିମ୍‌ କୋର୍ଟ ବାର ଆସୋସିଏସନ୍‌ ସଭାପତି ଦୁଶ୍ୟନ୍ତ ଦାଭେ। ହଜାର ହଜାର ଲୋକ ଜେଲରେ ଜାମିନ ଅପେକ୍ଷାରେ ପଡ଼ି ରହିଥିବା ବେଳେ ଅର୍ଣବଙ୍କର ଏଭଳି ତ୍ବରିତ ଶୁଣାଣିର କଡ଼ା ବିରୋଧ କରି ଦାଭେ ସୁପ୍ରିମ୍‌ କୋର୍ଟ ମହାସଚିବଙ୍କୁ ଚିଠି ଲେଖିଛନ୍ତି।

ନିଜ ଚିଠିରେ ଦାଭେ ଲେଖିଛନ୍ତି, ମୋର ଅର୍ଣବଙ୍କ ସହ କୌଣସି ବ୍ୟକ୍ତିଗତ ସମସ୍ୟା ନାହିଁ। ତେବେ ଅର୍ଣବଙ୍କ ଏଭଳି ଶୁଣାଣିର ମୁଁ ଦୃଢ଼ ବିରୋଧ କରୁଛି। ହଜାର ହଜାର ଲୋକ ଜେଲରେ ଦୀର୍ଘଦିନ ଧରି ଅଛନ୍ତି ଓ ସେମାନଙ୍କ ମାମଲା ସୁପ୍ରିମ କୋର୍ଟରେ ତାଲିକାଭୁକ୍ତ ହେବାକୁ ସପ୍ତାହ ସପ୍ତାହ ଲାଗିଯାଉଛି। କିନ୍ତୁ ଏହା ଦୁଃଖର ବିଷୟ ଯେ ଅର୍ଣବ ଯେତେବେଳେ ବି କୌଣସି ମାମଲାରେ ସୁପ୍ରିମ କୋର୍ଟକୁ ଆସୁଛନ୍ତି କାହିଁକି ତାଙ୍କ ମାମଲା ସଙ୍ଗେ ସଙ୍ଗେ ତାଲିକାଭୁକ୍ତ ହୋଇଯାଉଛି?

ଦାଭେ ସୁପ୍ରିମ୍‌ କୋର୍ଟର ଏଭଳି ନିର୍ବାଚିତ ତାଲିକାକରଣକୁ ନେଇ ପ୍ରଶ୍ନ ଉଠାଇବା ସହ ଏଥିପାଇଁ କିଛି ସ୍ବତନ୍ତ୍ର ନିର୍ଦ୍ଦେଶ ଅଛି କି ବୋଲି ତାଙ୍କ ଚିଠିରେ ପଚାରିଛନ୍ତି। ସେ ଲେଖିଛନ୍ତି ଯେ ଏନେଇ ପ୍ରଧାନ ବିଚାରପତିଙ୍କ ପାଖରୁ କିଛି ନିର୍ଦ୍ଦେଶ ଆସିଛି କି ଅତବା ମାଷ୍ଟର ଅଫ୍‌ ରୋଷ୍ଟରରେ ଏନେଇ କିଛି ନିର୍ଦ୍ଦେଶ ରହିଛି କି?

ତାଙ୍କର ଏ ଚିଠି ଆଜି ସୁପ୍ରିମ୍‌ କୋର୍ଟ ବେଞ୍ଚ ସମ୍ମୁଖରେ ଉପସ୍ଥାପନ କରାଯାଉ ବୋଲି ଦାଭେ ଅନୁରୋଧ କରିଛନ୍ତି। ଅର୍ଣବଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ, ବରଂ ସୁପ୍ରିମ୍‌ କୋର୍ଟ ଯିବା ପାଇଁ ଅର୍ଣବଙ୍କର ଅଧିକାର ଉପରେ ସେ ମତ ରଖିଛନ୍ତି।

Comments are closed.