Odisha Link
Bridging the Missing Links in Odisha

ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଦୁର୍ନୀତି ବିରୋଧୀ ଲଢେଇକୁ ଆହୁରି ଜୋରଦାର କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ଆମେ ଯଦି ସ୍ବଚ୍ଛତା ବଜାୟ ନ ରଖିବା ତେବେ ଅସମାନତା, ଦାରିଦ୍ର୍ୟ, ଆଞ୍ଚଳିକ ବୈଷମ୍ୟ, ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ ଆମର ଲଢେଇ ନିରର୍ଥକ ହୋଇଯିବ ।

ସେ ଆହୁରି କହିଛନ୍ତି ଯେ ଦୁର୍ନୀତି ବିରୋଧୀ ଲଢେଇରେ ରାଜ୍ୟ ସାରା ଦେଶରେ ଆଗୁଆ ରହିଆସିଛି। ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ପ୍ରାୟ ୯୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ସେମାନଙ୍କ ପେନସନ ବନ୍ଦ କରିଛନ୍ତି।

ଏହି ଦୁର୍ନୀତି ବିରୋଧୀ ଲଢେଇକୁ ଆଗକୁ ନେବାକୁ ସେ କେତେକ ପ୍ରସ୍ତାବ ବିଜେଡ଼ି ରାଜ୍ୟ ପରିଷଦ ଆଗରେ ରଖିଛନ୍ତି। ଏହି ପ୍ରସ୍ତାବ ଅନୁସାରେ ସରପଂଚଙ୍କଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଧାୟକ,ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ ଓ ତାହାକୁ ପ୍ରତିବର୍ଷ ସର୍ବସାଧାରଣରେ ପ୍ରକାଶ କରାଯିବ।

ସେହିପରି ରାଜ୍ୟର ସାଂସଦମାନେ ସ୍ବେଚ୍ଛାକୃତଭାବେ ନିଜର ସଂପତ୍ତି ତାଲିକା ପ୍ରଦାନ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିବେ । ଅନ୍ୟପକ୍ଷରେ ସାଧାରଣ କର୍ମଚାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ନିଜର ସଂପତ୍ତି ତାଲିକା ଦେବେ ଓ ତାହାକୁ ତାହାକୁ ପ୍ରତିବର୍ଷ ସର୍ବସାଧାରଣରେ ପ୍ରକାଶ କରାଯିବ । ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ସଂପତ୍ତି ତାଲିକା ଲୋକାୟୁକ୍ତଙ୍କ ଆଗରେ ରଖାଯିବ ।

Comments are closed.