Odisha Link
Bridging the Missing Links in Odisha

ପାର୍କିନ୍‌ସନ୍ ରୋଗର ସଚେତନତା ନେଇ ସମ୍ ଡାକ୍ତରୀ ଟିମ୍ ର ୨୦୦ କିଲୋମିଟର ସାଇକେଲ୍ ଯାତ୍ରା

ଭୁବନେଶ୍ୱର: ପାର୍କିନ୍‌ସନ୍ ରୋଗ (ପିଡି) ଅଥବା ସକମ୍ପ ଅଙ୍ଗଘାତ ଏକ ପ୍ରକାର ସ୍ନାୟୁ ରୋଗ। ଏହା ଏକ ଦୀର୍ଘକାଳୀନ ବେମାରୀ ଯାହାର ଲକ୍ଷଣ ସମୂହ ସମୟକ୍ରମେ ଧୀରେ ଧୀରେ ପ୍ରକାଶ ପାଇଥାଏ।

ତେଣୁ ଏହି ପାର୍କିନ୍‌ସନ୍ ରୋଗର ସଚେତନତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏକ ଡାକ୍ତରୀ ଟିମ୍ ୨୦୦ କିମି ସାଇକେଲ୍ ଯାତ୍ରା କରିଛନ୍ତି। ଡିସେମ୍ବର ୨୦ ତାରିଖ ଦିନ ଭୁବନେଶ୍ୱର ରୁ ଢେଙ୍କାନାଳର କପିଳାଶ ପର୍ଯ୍ୟନ୍ତ ଯାତ୍ରା କରି ସଚେତନତା ସୃଷ୍ଟି କରି ଫେରିଛନ୍ତି ଏହି ଡାକ୍ତରୀ ଟିମ୍।

ପାର୍କିନ୍‌ସନ୍ ରୋଗ ଶରୀରର ଗତିକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ରୋଗୀ ଧୀର ହୋଇଯାନ୍ତି ଏବଂ ହାତ ଥରିବା ମଧ୍ୟ ଆରମ୍ଭ ହୋଇଥାଏ । ତେବେ ସାଧାରଣତଃ ଲୋକମାନେ ଏହି ରୋଗକୁ ନେଇ ଏତେଟା ସଚେତନ ନୁହଁନ୍ତି।

ପାର୍କିନ୍‌ସନ୍ ରୋଗର ଲକ୍ଷଣକୁ ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇପାରେ। କିନ୍ତୁ ବୟସ ବଢ଼ିବା ସହ ଏହି ରୋଗର ଲକ୍ଷଣ ମଧ୍ୟ ବଢ଼ିଥାଏ। ବିଭିନ୍ନ ଅନୁସନ୍ଧାନରୁ ଜଣାପଡିଛି ଯେ, ବ୍ୟାୟାମ ଓ ବିଶେଷ ଭାବରେ ସାଇକେଲ୍ ଚଳାଇବା ଦ୍ୱାରା ରୋଗୀମାନଙ୍କର ସକ୍ରିୟତା ବଜାୟ ରହିଥାଏ ।

ଏହି ପାର୍କିନ୍‌ସନ୍ ରୋଗର ସଚେତନତା ଲାଗି ଡଃ ଲୋଲୁପ୍ କୁମାର ସାହୁ, ଡଃ ଶୁଭେନ୍ଦୁ ମିଶ୍ର, ଡଃ ଜିମି ନାରାୟଣ ଓ ଡଃ ଆଶିଷ ଆଶୁତୋଷ ଚୌଧୁରୀ ସାଇକେଲ୍‌ରେ ବିଭିନ୍ନ ସ୍ଥାନ ଯାତ୍ରା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଏହି ଟିମ୍ ସଚେତନତା ଲାଗି ଡିସେମ୍ବର ୨୦ ତାରିଖ ଦିନ ସାଇକେଲ୍ ଯାତ୍ରା କରିଥିଲେ ।