Odisha Link
Bridging the Missing Links in Odisha

ରାଉରକେଲାରେ ହେବ ଭାରତର ବୃହତ୍ତମ ହକି ଷ୍ଟାଡିୟମ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଉରକେଲା ସହରରେ ଏକ ନୂତନ ସର୍ବୋତ୍ତମ ହକି ଷ୍ଟାଡିୟମ୍‌ ନିର୍ମାଣ କରାଯିବ ବୋଲି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମ୍ମାନଜନକ ‘ଏଫ୍‌ଆଇଏଚ୍‌ ଓଡ଼ିଶା ମେନ୍‌ସ୍‌ ହକି ଓ୍ଵାର୍ଲଡ୍‌ କପ୍‌ ୨୦୨୩’ ଆୟୋଜନ କରାଯିବା। ଏହି ଷ୍ଟାଡିୟମ୍‌ ହେବ ଭାରତର ବୃହତ୍ତମ ହକି ଷ୍ଟାଡିୟମ୍‌।

ଏଥିରେ ୨୦ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା ରହିବ। ଷ୍ଟାଡିୟମ୍ ଟି ରାଉରକେଲାର ‘ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି’ ପରିସରରେ ୧୫ ଏକର ଜମିରେ‌ ନିର୍ମାଣ କରାଯିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ପୂର୍ବରୁ କରିଥିବା ଘୋଷଣା ମୁତାବକ, ୨୦୨୩ରେ ସମ୍ମାନଜନକ ‘ପୁରୁଷ ହକି ବିଶ୍ୱକପ୍‌’ ଆୟୋଜନକାରୀ ଭାବେ ଓଡ଼ିଶା ପୁଣି ଥରେ ଗୌରବାନ୍ଵିତ ହେବ।

ଏହି ଟୁର୍ଣ୍ଣାମେଣ୍ଟ୍‌ ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜନ କରାଯିବ। ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ପ୍ରତିଭାଧରଙ୍କ ଗନ୍ତାଘର। ଏହି ଜିଲ୍ଲାରୁ ଅନେକ ମହାନ୍‌ ହକି ଖେଳାଳି ଆନ୍ତର୍ଜାତିକ ସ୍ତରରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି। ଭାରତୀୟ ଦଳର ନେତୃତ୍ୱ ନେଇଥିବା ଦିଲୀପ ତିର୍କୀ ଏବଂ ସୁନୀତା ଲାକ୍ରା ଦେଶ ପାଇଁ ଗୌରବ ଆଣିଛନ୍ତି।

ନିକଟରେ ରାଜ୍ୟ ସରକାର, ଆନ୍ତର୍ଜାତିକ ହକି ଫେଡେରେସନ୍‌, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଉରକେଲା ଗସ୍ତ କରିଥିଲେ।

Comments are closed.