Odisha Link
Bridging the Missing Links in Odisha

ଆଜି ଚାଷୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଆଜି ଚାଷୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କୃଷି ଆଇନ ସଂପର୍କରେ ୬ଟି ରାଜ୍ୟର ଚାଷୀଙ୍କ ସହ ମୋଦି ଆଲୋଚନା କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ମଧ୍ୟାହ୍ନରେ ଚାଷୀଙ୍କ ସହ ସେ ଭିଡିଓ କନ୍ଫରେନ୍ସ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଏଥିସହ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ପରବର୍ତ୍ତୀ କିସ୍ତି ଭାବେ ଆଜି ୧୮ ହଜାର କୋଟି ଟଙ୍କା ଅନୁଦାନର ଶୁଭାରମ୍ଭ ମଧ୍ୟ ମୋଦି କରିବେ।

ଏହାଦ୍ୱାରା ୯ କୋଟି ଚାଷୀ ପରିବାର ଉପକୃତ ହେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ, ଆସାମରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କାରୀ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଗତସିଂହପୁରରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ବିଭିନ୍ନ ରାଜ୍ୟରୁ କେନ୍ଦ୍ର ମନ୍ତ୍ରୀ, ସାଂସଦ ମାନେ ସାମିଲ ହେବାର ରହିଛି କାର୍ଯ୍ୟକ୍ରମ। ଗତ ମାସରୁ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଉତ୍ତର ଭାରତର ଚାଷୀ ଅସନ୍ତୋଷ ପ୍ରକାଶ କରିବା ସହ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି।

ଏହି ଭଳି ମୁହୂର୍ତ୍ତରେ ମୋଦିଙ୍କ ଏହି କାର୍ଯ୍ୟକ୍ରମ ବେଶ ଗୁରୁତ୍ୱବହନ କରୁଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଚାଷୀଙ୍କୁ ସମ୍ବୋଧନ କରି ନୂଆ କୃଷି ଆଇନ ସଂପର୍କରେ ଭରସା ଦେବା ସହ ବିରୋଧୀଙ୍କୁ ସିଧା ନିଶାନା କରିଥିଲେ। ଚାଷୀଙ୍କ ପାଇଁ ଆସିଥିବା ଆଇନ ଲାଗୁ କରିବାକୁ, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ। ନିଜ ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଥିଲେ। ଆଜି ସେ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ହେଲେ ଶ୍ରେୟ ନମିଳିବା ଭୟରେ ସେମାନେ ଏଭଳି କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ।

Comments are closed.