Odisha Link
Bridging the Missing Links in Odisha

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ: ପଞ୍ଚଭୂତରେ ଲୀନ ହେଲେ ଡି. ପ୍ରକାଶ ରାଓ। ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ଅପରାହ୍ନରେ କଟକର ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କଟକର କାଳିଆବୁଦା ଶ୍ମଶାନରେ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଡି. ପ୍ରକାଶ ରାଓ ପ୍ରଥମେ ବକ୍ସିବଜାରରେ ସ୍ୱତନ୍ତ୍ର ଢଙ୍ଗରେ ଚା ବିକ୍ରି କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ପରବର୍ତ୍ତୀ ସମୟରେ ଅନାଥ ପିଲାଙ୍କ ଶିକ୍ଷାଦାନ ଏବଂ ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନକୁ ତ୍ବରାନ୍ବିତ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପ୍ରକାଶ ରାଓ ଚା ଦୋକାନରୁ ମିଳୁଥିବା ଅର୍ଥରୁ ‘ଆଶା ଓ ଆଶ୍ୱାସନା’ ନାମରେ ଏକ ସ୍କୁଲ ଗଢ଼ି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ। ସେ ୨୦୦ରୁ ଅଧିକ ଥର ରକ୍ତଦାନ କରିଥିଲେ ଓ ୧୭ ଥର ପ୍ଲେଟଲେଟ୍ ଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମେ ୨୬ରେ କଟକ ଗସ୍ତରେ ଆସିଥିବା ସମୟରେ ଶ୍ରୀ ରାଓଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହିତ ସ୍ୱତନ୍ତ୍ର ଭାବେ ଆଲୋଚନା କରିଥିଲେ। ୨୦୧୯ରେ ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନରେ ସମ୍ମାନିତ ହୋଇଥିଲେ।

ଡି. ପ୍ରକାଶ ରାଓଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 

Comments are closed.