Odisha Link
Bridging the Missing Links in Odisha

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ। ଆମେରିକା ସଂସଦର ହାଉସ ଅଫ ରିପ୍ରେଜେନଟେଟିଭ ସଭାରେ ବହୁମତରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଇଛି। ଟ୍ରମ୍ପଙ୍କ ନାଁରେ ଐତିହାସକି ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ ଉପରେ ବିତର୍କ ପରେ ହାଉସ ଅଫ ରିପ୍ରେଜେନଟେଟିଭରେ ପାସ ହୋଇଛି।ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଭୋଟ ପଡିଥିବା ବେଳେ ବିରୋଧରେ ପଡିଥିଲା ୧୯୭ ଖଣ୍ଡ ଭୋଟ। ୨୨୨ ଡେମୋକ୍ରାଟସ ସାଂସଦ ଓ ୧୦ ଜଣ ରିପବ୍ଲିକାନ ସାଂସଦ ଟ୍ରମ୍ପ ବିରୋଧରେ ମହାଭିଯୋଗ ସପକ୍ଷରେ ଭୋଟ ଦେଇଥିଲେ।

ମହାଭିଯୋଗ ପ୍ରସ୍ତାବ ପାସ ପାଇଁ ୨୧୮ ଭୋଟର ଆବଶ୍ୟକତା ଥିବା ବେଳେ ସପକ୍ଷରେ ପଡିଥିଲା ୨୩୨ ଭୋଟ। ଏବେ ସଂସଦର ଉପର ସଦନ ବା ସିନେଟରେ ଜାନୟାରୀ ୧୯ ତାରିଖରେ ମହାଭିଯୋଗ ପ୍ରସ୍ତାବ ଆଗତ ହେବ। ତେବେ ହାଉସ ଅଫ ରିପ୍ରେଜେନଟେଟିଭରେ ଡେମୋକ୍ରାଟସ ସଂସଦଙ୍କ ସଂଖ୍ୟା ଅଧିକ ଥିବାରୁ ସହଜରେ ପ୍ରସ୍ତାବ ପାରିତ ହୋଇଛି। ହେଲେ ସିନେଟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚଲାଇବା ପାଇଁ ହେଲେ ଦୁଇ-ତୃତୀୟାଂଶ ବହୁମତ ଦରକାର। ଏଥିପାଇଁ ୧୭ ଜଣ ରିପବ୍ଲିକାନ ସାଂସଦଙ୍କୁ ଟ୍ରମ୍ପ ବିରୋଧରେ ଭୋଟ କଲେ ପ୍ରସ୍ତାବ ପାସ ହୋଇପାରିବ।

ସଂସଦରେ ଆଲୋଚନା ବେଳେ ଅଧ୍ୟକ୍ଷ ନାନ୍ସି ପେଲୋସି କହିଥିଲେ, ସମସ୍ତେ ଜାଣନ୍ତି ରାଷ୍ଟ୍ରପତି ଟ୍ରମ୍ପ ବିଦ୍ରୋହ ପାଇଁ ସମର୍ଥକଙ୍କୁ ପ୍ରୋତ୍ସାହିତ କଲେ, ରାଷ୍ଟ୍ର ବିରୋଧରେ ସଶସ୍ତ୍ର ବିଦ୍ରୋହ ପାଇଁ ଲୋକଙ୍କୁ ଉସକେଇଲେ. ସେ ଦେଶ ପାଇଁ ବିପଦ। ଏଥିସହ ନାନ୍ସି କହିଛନ୍ତି, ଆମେ ଇତିହାସ ଠାରୁ ଲୁଚି ପାରିବା ନାହିଁ, ତେଣୁ ଆସ ନିଜ ଦାୟିତ୍ୱ ତୁଳାଇବା ଓ ଦେଶ ସାଂସଦଙ୍କ ଉପରେ ଯେଉଁ ବିଶ୍ୱାସ ରଖିଛି ତାହାକୁ ସମ୍ମାନ କରିବା।

ଆମେରିକା ଇତିହାସରେ ପ୍ରଥମ ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ନାଁରେ ଗୋଟିଏ କାର୍ଯ୍ୟକାଳରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ପୂର୍ବରୁ ୨୦୧୯ ଡିସେମ୍ବରରେ ମଧ୍ୟ ଟ୍ରମ୍ପଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଥିଲା। ବାଇଡେନଙ୍କ ତଦନ୍ତ ପାଇଁ ୟୁକ୍ରେନକୁ କହି ଆଇନ ଭଙ୍ଗା କରିଥିଲେ ଟ୍ରମ୍ପ। ହେଲେ ସିନେଟ ସେହି ଅଭିଯୋଗରୁ ଟ୍ରମ୍ପଙ୍କୁ ମୁକ୍ତ କରିଦେଇଥିଲା। ଗତ ସୋମବାର ହାଉସ ଅଫ ରିପ୍ରେଜେନଟେଟିଭରେ ଟ୍ରମ୍ପଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା। ଗତ ଜାନୁୟାରୀ ୬ରେ କ୍ୟାପିଟଲ ହିଲ ବା ଆମେରିକା ସଂସଦ ପରିସରରେ ଆକ୍ରମଣ ପାଇଁ ନିଜ ସମର୍ଥକଙ୍କୁ ଉସକେଇଥିବା ଅଭିଯୋଗରେ ଟ୍ରମ୍ପ ବିରୋଧରେ ଏହି ପ୍ରସ୍ତାବ ପାରିତ କରାଯାଇଛି । ଏହି ହିଂସାକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା।

Comments are closed.