Odisha Link
Bridging the Missing Links in Odisha

‘ମୋ ଜୀବନ ବରବାଦ ହୋଇଗଲା, ଅପା ମୋତେ କ୍ଷମା କର’

ଭୁବନେଶ୍ବର: ବର୍ଷେ ତଳେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ପରେ ଦିନ ଗଡ଼ିବା ସହ ପ୍ରେମ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଲା। ଯାହାକୁ ସହ୍ୟ ନକରି ପାରି ପ୍ରେମିକକୁ ଦୋଷ ଦେଇ ଶେଷର ନିଜ ଜୀବନ ହାରିଲେ ଯୁବତୀ। ଏଥିସହିତ ୩ ପୃଷ୍ଠାର ଏକ ସୁସାଇଡ୍‌ ନୋଟ‌ ଲେଖି ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି।

ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ୍-୮ ଅଞ୍ଚଳରେ। ପୁଲିସ ଗୁରୁବାର ଅଭିଯୁକ୍ତ ପ୍ରେମିକ ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ବିଜୟବିହାର ଅଞ୍ଚଳର ଦିବ୍ୟଲୋଚନ ଦାସ(୨୪)କୁ ଗିରଫ କରି କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ୟୁନିଟ୍-୮ ଅଞ୍ଚଳର ସରିତା ଦାସ। ସରିତାଙ୍କ ବାପା ଅଜୟ ଦାସଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଆଇପିସି ଧାରା-୩୦୬(ଆତ୍ମହତ୍ୟା ପାଇଁ ଉସୁକାଇବା)ରେ ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ପୁଲିସ ତିନି ପୃଷ୍ଠାର ସୁଇସାଇଡ ନୋଟ୍ ଓ ମୋବାଇଲ ଫୋନ୍ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ଅପରପକ୍ଷେ ସୁସାଇଡ ନୋଟରେ ଯୁବତୀ ଜଣକ ଯାହା ଲେଖିଛନ୍ତି ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରରିଛି। ପୁଲିସ ଯବତ କରିଥିବା ସୁସାଇଡ୍‌ ନୋଟରେ ଲେଖା ଅଛି ଯେ, ମୋ ଜୀବନ ବରବାଦ ହୋଇଗଲା, ଅପା ମୋତେ କ୍ଷମା କର। ତତେ କିଛି ଜଣାଇ ନ ଥିଲି। ଭାବିଥିଲି, ମୁଁ ଆଉ ସିଏ ମିଶି ଗୋଟିଏ ଖୁସି ଖବର ଜଣାଇବୁ। କିନ୍ତୁ ସେ ମୋ ଇମୋସନ୍ ଓ ଫିଲିଂ ସହ ଖେଳିଲା। ମୋ ପର୍ସନାଲ ଓ ପାଷ୍ଟ ଲାଇଫ୍ ବିଷୟରେ ସେ ସବୁ କିଛି ଜାଣିଥିଲା। ବର୍ଷେ ହେଲା ଆମେ ଏକାଠି ଥିଲୁ। ତାକୁ ଆଣି ଆମ ଘରେ ମିଶାଇଲି। ମୁଁ ଭାବି ବି ପାରୁନି ସେ ଏମିତି କରିଲା ଓ ମୁଁ ସହି ପାରିଲିନି। ମୋତେ ଭଲ ପାଇବାର ବାହାନା କରି ଖୁସି ଦେବା ଆଳରେ ମୋ ସହ ଖେଳିଲା, କଷ୍ଟ ଦେଲା। ନା କାହାକୁ କହିପାରିଲି ନା ସହିପାରିଲି, ସେ ବୋଧହୁଏ ଏଇୟା ଚାହୁଁଥିଲା।….

ଗୋଟିଏ ପୁଅ ପାଇଁ ଗୋଟିଏ ଝିଅର ଜୀବନ, ତା ଫିଲିଂସ୍, ତା ଇମୋସନ୍, ତା ଭଲ ପାଇବାର କିଛି ମୂଲ୍ୟ ନାହିଁ। ବହୁତ ମେଣ୍ଟାଲି, ଇମୋସନାଲି ଟର୍ଚର କଲା ମତେ। ଯେତେବେଳେ ତାର ମୋ ପାଖରେ ସ୍ବାର୍ଥ ଥିଲା ମୁଁ ତା ପାଇଁ ସର୍ବସମ୍ମୁଖରେ ଭଲ ଥିଲି। ସ୍ବାର୍ଥ ହାସଲ ପରେ ମୁଁ ଖରାପ ହୋଇଗଲି, ସମସ୍ତେ ଖରାପ ଆଉ ତୁ ଏକା ଭଲ। ମୁଁ ମରିଯିବି ସିନା ଆଉ କୋଉ ଝିଅର ଜୀବନ ନଷ୍ଟ କରିବାକୁ ଦେବିନି।

କାଲି ସେ ଫୋନ୍ ଅନ୍ କରିଥିଲା। ଫୋନ୍ କରି ଟିକିଏ ରିକ୍ୟୁଏଷ୍ଟ କଲି, ମେସେଜ୍ କଲି ଥରେ କଥା ହେବା ପାଇଁ, ଟିକିଏ କଥା ହେବା ପାଇଁ। କିନ୍ତୁ ସେ ଶୁଣିଲାନି। ତା ପାଇଁ ସମସ୍ତଙ୍କଠୁ ମୁଁ ଦୂରେଇ ଗଲି ଆଜି। କିନ୍ତୁ ସେ ବୁଝି ପାରିଲାନି। ଆଶା ସବୁ ଆଶା ହୋଇ ରହିଗଲା। ମୋ ମଲାଦେହ ମିଳିବ କି ନାହିଁ, କିନ୍ତୁ ଏଥିପାଇଁ କେବଳ ସେ ହିଁ ଦାୟୀ।

Comments are closed.