Odisha Link
Bridging the Missing Links in Odisha

ଚଳିତ ବଜେଟରୁ ସିଂହଭାଗ ଲାଭ ପାଇବ ଓଡିଶା: ଧର୍ମେନ୍ଦ୍ର

ଭୁବନେଶ୍ୱର: ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଭାରତର ୬ଟି ସମ୍ଭ ଯଥା ସ୍ୱାସ୍ଥ୍ୟ କଲ୍ୟାଣ, ଭୌତିକ ଓ ଆର୍ଥିକ ପୁଞ୍ଜି ଏବଂ ଭିତିଭୂମି, ଆକାଂକ୍ଷା ଭାରତ ପାଇଁ ସମାବେଶୀ ବିକାଶ, ମାନବ ପୁଞ୍ଜିରେ ନୂଆ ଉନ୍ମାଦନା ସୃଷ୍ଟି କରିବା ସହ ନବଉନ୍ମେଷ ଓ ଗବେଷଣା ବିକାଶ, ନ୍ୟୁନତମ ସରକାର ଏବଂ ସର୍ବତ୍ତୋମ ଶାସନ ଉପରେ ଆଧାରିତ ୨୦୨୧-୨୨ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷଭାବରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟକୁ ଯୁଗାନ୍ତକାରୀ ବଜେଟ୍ କହିବା ସହ ବଜେଟରେ କ୍ରୟ ଏବଂ ଖର୍ଚ୍ଚର ପୁନଃଉଦ୍ଧାର ସହ ପୁଞ୍ଜିନିବେଶ, ନିର୍ମାଣକୁ ଗତିଦେବା, ଭିତିଭୂମିକୁ ସୁଦୃଢ କରିବା, ଏମଏସଏମଇକୁ ଆଗ୍ରାଧିକାର ଦେବା, ନୂଆ ସୁଯୋଗ ସୃଷ୍ଟି କରିବା ସହ ରୋଜଗାର ଓ ବିକାଶକୁ ଗୁରୁତ୍ୱ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସେହିପରି ଭାରତବର୍ଷରେ ସଫଳତାର ସହ ୮ କୋଟି ମହିଳାଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବା ପରେ ପୁଣି ଥରେ ଏହାକୁ ଅଧିକ ୧ କୋଟି ମହିଳାଙ୍କୁ ଯୋଗାଇ ଦେବା ପାଇଁ ବଜେଟରେ ବ୍ୟବସ୍ଥା ହେବା ନେଇ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି।

ଆତ୍ମନିର୍ଭର ଭାରତ ସ୍ୱାସ୍ଥ୍ୟ ଯୋଜନା ସହ ପିଇବା ପାଣି, ସହରାଂଚଳରେ ଘର ନିର୍ମାଣ ଓ ପୋଷଣ ଅଭିଯାନ ନାଗରିକଙ୍କ ସ୍ୱାସ୍ଥ୍ୟ ସହ ଜଡିତ। ବଜେଟ୍‌ରେ ଅର୍ଥମନ୍ତ୍ରୀ ଏହାକୁ ବିଶେଷ ମହତ୍ୱ ଦେଇଛନ୍ତି। ଓଡିଶାରେ ପୋଷଣ ଅଭିଯାନରେ ଆମ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ପ୍ରାଥମିକତା ପାଇବ। ଅପରପକ୍ଷରେ ବଜେଟରେ ଢାଞ୍ଚାଗତ କ୍ଷେତ୍ର ତଥା ସଡକପଥ, ରେଳପଥ, ଅର୍ଥନୈତିକ କୋରିଡର ତଥା ମାନବ ସମ୍ବଳର ବିକାଶ ପାଇଁ ପ୍ରଧାନ୍ୟ ଦିଆଯାଇଛି।

ଚଳିତବର୍ଷର ବଜେଟ ଅପାର ସମ୍ଭାବନାର ରାଜ୍ୟ ଓଡିଶାର ଇସ୍ପାତ୍‌, ଖଣି କ୍ଷେତ୍ର ତଥା ମାନବପୁଞ୍ଜିର ଅନେକ ସମ୍ଭାବନା ଆଣିଛି। ଏହି ପରିପ୍ରେକ୍ଷୀରେ ଆଗାମୀ ୩ ବର୍ଷରେ ଦେଶରେ ହେବାକୁ ଥିବା ୭ଟି ଟେକ୍ସଟାଇଲ ପାର୍କରେ ଓଡିଶାକୁ ପ୍ରଧାନ୍ୟ ମିଳିବ। ସେହିପରି ଓଡିଶାର ଭଦ୍ରକରେ ଆଇଓସିଏଲ ଦ୍ୱାରା ସୂତାର କାରଖାନା ପ୍ରତିଷ୍ଠା କରାଯାଉଛି।

ଏହି ଦୃଷ୍ଟିରୁ ଓଡିଶାରେ ଦେଶର ଓ ବିଶ୍ୱର ଆବଶ୍ୟକତାକୁ ଦେଖି ଟେକ୍ସଟାଇଲ କ୍ଲଷ୍ଟର ନିର୍ମାଣ ହୋଇପାରିବ। ଏହା ଦ୍ୱାରା ଏହି କ୍ଷେତ୍ରରେ କାମ କରୁଥିବା ଓଡିଆମାନେ ଲାଭ ପାଇବେ ଏବଂ ଓଡିଶା ପାଇଁ ଅନେକ ସମ୍ଭାବନା ତିଆରି ହେବ। ମତ୍ସ୍ୟ ବ୍ୟବସାୟରେ ଅଗ୍ରଣୀ ରାଜ୍ୟ ଓଡିଶାର ପାରାଦୀପ ଠାରେ ବୃହତ ସମନ୍ୱିତ ମତ୍ସ୍ୟ ବନ୍ଦର ପ୍ରତିଷ୍ଠାର ଯୋଜନା ରଖାଯାଇଛି।

ଏହିସବୁ ଯୋଜନାର ଲାଭ ଓଡିଶା ରାଜ୍ୟ ପାଇବ। ଶିକ୍ଷା କ୍ଷେତ୍ରରେ ଦେଖିବାକୁ ଗଲେ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା ଏକଲବ୍ୟ ବିଦ୍ୟାଳୟ ପାଇଁ ଚଳିତବର୍ଷ ୨୦ କୋଟିରୁ ବଢି ୩୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏଥିରୁ ଲାଭମଧ୍ୟ ଓଡିଶା ପାଇବ। ସେହିପରି ନୂଆ ଜାତୀୟ ଶିକ୍ଷା ନୀତି ଜରିଆରେ ପିଲାଙ୍କୁ ପାଠପଢା ସହ ରୋଜଗାରଭିତିକ ଧନ୍ଦାମୂଳକ ଶିକ୍ଷା ପାଇଁ ନୂଆ ମଡେଲ ଆରମ୍ଭ କରାଯାଉଛି।

ଏଥିରେ ୧୫ ହଜାର ସ୍କୁଲକୁ ଅଗ୍ରାଧିକାର ଦିଆଯିବ। ଏନଜିଓ ସହଭାଗୀତାରେ ୧୦୦ ସୈନିକ ସ୍କୁଲ ନିର୍ମାଣ କରାଯିବ। ଏହି ସବୁ ଦ୍ୱାରା ଓଡିଶା ଭଳି ରାଜ୍ୟକୁ ସୁଯୋଗ ମିଳିବ। ଏହି ବର୍ଷର ଆତ୍ମନିର୍ଭର ବଜେଟ୍ ଅର୍ଥନୀତିର ପୁନଃଉଦ୍ଧାର କରି ଏହାର ଅଭିବୃଦ୍ଧି କରିବ ଏବଂ ସମାଜର ସବୁ ଶ୍ରେଣୀ ଯଥା ଚାଷୀ, ଯୁବକ, ମହିଳା, ଶିଶୁ, ବରିଷ୍ଠ, ଶ୍ରମିକଙ୍କୁ ପ୍ରାଥମିକତା ଦେଇ ଦେଶ ପ୍ରଥମର ସଂକଳ୍ପକୁ ସୁଦୃଢ କରିବ।

ପ୍ରଧାନ ଆହୁରି କହିଛନ୍ତି ଯେ କରୋନା ଉପରାନ୍ତେ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ପ୍ରାଥମିକତା ଦିଆଯାଇଛି। କରୋନା ଟୀକାକରଣ ପାଇଁ ୩୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସାମଗ୍ରିକ ବଜେଟ ଦେଶ ଅର୍ଥନୀତିରେ ନୂଆ ସଞ୍ଚାର ଆଣିବ।

କରଦାତା, ବରିଷ୍ଠ ନାଗରିକ କ୍ଷୁଦ୍ର ବ୍ୟବସାୟୀଙ୍କୁ ଟିକସରେ ରିହାତି ଦିଆଯାଇଛି। କରୋନା ଉପାରନ୍ତେ ୫ଟି ମିନି ବଜେଟ୍ ଉପସ୍ଥାପିତ କରାଯାଇଥିଲା, ଯାହା ୨୭.୧ କୋଟି ଅର୍ଥାତ୍ ଜିଡିପିର ୧୩ ପ୍ରତିଶତ ବୋଲି ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Comments are closed.