Odisha Link
Bridging the Missing Links in Odisha

ଭାଙ୍ଗିଲା ଦୀର୍ଘବର୍ଷର ପରମ୍ପରା, ସଂସଦରେ ଉପସ୍ଥାପନ ହେଲା ପେପର୍‌ଲେସ୍‌ ବଜେଟ

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଆଜି ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟ ନିଶ୍ଚିତ ଭାବେ ସ୍ୱତନ୍ତ୍ର। କାରଣ ପ୍ରଥମ ଥର ପାଇଁ ବଜେଟ ଦସ୍ତାବିଜ ଛପାହୋଇନାହିଁ। ଏହା ସମ୍ପୂର୍ଣ୍ଣ ପେପର୍‌ଲେସ ଅର୍ଥାତ୍‌ ଇ-ବଜେଟ। ସାଧାରଣତଃ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ୫ ମାସ ପୂର୍ବରୁ ଆରମ୍ଭ ହୋଇଥାଏ ଏବଂ ମାରାଥନ୍‌ ବୈଠକଗୁଡ଼ିକ ପରେ ଏହାକୁ ପ୍ରସ୍ତୁତ କରାଯାଏ।

ସାଧାରଣତଃ ବଜେଟର ପ୍ରସ୍ତୁତି ୫ ମାସ ପୂର୍ବରୁ ହୋଇଥାଏ। ସେପ୍ଟେମ୍ବରରେ ଅର୍ଥନୈତିକ ବ୍ୟାପାର ବିଭାଗର ବଜେଟ ଡିଭିଜନ୍‌ ସମସ୍ତ ମନ୍ତ୍ରାଳୟ, ବିଭାଗ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସର୍କୁଲାର ଜାରି କରିଥାଏ। ଆଗାମୀ ଆର୍ଥିକ ବର୍ଷରେ ସେମାନଙ୍କ ଖର୍ଚ୍ଚର ଅନୁମାନ କରି ପାଣ୍ଠି ଆବଶ୍ୟକତା ବିଷୟରେ ଜଣାଇବାକୁ ସେମାନଙ୍କୁ କୁହାଯାଇଥାଏ। ଏହା ପରେ ଅକ୍ଟୋବର-ନଭେମ୍ବରରେ ଅର୍ଥ ମନ୍ତ୍ରାଳୟ ଅନ୍ୟ ମନ୍ତ୍ରାଳୟ ଏବଂ ବିଭାଗଗୁଡ଼ିକର ଅଧିକାରୀମାନଙ୍କ ସହ ବୈଠକ କରିଥାଏ ଏବଂ ଏହା ଧାର୍ଯ୍ୟ କରେ ଯେ, କେଉଁ ମନ୍ତ୍ରାଳୟ ତଥା ବିଭାଗକୁ କେତେ ପାଣ୍ଠି ଦିଆଯିବ। ବୈଠକରେ ସ୍ଥିର ହେବା ପରେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଏ।

ସବୁକିଛି ନିର୍ଦ୍ଧାରଣ ହେବା ପରେ ବଜେଟ ଦସ୍ତାବିଜ ଛପା ହୋଇଥାଏ। କିନ୍ତୁ ଏଥର ଏହା ଛପାହେବ ନାହିଁ । ବଜେଟ ଉପସ୍ଥାପନ ହେବାର ପ୍ରାୟ ସପ୍ତାହେ ପୂର୍ବରୁ ଅର୍ଥ ମନ୍ତ୍ରାଳୟରେ ହାଲୁଆ ଉତ୍ସବ ହୋଇଥାଏ। ଏହା ପରେ ସମସ୍ତ ସମ୍ବନ୍ଧିତ ଅଧିକାରୀଙ୍କୁ ବଜେଟ ଉପସ୍ଥାପନ ହେବା ଯାଏ ଅର୍ଥ ମନ୍ତ୍ରାଳୟରେ ବନ୍ଦ ରଖାଯାଏ। ବାହାର ଦୁନିଆ ସହ ସେମାନଙ୍କୁ ଅଲଗା ରଖାଯାଏ। ବଜେଟର ଗୋପନୀୟତା ଦୃଷ୍ଟିକୋଣରୁ ଏହା କରାଯାଏ।

ବଜେଟ‌ ଉପସ୍ଥାପନ ପରେ କ’ଣ ହୁଏ:
ବଜେଟ ଉପସ୍ଥାପନ ହେବା ପରେ ଏହାକୁ ସଂସଦର ଉଭୟ ଗୃହରେ ପାସ୍‌ କରାଇବାକୁ ପଡ଼ିଥାଏ। ଉଭୟ ଗୃହରେ ପାସ୍‌ ହେବା ପରେ ଏପ୍ରିଲ ୧ରୁ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ଭାରତରେ ଆର୍ଥିକବର୍ଷ ଏପ୍ରିଲ ୧ରୁ ଆରମ୍ଭ ହୁଏ ଏବଂ ମାର୍ଚ୍ଚ ୩୧ ଯାଏ ଚାଲେ।

Comments are closed.