Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଉପନିୟମ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ: ଧର୍ମେନ୍ଦ୍ର

ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ସୋମବାର ଓଡ଼ିଶା ବିଜେପି ସାଂସଦଙ୍କ ସହ ଶ୍ରୀମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ଐତିହ୍ୟ ପ୍ରସ୍ତାବିତ ଉପନିୟମ(ବାଇ-ଲ)କୁ ସ୍ଥଗିତ ରଖିବା ନେଇ ଆଲୋଚନା କରିବା ପରେ ଏହାକୁ ସଙ୍ଗେସଙ୍ଗେ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ପ୍ରଧାନ ପ୍ରଥମେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହଙ୍କ ସହ ଫୋନ ଯୋଗେ କଥା ହୋଇ ଏନଏମଏର ପ୍ରସ୍ତାବିତ ଐତିହ୍ୟ ଉପନିୟମ ଉପରେ ଅଧିକ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ। ଧାର୍ମିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ଡ୍ରାଫ୍ଟ ଉପନିୟମକୁ ଅଧିକ ଆଲୋଚନା ପାଇଁ ସମୟ ଲୋଡିଥିଲେ ପ୍ରଧାନ।

ଏହାସହ ସାଧାରଣ ଜନତାଙ୍କ ମତାମତ ପାଇଁ ଏହି ପ୍ରସ୍ତାବିତ ଉପନିୟମର ଡ୍ରାଫ୍ଟକୁ ଓଡିଆ ଭାଷାରେ ସର୍ବସାଧାରଣରେ ପ୍ରକାଶ କରିବା ନିମନ୍ତେ ମଧ୍ୟ ଅନୁରୋଧ କରିଥିଲେ। ଏହାର ଉତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବିକାଶ କାର୍ଯ୍ୟ ପ୍ରଭାବିତ ହେବ ନାହିଁ ଏବଂ ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁ ଓ ଓଡିଆ ଲୋକଙ୍କ ଭାବାବେଗ ଓ ସ୍ୱାର୍ଥକୁ ସର୍ବୋଚ୍ଚ ସମ୍ମାନ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ସାଂସଦର ଏକ ପ୍ରତିନିଧି ଦଳ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ନୂଆଦିଲ୍ଲୀରେ ଭେଟି ଶ୍ରୀମନ୍ଦିର ପାଇଁ ଏନଏମଏର ପ୍ରସ୍ତାବିତ ଉପନିୟମକୁ ସ୍ଥଗିତ ରଖିବା ନେଇ ଅନୁରୋଧ କରିବା ସହ ଏ ସମ୍ବନ୍ଧରେ ଦାବୀ ପତ୍ର ମଧ୍ୟ ପ୍ରଦାନ କରିଥିଲେ। ପରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଉପନିୟମକୁ ପ୍ରତ୍ୟାହାର କରିଥିବା ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି।

ଓଡ଼ିଶାବାସୀ ତଥା ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ବିଶ୍ୱାସ ଓ ଭାବାବେଗକୁ ଦୃଷ୍ଟିରେ ରଖି ଐତିହ୍ୟ ପ୍ରସ୍ତାବିତ ଉପନିୟମ ପ୍ରତ୍ୟାହାରର ନିଷ୍ପତି ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରତିଶ୍ରୁତି ରକ୍ଷା କରିଥିବାରୁ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି।

Comments are closed.