Odisha Link
Bridging the Missing Links in Odisha

କାଲିଠୁ ବିଧାନସଭା: ବିଭିନ୍ନ ପ୍ରସଙ୍ଗରେ କମ୍ପିବ ଗୃହ

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ଆରମ୍ଭ ହେବ ବିଧାନସଭା। ବଜେଟ ଅଧିବେଶନ ଆସନ୍ତା ୧୮ରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୮ରୁ ୨୭ ଯାଏ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ଯାଏ ଅନୁଷ୍ଠିତ ହେବ। ଗୁରୁତ୍ୱପୂର୍ଣ୍ଣ ଏ ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌ ଆଗତ କରିବେ।

ଦୁଇଟି ପର୍ଯ୍ୟାୟରେ ଏ ଅଧିବେଶନରେ ୩୧ଟି କାର୍ଯ୍ୟଦିବସ ଥିଲା ବେଳେ ମାର୍ଚ୍ଚ ୩୧ରେ ଗୃହରେ ଆଗତ ହେବ ବ୍ୟୟମଞ୍ଜୁରୀ ବିଲ୍‌ । ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ଚିଠା ବଜେଟକୁ ଇତିମଧ୍ୟରେ ଅନୁମୋଦନ ମିଳିଛି । କରୋନା ମାଡ଼ରେ ରାଜକୋଷକୁ ସମ୍ବଳର ସୁଅ କମିଥିଲେ ମଧ୍ୟ ବଜେଟରେ ପାଣ୍ଠି ବରାଦ ପ୍ରାୟ ୧୨ ପ୍ରତିଶତ ବଢ଼ିବ ବୋଲି ଅନୁମାନ କରାଯାଉଛି । ରାଜ୍ୟର ସାଂପ୍ରତିକ ରାଜନୈତିକ ପାଣିପାଗରୁ ଅନୁମାନ କରାଯାଉଛି ଯେ ଏ ବଜେଟ୍‌ ଅଧିବେଶନ ବେଶ ସରଗରମ ଧରିବ ।

ବିରୋଧୀଦଳ ହାତରେ ରହିଛି ତଗଡ଼ା କୋଟିଆ ପ୍ରସଙ୍ଗ, ପରୀ ଓ ଝରାଫୁଲ ହତ୍ୟାକାଣ୍ଡ ସାଙ୍ଗକୁ ମାହାଙ୍ଗା ରାଜନୈତିକ ଡବଲ୍‌ ମର୍ଡର, ରାଜଧାନୀରେ ମୁଣ୍ଡ ଗଣ୍ଡି ଗଡ଼ିବା ଭଳି ଶକ୍ତିଶାଳୀ ଅସ୍ତ୍ର। ଧାନ ମଣ୍ଡିରେ ଧାନ ପଡ଼ି ରହିବା ସାଙ୍ଗକୁ ପାଠକ ବାପ-ପୁଅ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କକୁ ନେଇ ବିରୋଧୀ ଦଳ ଝାମ୍ପି ପଡ଼ିବେ। ଏହାବାଦ୍‌ ‘କାଳିଆ’ କିସ୍ତିରେ ହେରାଫେରି ଓ ବେକାରୀ ସମସ୍ୟା ବି ଉଠାଇବେ ବିରୋଧୀ।

ସେପଟେ ଶାସକ ଦଳ ବି ପ୍ରତି ଆକ୍ରମଣ ପାଇଁ ସଜେଇ ହୋଇ ରହିଛି। ତାଜା ଅସ୍ତ୍ର ମିଳିଛି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ର ବିବାଦୀୟ ବାଇ-ଲ। ଏହାକୁ ନେଇ ଶାସକ ଦଳ କେନ୍ଦ୍ର ବିରୋଧରେ ଗର୍ଜିବ। ଏହାସାଙ୍ଗକୁ ତୈଳ ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡି କଂଗ୍ରେସକୁ ସାଥିରେ ନେଇ ଲଢ଼ି ବିରୋଧୀ ଦଳ ବିଜେପିକୁ ଘାଇଲା କରିବ । କୃଷି ଆଇନ ପ୍ରସଙ୍ଗରେ ବି ଏମିତି ଜୋରଦାର ଲଢ଼େଇ ଦେଖିବାକୁ ମିଳିପାରେ ଏଥର ଅଧିବେଶନରେ।

ବୁଧବାର ବିଧିବଦ୍ଧ ବୈଠକ ବସି ତିନି ଦଳ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିବେ । କେଉଁ ଅସ୍ତ୍ର ଆକ୍ରମଣ ହେଲେ, ପ୍ରତିରୋଧ ପାଇଁ କେଉଁ ଅସ୍ତ୍ର ବ୍ୟବହାର ହେବ, ତାହା ସ୍ଥିର କରାଯିବ ବିଧାୟକ ଦଳ ବୈଠକରେ । ଏହା ଭିତରେ ବାଚସ୍ପତି ସୁରୁଖୁରୁରେ ବଜେଟ ଅଧିବେଶନ ଚଳାଇବାକୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ।

ମୋଟାମୋଟି ଭାବେ ଚଳିତ ଅଧିବେଶନ ଗରମାଗରମ ହେବ ବୋଲି ଜଳଜଳ ଦିଶୁଛି । ଗତ ବଜେଟ ଅଧିବେଶନ କାଣ୍ଟଛାଣ୍ଟରେ ସରିଥିଲା । କରୋନା ମହାମାରୀ ପୂରା ବର୍ଷଟା ବରବାଦ୍‌ କରିଦେଇଥିଲା । ସରକାରଙ୍କ ବ୍ୟୟବରାଦ, ଖର୍ଚ୍ଚ, ଯୋଜନା ସବୁକିଛି ଓଲଟପାଲଟ ହୋଇଯାଇଥିଲା । ତେଣୁ ଆଗାମୀ ୨୦୨୧- ୨୨ ବଜେଟ ରାଜ୍ୟ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ସାମାଜିକ ଦୂରତା ମଧ୍ୟରେ ବସିବ । ୬୦ ବର୍ଷରୁ ଉଧ୍ୱର୍ ବୟସର କିମ୍ବା ମଧୁମେହ ଓ ରକ୍ତଚାପରେ ପୀଡ଼ିତ ବିଧାୟକମାନେ ଚାହିଁଲେ ଓକାକ୍‌, ଲୋକସେବା ଭବନ କିମ୍ବା ଜିଲ୍ଲା ମୁଖ୍ୟାଳୟରୁ ମଧ୍ୟ ଅଧିବେଶନରେ ଅଂଶ ଗ୍ରହଣ କରିପାରିବେ । ପ୍ରତିଦିନ ବିଧାନସଭା ହଲ୍‌କୁ ଦୁଇଥର ସାନିଟାଇଜ୍‌ କରାଯିବ ।

ଆସନ୍ତା ବଜେଟ୍‌ ଅଧିବେଶନ ସମ୍ପୂର୍ଣ୍ଣ ଭାବେ ଇ-ବିଧାନସଭା ଭାବେ କାର୍ଯ୍ୟ କରିବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ କରି ବଜେଟ ଉପସ୍ଥାପନା, ବିଧାୟକମାନଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଓ ସମୁଦାୟ ଅଧିବେଶନର ବିବରଣୀ ନେଭା ମାଧ୍ୟମରେ କାର୍ଯ୍ୟକାରୀ ହେବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଏକ ବୈଷୟିକ ଟିମ୍‌ କାମ କରିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

Comments are closed.