Odisha Link
Bridging the Missing Links in Odisha

ସାରା ଦେଶକୁ ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍‌ । ଭାଇରସ୍ ଟି ଭାରିଆଣ୍ଟ ୫୦୧ୱାଇ.ଭି୨ ଭାବେ ପରିଚିତ । ଏହି ନୂଆ ଷ୍ଟ୍ରେନ ନେଲସନ ମଣ୍ଡେଲା ବେ ସହରରେ ଗତବର୍ଷ ଡିସେମ୍ବର ୧୮ରେ ଚିହ୍ନଟ କରାଯାଇଥିଲା ।

ଏହା ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରୁ ଯାଇ ବ୍ରିଟେନ, ସ୍ୱିଜରଲାଣ୍ଡ, ଫିନଲାଣ୍ଡ, ଜାପାନ, ଜାମ୍ବିଆ, ଫ୍ରାନ୍ସ, ଦକ୍ଷିଣ କୋରିଆ, ଚୀନ୍‌ ଓ ଭାରତରେ ବ୍ୟାପିଲାଣି । ଏହି ଷ୍ଟ୍ରେନ ଦ୍ରୁତ ସଂକ୍ରମଣ ହେଉଥିବାରୁ ତାକୁ ରୋକିବା ଲାଗି ଦକ୍ଷିଣ ଆଫ୍ରିକା ଭାରତରୁ କୋଭିସିଲ୍ଡ ଟିକା ନେଇଥିଲା । ମାତ୍ର ଏହି ଟିକା ଉକ୍ତ ନୂଆ ଷ୍ଟ୍ରେନକୁ ରୋକିବାରେ ବିଫଳ ହୋଇଛି । ତେଣୁ ସେଠାକାର ସରକାର କୋଭିସିଲ୍ଡ ଟିକା ପ୍ରସ୍ତୁତ କରିଥିବା ଭାରତର ସେରମ ଇନଷ୍ଟିଚ୍ୟୁଟ୍‌କୁ ୧୦ ଲକ୍ଷ ଟିକା ଫେରାଇ ନେବା ପାଇଁ କହିଛନ୍ତି ।

ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟମନ୍ତ୍ରୀ ପୂର୍ବରୁ କହିଛନ୍ତି, ତାଙ୍କ ଦେଶରେ କୋଭିସିଲ୍ଡ ଟିକା କିଛି ବ୍ୟକ୍ତିଙ୍କୁ ଦିଆଯାଇ ପରୀକ୍ଷା କରାଯାଇଥିଲା । କିନ୍ତୁ ସେଥିରୁ ଟିକାର ପ୍ରଭାବ ବହୁତ କମ୍‌ ଦେଖିବାକୁ ମିଳିଛି। ସେଥିପାଇଁ ଟିକାକରଣ କାର୍ଯ୍ୟକ୍ରମରୁ କୋଭିସିଲ୍ଡକୁ ବାଦ୍‌ ଦିଆଯାଇଛି।

ଏପରିକି କୋଭିସିଲ୍ଡ ଟିକାକୁ ଆଫ୍ରିକାର ଅନ୍ୟ ଦେଶମାନଙ୍କୁ ବିକ୍ରି କରିଦିଆଯାଇପାରେ ବୋଲି ସେ କହିଥିଲେ। କିନ୍ତୁ ଆଜି ରିପୋର୍ଟ ଆସିଛି କି ସେଠାକାର ସରକାର ସେରମକୁ ଏହି ଟିକା ଫେରାଇ ନେବାକୁ କହିଛନ୍ତି । ସେରମ କଂପାନି କୋଭିସିଲ୍ଡ ଟିକା ଉତ୍ପାଦନ କରୁଛି । ଚଳିତ ମାସ ପ୍ରଥମ ଭାଗରେ କଂପାନି ଦ୍ୱାରା ଦକ୍ଷିଣ ଆଫ୍ରିକାକୁ ଏହି ଟିକାର ୧୦ ଲକ୍ଷ ଡୋଜ୍‌ ଯୋଗାଇ ଦିଆଯାଇଥିଲା ଏବଂ ଆଉ କିଛି ସପ୍ତାହ ଭିତରେ ଆହୁରି ୫ ଲକ୍ଷ ଡୋଜ୍‌ ଯୋଗାଇଦେବାକୁ ଯୋଜନା ରହିଥିଲା ।

ସମଗ୍ର ବିଶ୍ୱରେ ଏବେ ଚିନ୍ତାର କାରଣ ପାଲଟିଥିବା କରୋନା ଭାଇରସର ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଏବେ ଭାରତରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସୂଚନା ଦେଇଛି ଭାରତରେ ଏପର୍ଯ୍ୟନ୍ତ ଜଣକ ଦେହରେ ବ୍ରାଜିଲ ଷ୍ଟ୍ରେନକୁ ଠାବ କରାଯାଇଥିଲାବେଳେ ୪ଜଣଙ୍କ ଦେହରେ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନକୁ ଠାବ କରାଯାଇଛି।

ସେହିପରି ୧୮୬ ଜଣଙ୍କ ଦେହରେ ବ୍ରିଟିଶ ଷ୍ଟ୍ରେନର ସନ୍ଧାନ ମିଳିଛି । ଯେଉଁମାନଙ୍କ ଦେହରେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ମିଳିଛି, ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। କରୋନା ଭାଇରସ ନିଜର ପ୍ରତିରୂପ ସୃଷ୍ଟି କଲାବେଳେ ନିଜ ଦେହର ଜେନେଟିକ୍‌ ମ୍ୟାଟେରିଆଲକୁ ବ୍ୟବହାର କରିଥାଏ ଏବଂ ତାହାର ନକଲ ପ୍ରସ୍ତୁତ କରିଥାଏ ।

Comments are closed.