Odisha Link
Bridging the Missing Links in Odisha

ଥାନା ଭିତରେ ପଶି ଅଭିଯୋଗକାରୀଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ଥାନାରେ ଅଭିଯୋଗକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ପ୍ରାୟ ୧୫୦ ଦୁର୍ବୃତ୍ତ ଥାନାରେ ପଶି ଦୁଇଜଣଙ୍କୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ବେଆଇନ ବାଲି ଉଠାଣକୁ ନେଇ ହୋଇଥିବା ଅଭିଯୋଗକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଉପସ୍ଥିତିରେ ପ୍ରାୟ ୧୫୦ ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସିସିଟିଭି ଫୁଟେଜ ଆଧାରରେ ରେମୁଣା ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ତେବେ ଏହି ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଫଳରେ ଥାନା ପରିସରରେ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।

ଥାନା କର୍ମଚାରୀଙ୍କ ପୋଷାକରେ ରକ୍ତର ଦାଗ ଦେଖିବାକୁ ମିଳିଛି। ଆକ୍ରମଣ ଘଟଣାକୁ ଥାନା ଅଧିକାରୀ ସ୍ୱୀକାର କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କାହା ନାଁରେ କୌଣସି ଏତଲା ହୋଇନଥିବା ବେଳେ କେହି ଏହି ମାମଲାରେ କେହି ଗିରଫ ହୋଇନାହାନ୍ତି।

Leave A Reply

Your email address will not be published.