Odisha Link
Bridging the Missing Links in Odisha

କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ: ନବ ଦାସ

ଭୁବନେଶ୍ୱର: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କରୋନା ଗ୍ରାଫ ଉପରମୁହାଁ ରହୁଛି। ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ କର୍ଫ୍ୟୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏଁ କଡ଼ାକଡ଼ି କଟକଣା କରାଯାଇଛି। ଯିଏ ଛତିଶଗଡ଼ରୁ ସୀମାବର୍ତ୍ତୀ ଜିଲ୍ଲାକୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି। ଜିଲ୍ଲାପାଳ ଓ ପୁଲିସ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଆଜି ଉନ୍ନୟନ କମିଶନର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଯାଇଛନ୍ତି। ମୁଖ୍ୟ ସଚିବ ବି ଯିବେ। ଔଷଧ, ବେଡ ଓ ଅକ୍ସିଜେନ ମହଜୁଦ ରହିଛି। ଯଦି ସଚେତନ ନହେବା ସ୍ଥିତି ଭୟଙ୍କର ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉନ୍ନୟନ କମିଶନର ପଶ୍ଚିମ ଓଡ଼ିଶା ଯାଇଛନ୍ତି। ଉନ୍ନୟନ କମିଶନର ପ୍ରଥମେ ଝାରସୁଗୁଡ଼ାର ସ୍ଥିତି ବୁଲି ଦେଖିବା ପରେ ସୁନ୍ଦରଗଡ଼ ଯିବେ। ସୁନ୍ଦରଗଡ଼ରେ ବିଭିନ୍ନ ଅଧିକାରୀଙ୍କ ସହ ସମୀକ୍ଷା କରିବେ। ଏବେ ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିିତି ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଗତ କାଲି ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଆଉ ଏହି ବୈଠକରେ ସେ ପଶ୍ଚିମ ଓଡିଶା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ ସଂକ୍ରମଣ ବ୍ୟାପି ଥିବାରୁ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କୁ ପଶ୍ଚିମ ଓଡିଶା ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.